ରାଉରକେଲା: ରାଉରକେଲାରେ ଶୁଆ ଚୋରାଚାଲାଣକାରୀ ରାକେଟ୍ ମାତିଛନ୍ତି। ଗ୍ୟାଙ୍ଗର ଚେର ରାଉରକେଲାରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ବିଭିନ୍ନ ସହରକୁ ଲମ୍ବିଛି। ଆଜି ରାଉରକେଲା ବନବିଭାଗର ସ୍ବତନ୍ତ୍ର ଟିମ୍ ଶୁଆ ଚୋରା ଚାଲାଣକାରୀ ରାକେଟର ଜଣେ ସ୍ଥାନୀୟ ବେପାରୀକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ଗିରଫ ବେପାରୀ ହେଲା ଲାଠିକଟା ବ୍ଲକ୍ ନୂଆଗାଁର ତାହିର ଅନ୍ସାରୀ (୫୦)। ତା’ ଘରୁ ବନବିଭାଗ ଟିମ୍ ୪୦ଟି ଶୁଆ ଶାବକ ଜବତ କରିଛନ୍ତି। ଗୁରୁବାର ଦିନ ପାନପୋଷ ରେଞ୍ଜ ଅଫିସ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୩୧ ତାରିଖ ଲାଠିକଟା ଥାନା ଅନ୍ତର୍ଗତ ନୂଆଗାଁରେ ଜଣଙ୍କ ଘରେ କିଛି ଶୁଆଶାବକ ରଖାଯାଇଥିବା ସୂଚନା ମିଳିଥିଲା। ଅତିରିକ୍ତ ବନ ସଂରକ୍ଷକ ରାଜକୁମାର ସେଠୀଙ୍କ ନେତୃତ୍ବରେ ଗଠିତ ଟିମ୍ ନୂଆଗାଁର ଉକ୍ତ ଘରେ ଚଢ଼ଉ କରି ୪୦ଟି ଶୁଆଶାବକ ଉଦ୍ଧାର କରିଥିଲେ। ତାହିରକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା।
ଶୁଆଶାବକ ଗୁଡ଼ିକୁ ଜଙ୍ଗଲ ନିକଟସ୍ଥ ସ୍ଥାନୀୟ ହାଟରୁ କିଣି ଏକାଠି କରୁଥିବା ପଚରାଉଚୁରାବେଳେ ତାହିର କହିଥିଲା। ପରେ ସେଗୁଡ଼ିକୁ ରାଉରକେଲା ସମେତ ରାଜ୍ୟ ଓ ରାଜ୍ୟ ବାହାରକୁ ଅନ୍ୟ ଦୁଇ ବେପାରୀଙ୍କ ଜରିଆରେ ଚାଲାଣ କରୁଥିଲା। କେବଳ ଏତିକି ନୁହେଁ ଉକ୍ତ ଦୁଇ ବେପାରୀ ଶୁଆଶାବକ ସ୍ଥାନୀୟ ମାର୍କେଟରୁ କିଣି ଆଣିବାକୁ ତାହିରକୁ ୧୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ। ବେପାରୀ ଦୁହେଁ ରାଉରକେଲାରେ ଏକ ଘର ଭଡ଼ା ନେଇ ରହୁଥିଲେ। ସ୍ଥାନୀୟ ଲୋକଙ୍କୁ ଅଧିକ ରୋଜଗାର ଲୋଭ ଦେଖାଇ ଏଭଳି ବେଆଇନ କାମରେ ନିୟୋଜିତ କରୁଥିଲେ। ସେମାନେ ଏବେ ଫେରାର ହୋଇ ଯାଇଥିବା ଶ୍ରୀ ସେଠୀ କହିଥିଲେ। ପୂର୍ବରୁ ଉଦ୍ଧାର ହୋଇଥିବା ୮୨ ଶୁଆଶାବକ ଚାଲାଣ ଘଟଣାରେ ମଧ୍ୟ ଦୁଇ ଫେରାର ବ୍ୟକ୍ତିଙ୍କ ହାତ ରହିଥିବା ସେ ସୂଚନା ଦେଇଥିଲେ।
ଗ୍ୟାଙ୍ଗରେ ଆଉ କିଏ ଅଛନ୍ତି, ଶୁଆ ଚାଲାଣ ରାକେଟ୍ର ଚେର କେତେ ବାଟ ଲମ୍ବିଛି ସେ ସଂପର୍କରେ ବନବିଭାଗ ସ୍ବତନ୍ତ୍ର ଟିମ୍ ଖୋଳତାଡ଼ କରୁଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୩ରେ ରାକେଟ୍ର ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୮୨ଟି ଶୁଆଶାବକ ଉଦ୍ଧାର ହୋଇଥିଲେ। ଏଥିରୁ ୧୦ଟି ଶୁଆଶାବକ କଟକ ଚାଲାଣ କରୁଥିବାବେଳେ ଆଇଜି ପାର୍କ ନିକଟରେ ବନବିଭାଗ କର୍ମଚାରୀ ମାଡ଼ିବସିଥିଲେ। ଗିରଫ ଦୁହିଁଙ୍କ ମଧ୍ୟରୁ ବନ୍ଧମୁଣ୍ଡାରେ ମୁନ୍ନା ସାହୁ ନିଜ ନାବାଳକ ସହଯୋଗୀ ସହ ମିଶି ବିଶ୍ରା ଓ ଆଖପାଖ ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଆ ଶାବକଗୁଡ଼ିକୁ ଧରୁଥିଲା। ଗତ ୨୧ ତାରିଖ ସଂଧ୍ୟାରେ ମୁନ୍ନା ଓ ତା’ର ସହଯୋଗୀ ମୋଟରସାଇକଲ୍ରେ ୧୦ଟି ଶୁଆ ଶାବକ କଟକ ପଠାଇବାକୁ ସେକ୍ଟର-୨ ବସ୍ଷ୍ଟାଣ୍ଡକୁ ଯିବାବେଳେ ବନବିଭାଗ ହାତରେ ଧରା ପଡ଼ିଥିଲେ। ସେମାନଙ୍କ ଭଡ଼ାଘରୁ ଆଉ ୭୨ଟି ଶୁଆ ଉଦ୍ଧାର ହୋଇଥିଲେ।