ସମ୍ବଲପୁର: ମହାନଦୀର ତଳିଆ ଅଞ୍ଚଳବାସୀଙ୍କ ପାଇଁ ଆହୁରି ସଂକଟ ବଢ଼ିବ। ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ ବନ୍ୟାଜଳସ୍ତର ବଢ଼ିବା ଆଶଙ୍କା ରହିଛି। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।

Advertisment

publive-image

ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ରବିବାର ଦିନ ଠାରୁ ଜଳମଗ୍ନ ହୋଇଛି। ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳା ଠାରୁ ସେନାପୁର ସହରକୁ ଯୋଡ଼ୁଥିବା ବାଏପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି।  କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି। ରବିବାର ଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରୁଛି। ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି।‌ ସେହିପରି କଟକ ଜିଲ୍ଲା ଆଠଗଡ଼, ନରସିଂହପୁର, ବାଙ୍କୀ ଓ ବଡମ୍ବା  ଅଞ୍ଚଳର ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଛି।

ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ମିଟର ଥିବା ବେଳେ ଏବେ ଏଠାରେ ୬୨୬.୯୧ ଫୁଟ ଜଳ ରହିଛି। ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୬,୯୧,୯୫୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୬,୧୦,୦୦୩ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୫,୮୩,୩୪୪ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୨୩,୯୮୫, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।   

ହୀରାକୁଦ ଜଳ ଭଣ୍ଡାରର ମଙ୍ଗଳବାର ସନ୍ଧ୍ୟାରେ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ବଢୁଛି। ସନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳ ଦେଇ ୮ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ପର୍ଥଲା ଦେଇ ୩ ଲକ୍ଷ ୪୧୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି।