ରାୟଗଡା: ବାହାନାଗା ଠାରେ ହୋଇଥିବା କରମଣ୍ଡଳ ଟ୍ରେନ ଦୁର୍ଗଟଣା ସମଗ୍ର ବିଶ୍ବରେ ଚହଳ ପକେଇ ଦେଇଛି। ଏହି ଦୁର୍ଘଟଣାର କାରଣ ଖୋଜା ଚାଲିଛି। ଗୋଟିଏ ପରେ ଗୋଟିଏ ରେଳ ଦୁର୍ଗଟଣା ରେଳଯାତ୍ରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହିଭଳି ଏକ ଦୁର୍ଘଟଣା ଆନ୍ଧ୍ର-ଓଡିଶା ସୀମାନ୍ତରେ କୁନ୍ନେରୁ ରେଳ ଷ୍ଟେଷନ ନିକଟରେ ୨୦୧୭ ମସିହାରେ ହିରାଖଣ୍ଡ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାହାନାଗା ରେଳ ଦୁର୍ଘଟଣାର କଥାକୁ ଶୁଣିବା ପରେ ସେହିଦିନ ଦିନର ହୀରାଖଣ୍ଡ ରେଳ ଦୁର୍ଘଟଣାର କଥାକୁ ମନେ ପକାଇଲେ ଆଜି ବି ସେହି ଟ୍ରେନରେ ଯାତ୍ରା କରିଥୁବା ଯାତ୍ରୀମାନେ ଆତଙ୍କିତ ହୋଇଯାଉଛନ୍ତି। ସବୁଦିନ ପରି ହୀରାଖଣ୍ଡ ଟ୍ରେନ ଜଗଦଲପୁରରୁ ଆସି ସେଦିନ ରାୟଗଡାରୁ ନିୟମିତ ସମୟ ପରେ ଛା଼ଡିଥିଲା। ରାୟଗଡାଠାରୁ ମାତ୍ର ୨୦ କିଲୋମିଟର ଯିବାପରେ କୁନ୍ନେରୁ ନିକଟରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ଧାରଣା ଭାଙ୍ଗି ଖଣ୍ଡ ଖଣ୍ଡ ହେବା ଯୋଗୁଁ ଏହି ଦୁର୍ଗଟଣା ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା।

Advertisment

ସେହି ସମୟରେ ରାୟଗଡା ଜିଲ୍ଲା ପ୍ରଶାସନ, ରାୟଗଡା ବ୍ରାହ୍ମଣସାହିର ଯୁବକମାନଙ୍କ ସହିତ ସ୍ଥନୀୟ ବାସିନ୍ଦା,ସିଆରପିଏଫ୍ ଯବାନମାନେ ଲୋକଙ୍କୁ ସାହାୟତାର ହାତ ବଢାଇଥିଲେ। ଏହି ରେଳ ଦୁର୍ଘଟଣାରେ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ସେହିଦିନ ଟ୍ରେନରେ ଯାତ୍ରା କରିଥିବା ଯାତ୍ରୀ ସ୍ମିତାରାଣୀ ପଣ୍ଡା ଏବଂ ସୁଧୀର ପଣ୍ଡା ସେଦିନ ରାତିର ଭୟଙ୍କର ଦୁର୍ଘଟଣା ବଖାଣିଥିଲେ। ରାତିର ଅନ୍ଧାରରେ କିପରି ଆହତ ଲୋକଙ୍କ ଚିତ୍କାର ଶୁଭୁଥିଲା। ଏବେ ବି ଭାବିଲେ ଛାତି ଥରିଉଠେ ବୋଲି କହନ୍ତି। ପାଣି ପାଣି ଡାକ ଛାଡିବା ସହ ଆମକୁ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। କ’ଣ ହେଲା ଜାଣିବା ପୂର୍ବରୁ ୪୦ ଜଣ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା। ଆମମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିଲୁ। ବାହାନାଗା ରେଳ ଦୁର୍ଘଟଣା ପୁଣି ଆମକୁ ସେହି ହୀରାଖଣ୍ଡ ରେଳ ଦୁର୍ଘଟଣା କଥା ମନେ ପକାଇଦେଲା। ରେଳ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଥିଲା। ନକ୍ସଲ ପ୍ରବଣ ଏହି ଅଞ୍ଚଳରେ ଏହି କାଣ୍ଡ ନକ୍ସଲ ଭିଆଇଥିବା କଥା ବି କୁହାଗଲା। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍.ଆଇ.ଏ ଏହାର ତଦନ୍ତ କଲା। କିନ୍ତୁ କୌଣସି ଉପନୀତରେ ପହଞ୍ଚି ପାରିଲା ନାହିଁ। ସେଦିନର ଲୋମହର୍ଷଣକାରୀ ଘଟଣାକୁ ଆଜିବି ସ୍ଥାନୀୟ ଲୋକେ ମନେ ପକାଉଛନ୍ତି।

publive-image

ସେଦିନ ହୀରାଖଣ୍ଡରେ ଯାତ୍ରା କରୁଥିବା ସୀମାନ୍ତ ଗ୍ରାମ କେରେଡାର ଅନୀଲ ଚୌଧୁରୀ ଦୁର୍ଘଟଣା ସଂପର୍କରେ ବଖାଣୁଥିବା ବେଳେ ପାଟି ଖନି ମାରୁଥିଲା। ସେ ଶଦ୍ଦ ପାଉନଥିଲେ। ଅତି ନିକଟରୁ ସେ ହୀରାଖଣ୍ଡ ରେଳର ଦୁର୍ଘଟଣାକୁ ଦେଖିଥିଲେ। ଚାରିଆଡେ ଖାଲି ରକ୍ତ ହିଁ ରକ୍ତ। ଲୋକଙ୍କର ବିକଟାଳ ଚିତ୍କାର ଆଜି ବି କାନରେ ବାଜିଲେ ଲୋମ ଟାଙ୍କୁରି ଉଠୁଥିବା କହିଥିଲେ। ବାହାନାଗା ରେଳ ଦୁର୍ଘଟଣା ଅତି ଭୟଙ୍କର କିନ୍ତୁ ହୀରାଖଣ୍ଡ ରେଳ ଦୁର୍ଘଟଣା ମଧ୍ୟ କମ୍ ନଥିଲା ବୋଲି କହିଥିଲେ।

ସେହିପରି ସୀମାନ୍ତ ଗ୍ରାମର କୋଟେଶ୍ବର ରାଓ ମଧ୍ୟ ହୀରାଖଣ୍ଡ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅଟନ୍ତି। ତାଂକ ମୁହଁରୁ ଦୁର୍ଘଟଣା କଥା ଶୁଣିଲା ବେଳକୁ ସମସ୍ତ ଚିତ୍ର ସାମ୍ନାକୁ ଆସୁଥିଲା। ହୀରାଖଣ୍ଡ ଦୁର୍ଘଟଣା କାହିଁକି ହେଲା ଆଜି ବି ରହସ୍ୟ ହୋଇ ରହିଛି। ଏହାର କାରଣ ଲୋକଲୋଚନ ହୋଇପାରିଲା ନାହିଁ। ତେବେ ଏନେଇ ସରକାର ଅବଗତ ରହିପାରନ୍ତି। ଦୁର୍ଗଟଣା ପରେ ଦୁର୍ଗଟଣା ଘଟୁଛି ଓ ଆନାସୟରେ ନିରୀହ ଜୀବନ ଯାଉଛି। ଏଭଳି ଦୁର୍ଘଟଣାରେ ଯାତ୍ରୀମାନଙ୍କ ସଂସାର ଉଜୁଡିଯାଉଥିବା ସ୍ଥାନୀୟ ଲୋକେ କହିଥିଲେ। ରେଳ ଦୁର୍ଗଟଣା ପରେ ଏହାର କାରଣ ଅନୁଧ୍ୟାନ କରି ନିରାପଦ ଯାତ୍ରା କିପରି ହୋଇପାରିବ ସେଥିନେଇ ଉଦ୍ୟମ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।