ପାଟକୁରା ନିର୍ବାଚନ : ତିନି ଦଳର ୪୦ ଜଣିଆ ତାରକା ପ୍ରଚାରକ

ଭୁବନେଶ୍ବର : ପାଟକୁରା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋର୍‌ଦାର୍ କରିଛନ୍ତି। ବିଜେଡି ଓ ବିଜେପିର ପ୍ରମୁଖ ନେତାମାନେ ସେଠାରେ ଗତ କିଛି ଦିନ ହେଲା ଡେରା ପକାଇ ସାରିଲେଣି। ତେବେ ଆଜି ତିନିଟି ଯାକ ଦଳ ବିଧିବଦ୍ଧ ଭାବେ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ବିଜେଡିର ତାରକା ପ୍ରଚାରକଙ୍କ ତାଲିକାର ସର୍ବାଗ୍ରେ ରହିଛନ୍ତି ନିଜେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ମନ୍ତ୍ରିମଣ୍ଡଳର ୬ ଜଣ ସଦସ୍ୟ ଏଥିରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଓ ରଘୁନନ୍ଦନ ଦାସ। ଏମାନଙ୍କ ବାଦ୍ ୨୩ ଜଣ ବିଧାୟକ ଦଳର ତାରକା ପ୍ରଚାରକ ସାଜିଛନ୍ତି। ଚାରି ଜଣ ଅଭିନେତା ଆକାଶ ଦାସନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀ ଓ ମୁନା ଖାନ୍ ବି ତାଲିକାରେ ଅଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଜିଲ୍ଲାର ତିନି ଜଣ ବିଧାୟକ ପ୍ରତାପ କେଶରୀ ଦେବ, ଶଶୀଭୂଷଣ ବେହେରା ଓ ଅତନୁ ସବ୍ୟସାଚ୍ଚୀ ନାୟକ ତାରକାର ପ୍ରଚାରକ ସାଜିବେ।

ବିଜେପିର ତାରକା ପ୍ରଚାରକଙ୍କ ତାଲିକାରେ ‌ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ପ୍ରଭାରୀ ଅରୁଣ ସିଂହ ଆଗରେ ରହିଛନ୍ତି। ଏମାନଙ୍କ ବାଦ୍ ୫ ଜଣ ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ଓ ସଙ୍ଗୀତା ସିଂହଦେଓ ତାରକା ପ୍ରଚାର ସାଜିବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ଚରଣ ସେଠୀ ଓ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ମୋଟ୍‌ ୧୧ ଜଣ ବିଧାୟକଙ୍କ ନାମ ତାଲିକାରେ ରହିଛି। ବିଜେଡି ପରି ବିଜେପି ବି ଚାରି ଜଣ କଳାକାରଙ୍କୁ ପ୍ରଚାରରେ ସାମିଲ କରାଇବ। ସେମାନେ ହେଲେ ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନ। ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, କେ ଭି ସିଂହଦେଓ, ମନମୋହନ ସାମଲ, ଖାରବେଳ ସ୍ବାଇଁ, ଦାମୋଦର ରାଉତଙ୍କ ପରି ବରିଷ୍ଠ ନେତାଙ୍କ ନାମ ମଧ୍ୟ ତାଲିକାରେ ରହିଛି।

ବିଜେଡି, ବିଜେପି ଠାରୁ ପ୍ରଚାରରେ କଂଗ୍ରେସ ପଛରେ ପଡ଼ିଥିଲେ ବି ବାହୁଡ଼ା ପରେ ପ୍ରଚାର ଅଭିଯାନ ଜୋର୍‌ଦାର୍ କରିବ ବୋଲି କୁହାଯାଇଛି। ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ପ୍ରଭାରୀ ଜିତେନ୍ଦ୍ର ସିଂହ, ସହ ପ୍ରଭାରୀ ଟି ଏସ୍ ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଗରେ ରହିଛନ୍ତି। ଏମାନଙ୍କ ବାଦ୍ ଦଳର ୮ ଜଣ ବିଧାୟକ ଓ ଜଣେ ସାଂସଦ ବି ତାରକା ପ୍ରଚାରକ ସାଜିବେ। ଚିରଞ୍ଜୀବୀ ବିଶ୍ବାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖଙ୍କ ନାମ ତାଲିକାରେ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ କଂଗ୍ରେସ ନେତାମାନଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନ ଦିଆଯାଇଛି।

ସମ୍ବନ୍ଧିତ ଖବର