ମାଧ୍ୟମିକ ବିଦ୍ୟାଳୟର ବହି କିଣାରେ ମୁଷ୍ଟିମେୟ ପ୍ରକାଶକଙ୍କ ବହି ସାମିଲ୍‌, ପ୍ରତିବାଦରେ ନିର୍ଦେଶକଙ୍କୁ ଚିଠି ଲେଖିଲେ ୪୦ ପ୍ରକାଶକ

ଭୁବନେଶ୍ବର : ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟରେ ପାଠାଗାର ପ୍ରସ୍ତୁତି ଓ ପୁସ୍ତକ କିଣା ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ୧୮ କୋଟି ୨୩ ଲକ୍ଷ ୬୦ ହଜାର ଟଙ୍କାର ଅନୁଦାନ ଆସିଛି। ରାଜ୍ୟର ୮ହଜାର ୩୬୫ ମାଧ୍ୟମିକ ବିଦ୍ୟାଳୟ ପାଇଁ ୩୦ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଏହି ଅନୁଦାନ ପ୍ରଦାନ କରାଯାଇଛି। ଏହି ଯୋଜନାରେ ପାଠାଗାରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ପାଠାଗାର ପାଇଁ ଆବଶ୍ୟକୀୟ ପୁସ୍ତକ କିଣାଯିବା ନେଇ ଯୋଜନା ରହିଛି। ତେବେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ୨ଟି ପର୍ଯ୍ୟାୟରେ ପ୍ରସ୍ତୁତ ପୁସ୍ତକ ତାଲିକା କିଛି ମୁଷ୍ଟିମେୟ ପ୍ରକାଶକଙ୍କ ଦ୍ବାରା ପରିଚାଳିତ ହେବା ନେଇ ଖବର ପାଇବା ପରେ ବହୁ ପ୍ରକାଶକ ଏହାର ପ୍ରତିବାଦ କରିଥିଲେ। ଏନେଇ ପ୍ରକାଶକମାନେ ପୁସ୍ତକ ତାଲିକା ପ୍ରସ୍ତୁତିର ଦାୟିତ୍ବ ନେଇଥିବା ଓଡ଼ିଶା ସାହିତ୍ୟ ଏକାଡେମି କର୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏକାଡେମି ନିଜର ତ୍ରୁଟି ବୁଝିପାରି ୩ୟ ପର୍ଯ୍ୟାୟରେ ଅନ୍ୟ ପ୍ରକାଶକଙ୍କ ପୁସ୍ତକ ତାଲିକା ଗ୍ରହଣ କରି ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ତାଲିକା ପ୍ରସ୍ତୁତ କରୁଅଛି ବୋଲି କର୍ତୃପକ୍ଷ କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ପୁସ୍ତକ ତାଲିକା ପ୍ରସ୍ତୁତ ହୋଇନାହିଁ। ଏଣେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବ ପ୍ରସ୍ତୁତ ଦୁଇଟିଯାକ ଅସମ୍ପୂର୍ଣ୍ଣ ତାଲିକାକୁ ନେଇ ଅସାଧୁ ଉପାୟରେ ଜିଲ୍ଲାମାନଙ୍କରେ ପୁସ୍ତକ କିଣିବା ପାଇଁ ଯୋଜନା କରାଯାଉଛି। ଏଣୁ ପୁସ୍ତକ ତାଲିକା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପୁସ୍ତକ କିଣାରୁ କ୍ଷାନ୍ତ ରହିବାକୁ ତୁରନ୍ତ ନିର୍ଦେଶନାମା ଜାରି କରିବାକୁ ପ୍ରକାଶକମାନେ ଅନୁରୋଧ କରିଛନ୍ତି। ଏନେଇ ୪୦ ଜଣ ପ୍ରକାଶକ ଦସ୍ତଖତ ସମ୍ବଳିତ ଏକ ଚିଠି ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ସାହିତ୍ୟ ଏକାଡେମି ଓ ଏନ୍‌ବିଟି ଭଳି ସରକାରୀ ପ୍ରକାଶକଙ୍କୁ ଛାଡ଼ିଦେଲେ କେବଳ ୭/୮ ଜଣ ପ୍ରକାଶକଙ୍କ ତାଲିକା ସ୍ଥାନ ପାଇଥିଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ୨ୟ ପର୍ଯ୍ୟାୟ ପୁସ୍ତକ ତାଲିକା ପ୍ରସ୍ତୁତିର କାରଣ। ସେଥିରେ ଦର୍ଶାଗଲା ଯେ, ଅନେକ ପ୍ରକାଶକଙ୍କୁ ବାଦ୍‌ ଯିଆଯାଇଥିବାରୁ ସେମାନଙ୍କ ଅଭିଯୋଗ କ୍ରମେ ୨ୟ ପର୍ଯ୍ୟାୟ ତାଲିକା ପଠାଇଲୁ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ଅନ୍ୟ ପ୍ରକାଶକଙ୍କୁ ପ୍ରାଧାନ୍ୟ ନଦେଇ ସେଇ ମୁଷ୍ଟିମେୟ ୭/୮ ଜଣ ପ୍ରକାଶକଙ୍କ ବିପୁଳ ସଂଖ୍ୟାରେ ପୁସ୍ତକକୁ ସ୍ଥାନିତ କରାଗଲା। ଅର୍ଥାତ ପୁସ୍ତକ କିଣା ସେଇ ୭/୮ଜଣ ପ୍ରକାଶକଙ୍କ ଦ୍ବାରା ପରିଚାଳିତ ହେବା ନେଇ ପୁଣି ସ୍ଥିର ହୋଇଥିଲା।

ପ୍ରକାଶକମାନଙ୍କ କହିବା ମୁତାବକ, ପୂର୍ଣ୍ଣାଙ୍ଗ ପୁସ୍ତକ ତାଲିକା ଖୁବ୍‌ଶୀଘ୍ର ସମ୍ପୃକ୍ତ ଅଧିକାରୀଙ୍କୁ ପଠାଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମି ଗତ ଏପ୍ରିଲ୍‌ ୧୬ ତାରିଖରେ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ଜଣାଇଛି। ତେଣୁ ଶୀଘ୍ର ଏହି ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସେଥିରେ ସାମିଲ୍‌ କରିବାକୁ ପ୍ରକାଶକମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର