ମହାନଦୀରୁ ଧରିଲେ ୪୦ କିଲୋର ‘କଣାବୁଦ’ ମାଛ, ବଜାରରେ ବିକ୍ରି ହେଲା ୧୨ ହଜାର ଟଙ୍କା; ଦେଖନ୍ତୁ ଭିଡିଓ

ବୌଦ୍ଧ: ମହାନଦୀରୁ ଆଜି ଏକ ୪୦ କିଲୋ ଓଜନର ‘କଣାବୁଦ’ ମାଛ ଧରାହୋଇଛି। ଏହି ମାଛକୁ ସ୍ଥାନୀୟ ବଜାରରେ ୧୨ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାଯାଇଛି। ଜଣେ ବ୍ୟବସାୟୀ ଏହି ମାଛକୁ ମତ୍ସ୍ୟଜୀବୀମାନଙ୍କ ଠାରୁ ୬ ହଜାର ଟଙ୍କାରେ କିଣି ୧୨ ହଜାର ଟଙ୍କାରେ ବିକିଛନ୍ତି।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ବ୍ରିଜ ଛକ ନିକଟ ମହାନଦୀରେ ଆଜି ସକାଳୁ ଟୁଟୁସିଙ୍ଗା ଗ୍ରାମର ଶ୍ରୀପତି ବେହେରା ଓ ତାଙ୍କ ସହଯୋଗୀ ମାଛ ଧରୁଥବା ବେଳେ ୪ ଫୁଟ ଲମ୍ବର ଏକ ୪୦ କିଲୋ ଓଜନର କଣାବୁଦ ମାଛ ଆସି ଜାଲରେ ପଡ଼ିଥିଲା।

ଜାଲରେ ପଡ଼ିଥିବା ଏହି ବିରାଟକାୟ ଜୀଅନ୍ତା କଣାବୁଦ ମାଛ ଦେଖିବାକୁ ଲୋକମାଙ୍କର ପ୍ରବଳ ଗହଳି ହୋଇଥିଲା। କଣାବୁଦ ମାଛ ଏକ ବିରଳ ପ୍ରଜାତିର ଶିକାରୀ ମାଛ ହୋଇଥିବାରୁ ଜନସାଧାରଣ ମାଛକୁ ଦେଖିବା ଭିଡ଼ ଲଗାଇଥିଲେ। ତେବେ ମାଛ ଧରଳୀଙ୍କ ଠାରୁ ପ୍ରାୟ ଅଧା ଦରରେ ଅର୍ଥାତ ୬ ହଜାର ଟଙ୍କାରେ ଜଣେ ବ୍ୟବସାୟୀ କିଣିଥିଲେ। ସେ ଖୁଚୁରା ଭାବେ ମାଛଟିକୁ ପ୍ରାୟ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ଶୁଣିବାକୁ ମିଳୁଛି।

Photo: Santosh Singhdeo

ବୌଦ୍ଧ ମହାନଦୀରେ ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ୩ରୁ ୪ ବର୍ଷ ଧରି ଗ୍ରୀଷ୍ମରେ ମହାନଦୀ ଶୁଖିଲା ପଡୁଥିବା ବେଳେ ଏ ବର୍ଷ କିନ୍ତୁ ଜଳ ପ୍ରବାହ କମିଥିଲେ ମଧ୍ୟ ଜଳଧାର ରହିଥିଲା। ଫଳରେ ମାଛ ମଧ୍ୟ ଅଧିକ ସଂଖାରେ ଦେଖିବାକୁ ମିଳୁଛି। କରୋନା ପ୍ରଭାବ ହେଉ ଅବା ଏହା ସହ ଜଡିତ ଲକଡାଉନ ସ୍ଥିତି ଛତିଶଗଡ଼ ସହ ମହାନଦୀ ବିବାଦ ପରେ ଏବର୍ଷ ମହାନଦୀରେ ପାଣି ରହିଛି। ମାଛ ସମେତ ଅନ୍ୟ ଜଳଜୀବ ବଂଶ ବୃଦ୍ଧି ହେବା ସହ ପ୍ରଦୂଷଣ ମଧ୍ୟ କମିଛି। ଏହି କାରଣରୁ ବିରଳ ଜାତିର ମାଛ ମହାନଦୀ ସ୍ରୋତରେ ଆସୁଥିବା ଚର୍ଚ୍ଚା ହେଉଛି। ମହାନଦୀ ଜଳବିବାଦ ପରେ ଏ ବର୍ଷ ପ୍ରଥମ କରି ମହାନଦୀରେ ଜଳଧାର ଦେଖିବାକୁ ମିଳିଛି। ପୂର୍ବରୁ ଏଠାରୁ ୮୦କିଲୋ ଓଜନର ମାଛ ମିଳିବାର ମଧ୍ୟ ନଜିର ରହିଛି।

ସମ୍ବନ୍ଧିତ ଖବର