ଭଦ୍ରକରେ ୪୦ ପଞ୍ଚାୟତ ଜଳମଗ୍ନ

ଭଦ୍ରକ : ବାତ୍ୟା ଦୁର୍ଦ୍ଦଶା ନ ଯାଉଣୁ ବୈତରଣୀରେ ବନ୍ୟା ବିପତ୍ତି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବୈତରଣୀରେ ବନ୍ୟା କମୁଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ବିଶେଷ କରି ତଳିଆ ଅଞ୍ଚଳ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ଏହି ୪ ବ୍ଲକର ବିଭିନ୍ନ ଗାଁକୁ ବନ୍ୟା ପାଣି ମାଡ଼ିଛି। ଅନେକ ଗାଁ ଦୁଇଦିନ ହେଲା ପାଣି ଘେରରେ ରହିଛି।

ବୈତରଣୀର ଆଖୁଆପଦାଠାରେ ଜଳସ୍ତର ଗତକାଲିଠାରୁ ବିପଦସଙ୍କେତ ତଳକୁ ଖସିଲାଣି। ହେଲେ ଗାଁଗୁଡ଼ିକରୁ ବନ୍ୟା ଜଳ ଛାଡ଼ିନି। ବିଶେଷକରି ଚାଷଜମି ସବୁ ଉଜୁଡି ଯାଇଛି। ଚଳିତ ବର୍ଷ ଲୋକେ ଆଉ ଚାଷ କରିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି। ବୁଣାବିଲ, ତିଳିପକା ବିଲ ଓ ଖରାଟିଆ ଧାନ ହୋଇଥିବା ବିଲ ସବୁଠି ମାଡ଼ିଯାଇଛି ବନ୍ୟାଜଳ। ବାତ୍ୟା ସାରା ଜିଲ୍ଲାକୁ ଛାରଖାର କରି ଦେଇଯିବାର ଦିନକ ପରେ ବୈତରଣୀର ବନ୍ୟା ଲୋକ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଜିଲ୍ଲାର ୪ବ୍ଲକର ୪୦ ପଞ୍ଚାୟତ ଏବେ ଜଳମଗ୍ନ। ଭଣ୍ଡାରିପୋଖରୀ ବ୍ଲକର ୯ ପଞ୍ଚାୟତ, ଧାମନଗର ବ୍ଲକର ୨୫ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ଆରଡି ଜୋନ୍‌ରେ ଥିବା ୪ ପଞ୍ଚାୟତରେ ବନ୍ୟା ଜଳ ମାଡ଼ିଯାଇଛି। ତିହିଡିର ୩ ପଞ୍ଚାୟତକୁ ବନ୍ୟା ଜଳ ମାଡିବା ପୂର୍ବରୁ ବୈତରଣୀର ଜଳସ୍ତର କମିଯାଇଛି। ତଥାପି ୩ଟି ପଞ୍ଚାୟତ ବାରୁଅ, ବିଲଣା ଓ ବୋଡକରେ ମାଡ଼ିଛି ବନ୍ୟା ପାଣି।

ବନ୍ୟାରେ ୪୦ଟି ପଞ୍ଚାୟତର ୧୫୦ରୁ ଊର୍ଦ୍ଧ୍ବ ଗ୍ରାମରେ ବ୍ୟାପକ ଚାଷ ଜମି ନଷ୍ଟ ହୋଇଛି। ମାଳଦା, ‌ଷୋଳମପୁର, ରହଣିଆ, ବନ୍ଦାଳ-ମଢିଆଳି, ଝୁଣ୍ଟୁଣା, ନେରଡା, ରଂଜିତ, କୋରିଗାଁ, ନପଙ୍ଗ ଆଦି ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସାନମାଳଦା, ଖପୁରିଆପଦା, ରାଢୋ, ଜଳହରି, ମଣିନାଥପୁର, ଚତୁର୍ଭୁଜପୁର, ଭାଟଣା, ଗିଲିପଦି, ଜୁରାଗଡିଆ, ବରପଦୀ, ବିରୁଡି, ଷଠଗାଁ, କଣ୍ଟି, ବାବଲପୁର, କାଜିପାଟଣା ଅଞ୍ଚଳରେ‌ ପନିପରିବା ଚାଷ ଉଜୁଡି ଯାଇଛି। ତିନିଦିନ ହେଲା ଅଧିକାଂଶ ଗାଁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏବେ ବି ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ବିପନ୍ନଙ୍କ ପାଖରେ ପହଞ୍ଚି ପାରିନି। ଅଧିକାଂଶ ଲୋକ ସରକାରୀ ସହାୟତା ପାଇନଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର