ବାହାଘର ଭୋଜି ଖାଇ ୪୦ ଅସୁସ୍ଥ, ଆର୍‌ଜିଏଚ୍‌ରେ ଭର୍ତ୍ତି

ରାଉରକେଲା: ବିବାହ ଭୋଜି ଖାଇ ରାଉରକେଲାର ବାସନ୍ତୀ କଲୋନି ହରିପୁର ବସ୍ତିର ପ୍ରାୟ ୪୦ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସମସ୍ତଙ୍କ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଗତ ବୁଧବାର ରାତିରେ ବାସନ୍ତୀ କଲୋନିର ଏକ ପଡ଼ିଆରେ ବିବାହ ଭୋଜି ଚାଲିଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥିଲେ। ଏଥିରେ ହରିପୁର ବସ୍ତି, ପାନପୋଷ ବସ୍ତିର ମଧ୍ୟ ପ୍ରାୟ ୫୦/୬୦ ଜଣ ଯୋଗଦେଇଥିଲେ। ଆଜି ସକାଳୁ କେତେଜଣଙ୍କୁ ଝାଡ଼ା, ବାନ୍ତି ଆରମ୍ଭ ହୋଇଥିଲା। ପରେ ପେଟ ବ୍ୟଥା ମଧ୍ୟ ହେବାରୁ ଭୋଜିରେ ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏଣୁ ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥଙ୍କ ମଧ୍ୟରୁ କିଛି ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବାବେଳେ ଆଉ କେତେଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର