ସମ୍ବଲପୁର : ସମ୍ବଲପୁର-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଆନ୍ଧ୍ରପ୍ରଦେଶର କଂପାନି ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍‌ ଖୋଲାଖୋଲି ପରିବେଶ ନିୟମ ଉଲ୍ଲଂଘନ କରୁଛି। ପରିବେଶ ନିୟମ ଉଲ୍ଲଂଘନ କରିବା କାରଣରୁ ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍‌ ବିରୋଧରେ ୩ଟି ମାମଲା ରୁଜୁ କରି ଯୁଯୁମୁରା ତହସିଲଦାର ୪୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

Advertisment

ସମ୍ବଲପୁରର ତୁମ୍ବେସିଂହା ଗାଁ ନିକଟରୁ ବାହାରି ଅନୁଗୁଳ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୫୫ ନମ୍ବର ଜାତୀୟ ରାଜପଥର ୧୨୫୫ କୋଟି ଟଙ୍କା ଖର୍ଚ ହେବ। ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍‌କୁ ରାଜପଥ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୧୫୩ କିଲୋମିଟର ଦୂରତା ବିଶିଷ୍ଟ ଏହି ରାସ୍ତା ପାଇଁ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ୯୨୧.୬୨ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ସମ୍ବଲପୁର ଜିଲ୍ଲାର ୪୬ଟି ଗ୍ରାମର ୩୦୦ ଏକର ଘରୋଇ ଓ ୬୩୦ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇଛି। ଏହି ରାସ୍ତା ନିର୍ମାଣ ଜଂଗଲ ଜମିରେ ଥିବା ୧୯ ହଜାର ୬୦୦ ଗଛ ଏବଂ ଅଣଜଂଗଲ ଜମିରେ ଥିବା ୩୨ ହଜାର ୩୦୦ ଗଛ ବଳି ପଡ଼ିବ। ଅଢ଼େଇ ବର୍ଷ ଅବଧି ମଧ୍ୟରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦିଆଯାଇଛି। ପିଚୁ ବଦଳରେ ଏହି ରାସ୍ତା ସିମେଣ୍ଟ କଂକ୍ରିଟ କରାଯିବାକୁ ପ୍ରସ୍ତାବ ରହିଛି।

ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ପରିବେଶ ମୂଲ୍ୟାୟନ ପ୍ରାଧିକରଣଠାରୁ କ୍ଲିଆରାନ୍‌ସ ନିଆଯିବା ବାଧ୍ୟତାମୂଳକ ଅଟେ। ହେଲେ ଗାୟତ୍ରୀ ପ୍ର୍ରୋଜେକ୍ଟ ଲିମିଟେଡ୍‌ ଏସବୁକୁ ଅଣଦେଖା କରି କାମ ଆରମ୍ଭ କରିଦେଇଛି। ମନମୁଖୀ ଭାବେ ମାଟି ଖନନ ମଧ୍ୟ କରିଛି। ଗାୟତ୍ରୀ ପ୍ରୋଜେକ୍ଟ ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ ଅନ୍ଧାରରେ ରଖିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ସମ୍ବଲପୁର ସଦର, ମାନେଶ୍ୱର, ଯୁଯୁମୁରା ଓ ରେଢ଼ାଖୋଲ ତହସିଲଦାରଙ୍କୁ ପତ୍ର ଲେଖି ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍‌କୁ ପରିବେଶ କ୍ଲିଅରାନ୍‌ସ ମିଳିଛି କି ନାହିଁ ତାହା ଯାଂଚ କରିବାକୁ ବୋର୍ଡକୁ ଜଣାଇବାକୁ କହିଛନ୍ତି। ଅପରପକ୍ଷରେ ବିନା ପରିବେଶ କ୍ଲିଅରାନ୍‌ସରେ କାମ ଆରମ୍ଭ କରି ପରିବେଶ ନିୟମ ଉଲ୍ଲଂଘନ କରିଥିବାରୁ ଯୁଯୁମୁରା ତହସିଲ ପକ୍ଷରୁ ଗାୟତ୍ରୀ ପ୍ରୋଜକ୍ଟ ଲିମିଟେଡ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଛି। ‘୨ଟି ମାମଲାରେ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଅନ୍ୟ ଗୋଟିଏ ମାମଲାରେ ୩୬ ଲକ୍ଷ ଟଙ୍କା ଗାୟତ୍ରୀ ପ୍ରୋଜେକ୍ଟ ଲିିମିଟେଡ୍‌କୁ ଜରିମାନା କରାଯାଇଛି।