ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପୁଣି ବେଦାନ୍ତ ଓ ମୈତ୍ରୀ କମ୍ପାନି ବିରୋଧରେ ଗର୍ଜିଛନ୍ତି ୪୦ଖଣ୍ଡ ଗାଁର ହଜାର ହଜାର ଲୋକ। ଦୁଇଦିନ ଧରି ମୈତ୍ରୀ କର୍ମଚାରୀଙ୍କୁ ବିରୋଧ କରିବା ସହ ଘଣ୍ଟାଘଣ୍ଟା ଧରି ଅଟକ ରଖିଥିଲେ। ‌ଏପରିକି ଫେରିଯିବାକୁ ଚେତାବନୀ ଦେଇଥିଲେ। ତଥାପି ଆଜି କଂପାନି କର୍ମଚାରୀ ସୁଙ୍ଗେର ଅଞ୍ଚଳରେ ପଶିବାକୁ ଚେଷ୍ଟା କରିଥିଲେ। ତେଣୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି କଂପାନି କର୍ମଚାରୀ।

Advertisment

ଆଜି ସକାଳ ପ୍ରାୟ ୬ଟାରେ ପୁଲିସ ସୁରକ୍ଷା ମଧ୍ୟରେ କମ୍ପାନି କର୍ମଚାରୀ ତଳଝିରି ପଞ୍ଚାୟତ ଲାକରିସ ଗାଁରେ ପଶିବାକୁ ଚେଷ୍ଟା କରିଥିଲେ। ତେବେ କଂପାନି କର୍ମଚାରୀ ଆସୁଥିବା ନେଇ ପୂର୍ବରୁ ହିଁ ଗ୍ରାମବାସୀଙ୍କୁ ସୂଚନା ମିଳିସାରିଥିଲା। ତେଣୁ ରାତି ୪ଟାରୁ ଲାକରିସ ଗାଁ ନିକଟରେ ଡେରା ପକାଇଥିଲେ। ମୈତ୍ରୀ କମ୍ପାନି କର୍ମଚାରୀ ଏବଂ ପୁଲିସ ଗାଡି ପହଞ୍ଚିବା ମାତ୍ରେ ଶତାଧିକ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଘେରି ଯାଇଥିଲେ। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଲୋକେ ପୁଲିସ ଓ ମୈତ୍ରୀ କଂପାନି କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗୋ-ବ୍ୟାକ୍‌ ବେଦାନ୍ତ, ଗୋ-ବ୍ୟାକ୍‌ ମୈତ୍ରୀ ବୋଲି ନାରା ଦେଇଥିଲେ। କୌଣସି ପରିସ୍ଥିତିରେ ମଧ୍ୟ ଆମ ଜମିକୁ ବେଦାନ୍ତ ହାତକୁ ଟେକିବୁ ନାହିଁ ବୋଲି ଲୋକେ ଜିଦ୍‌ରେ ଅଟଳ ରହିଥିଲେ। ପୁଲିସ ସହ ଗାଁ ଲୋକ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏହାପରେ ପୁଲିସ କିଛି ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି। ମରିବୁ ପଛେ ହଟିବୁ ନାହିଁ ବୋଲି ପୁଲିସକୁ ଗାଁ ଲୋକେ ସଫାସଫା ଜଣାଇଥିଲେ। ଅଞ୍ଚଳର ଖଣିକୁ କୌଣସି ପ୍ରକାର ଆମେ କମ୍ପାନି ହାତରେ ଟେକିଦେବୁ ନାହିଁ ବୋଲି କହିଥିଲେ। ପୁଲିସ ବହୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। ଶେଷରେ ଉପାୟ ନପାଇ ପୁଲିସ ଓ ମୈତ୍ରୀ କଂପାନି କର୍ମଚାରୀ ଲାକରିସ ଗ୍ରାମରୁ ଫେରି ଆସିଥିଲେ।

ସୂଚନାଯୋଗ୍ୟ, କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ ଖଣି ଖନନ ନିମନ୍ତେ ବେଦାନ୍ତ କଂପାନିକୁ ଲିଜ୍‌ ମିଳିଛି। କିନ୍ତୁ ଖଣି ଖନନ ପୂର୍ବରୁ ଚଳିତ ବର୍ଷ ଅକ୍ଟୋବର ମାସରେ ଖଣି ଚାରିପାର୍ଶ୍ବରେ ରହିଥିବା ଗାଁ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଆୟୋଜିତ ହେବ। ତେବେ ଜନଶୁଣାଣି ପୂର୍ବରୁ ହିଁ ଗାଁ ଗୁଡ଼ିକରେ ଜନସଂପର୍କ ବଢ଼ାଇବା ନିମନ୍ତେ ବେଦାନ୍ତ ପକ୍ଷରୁ ମୈତ୍ରୀ କଂପାନିକୁ ଦାୟିତ୍ବ ଦିଆଯାଇଛି। ତେଣୁ ମୈତ୍ରୀ କଂପାନି ପକ୍ଷରୁ ଜନସଂପର୍କ ଶିବିର ଆୟୋଜନ ପାଇଁ ପ୍ରୟାସ ଚାଲିଥିବା ବେଳେ ଲୋକେ ସିଧାସଳଖ ବିରୋଧ କରୁଛନ୍ତି।