ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଝରିଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକେ ଚାଷ କରି ପରିବାର ଚଳାଇଥାନ୍ତି। ପ୍ରଶାସନ ପକ୍ଷରୁ ଏହି ବ୍ଳକରେ ଜଳସେଚନ ବ୍ୟବସ୍ଥା କରାଯାଇନଥିବାରୁ ଚାଷୀ କେବଳ ବର୍ଷା ଉପରେ ନିର୍ଭର କରିଥାନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବ୍ଲକର ଚାଷୀମାନେ ଚାଷ କାମ ଆରମ୍ଭରୁ ହିଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଳମ୍ବରେ ବର୍ଷା ହେବା ଏବଂ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବହୁ ଚାଷୀ ଧାନ ରୁଆ ସାରିବା ପରେ ଠିକ୍ ସମୟରେ ତଳି ପକାଇ ପାରିନଥିଲେ। ବର୍ଷା ଅଭାବରୁ ବ୍ଲକର ପ୍ରାୟ ୪୦ ହେକ୍ଟର ଧାନ ରୁଆ ଜମି ପଡ଼ିଆ ପଡ଼ି ରହିଗଲା। ଏଥିସହ ଜମିରେ ଧାନ ବୁଣିଥିବା ଚାଷୀମାନେ ମଧ୍ୟ ବର୍ଷା ଅଭାବ ଯୋଗୁଁ ବେଉଷଣ କାମ ଠିକ୍ ସମୟରେ କରିପାରିନଥିଲେ।
ସେହିପରି ତଳି ରୁଆ ବିଳମ୍ବ ହେବା ଯୋଗୁଁ ଏହା ପାକଳ ହୋଇଯାଇଥିଲା। ସେହି ତଳିକୁ ରୁଆ କରିବା ପରେ ମଧ୍ୟ ଧାନ ପିଲ ଠିକ୍ ଭାବେ ବାହାରି ନଥିବା ଚାଷୀମାନେ କହିଛନ୍ତି। ଯେଉଁ ଜମିରେ ଧାନ ଚାଷ ହୋଇଥିଲା ସେଠାରେ ସାର ପ୍ରୟୋଗ କରିପାରୁନଥିବାରୁ ଧାନ ଗଛ ଗୁଡ଼ିକର ରଙ୍ଗ ପରିବର୍ତ୍ତନ ହେବା ସହ ଧାନ ଗଛ ଗୁଡିକ ଝାଉଁଳି ଯାଇଥିଲା। କିଛି ଜମିରେ ରୋଗପୋକ ଲାଗି ଧାନ ଗଛ ନଷ୍ଟ ହୋଇଯାଇଥିଲା। ଏଭଳି ସ୍ଥିତିରେ ପ୍ରାୟ ୪୦ ପ୍ରତିଶତ ଧାନ ଅମଳ କମିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଗତ ଅକ୍ଟୋବର ମାସରେ ଝରିଗାଁ ବ୍ଲକରେ ବର୍ଷା ଉଭାନ ହୋଇ ଯାଇଥିଲା। ଯଦି ଅକ୍ଟୋବର ମାସରେ ୮ ଦିନ ଅନ୍ତରରେ ଦୁଇରୁ ତିନି ଥର ବର୍ଷା ହୋଇଥିଲେ ଧାନ ଅମଳ କିଛି ମାତ୍ରାରେ ଅଧିକ ହୋଇପାରିଥାନ୍ତା ବୋଲି ଚାଷୀମାନେ କହିଛନ୍ତି। ଏକ ମାସ ଧରି ବର୍ଷା ଅଭାବ ଯୋଗୁଁ ଧାନ ଜମି ଗୁଡ଼ିକରେ ପାଣି ନଥିବା ବେଳେ ଜମି ଫାଟି ଆଁ କରିଛି। ଫଳରେ ଋଣ କରି ଚାଷ କରିଥିବା ଚାଷୀ ଋଣ ପରିଶୋଧ ଓ ପରିବାର ଚଳାଇବା ନେଇ ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିକୁ ଦେଖି ଝରିଗାଁ ବ୍ଲକକୁ ମରୁଡ଼ିଗ୍ରସ୍ତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଚାଷୀ ମହଲରେ ଦାବି ହୋଇଛି।
ସୂଚନାଯୋଗ୍ୟ ବ୍ଲକରେ ଜୁନ୍ ମାସରେ ମାତ୍ର ୧୬୭.୨ମିମି ବର୍ଷା ହୋଇଥିବା ବେଳେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ସେହିପରି ଜୁଲାଇରେ ୨୯୭ ମିମି ବର୍ଷା ହୋଇଥିବା ବେଳେ ୪୧ ପ୍ରତିଶତ ନିଅଣ୍ଟିଆ ଏବଂ ଅଗଷ୍ଟ ମାସରେ ୧୧୪ମିମି ବର୍ଷା ହୋଇଥିବା ବେଳେ ୨୦୫ ମିମି ନିଅଣ୍ଟିଆ ବର୍ଷା ହୋଇଛି। ସେପ୍ଟେମ୍ବର ମାସରେ କିଛି ମିମି ବର୍ଷା ହୋଇଥିବା ବେଳେ ଅକ୍ଟୋବର ମାସରେ ବର୍ଷାର ଦେଖା ନଥିଲା। ଚଳିତ ବର୍ଷ ଝରିଗାଁ ବ୍ଲକର ୮୬୫୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ୫୧୯୦ ହେକ୍ଟର ଜମିରେ ଧାନ ବୁଣା ଏବଂ ୩୪୬୦ ହେକ୍ଟର ଜମିରେ ଧାନ ରୁଆ ହୋଇଥିଲା।