ଛେଳି ଚୋରି ପାଇଁ ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ; କଙ୍ଗାରୁ କୋର୍ଟରେ ୪୦ହଜାର ଜରିମାନା, ଗାଁ ସଭାପତି ଅଟକ

ଭଞ୍ଜନଗର/ବେଲଗୁଣ୍ଠା/ପ୍ରତାପୁର: ଛେଳି ଚୋରି କରିବା ପଡ଼ିଲା ମହଙ୍ଗ‌ା। ହେଲେ ଦୁଇ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ପୁଲିସର ସାହାଯ୍ୟ ନେବା ବଦଳରେ ସାରା ଦିନ ଦୁଇ ଯୁବକଙ୍କୁ ଟେଲିଫୋନ ଖୁଣ୍ଟରେ ବାନ୍ଧି ରଖିଲେ। ଆଉ ରାତିରେ କଙ୍ଗାରୁ କୋର୍ଟ ବସିଲା। ବହୁ ବିଚାରବିମର୍ଶ ପରେ ଉଭୟଙ୍କଠାରୁ ୪୦ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହେବ ବୋଲି ନିଷ୍ପତ୍ତି ନିଆଗଲା। ଉକ୍ତ ଟଙ୍କା ସେମାନେ ଗ୍ରାମ କମିଟିକୁ ଦେବେ ବୋଲି ଘୋଷଣା କରାଗଲା। ଜରିମାନା ଟଙ୍କା ଦେବାକୁ ମହଲତ ଦେଇ ଉଭୟଙ୍କୁ ରାତିରେ ଛଡ଼ାଯାଇଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଓ ବେଲଗୁଣ୍ଠା ଫାଣ୍ଡି ଅଧୀନ ପ୍ରତାପୁର ପଞ୍ଚାୟତର ଗୁଣ୍ଡିରିବାଡ଼ି ଗ୍ରାମରେ ଏଭଳି ଏକ ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନାନୁସାରେ, ଗୁଣ୍ଡିରିବାଡ଼ି ଗ୍ରାମର ଗାଁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ କିଣାଯାଇଥିବା ଛେଳି ଗତ ରବିବାର ବିଳମ୍ୱିତ ରାତିରେ ଗୁହାଳ ଭିତରୁ ଚୋରି ହୋଇଯାଇଥିଲା। ଗତକାଲି ସକା‌ଳେ ଗ୍ରାମବାସୀ ଛେଳି ଖୋଜିବା କାମରେ ଲାଗି ପଡ଼ିଥିଲେ। ତେବେ ନିକଟ ନୂଆସାହି ଅଞ୍ଚଳର ଦୁଇ ଯୁବକ ଶମ୍ଭୁ ତାରିଣୀ ଓ ସୀମା ବିଷୋୟୀ ଛେଳି ଚେରି କରି ଏହାର ମାଂସକୁ ବିକିଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଉଭୟଙ୍କୁ ଧରି ଆଣି ଗାଁ ଦାଣ୍ଡରେ ଟେଲିଫୋନ୍ ଖୁଣ୍ଟରେ ଦିନ ସାରା ବାନ୍ଧି ରଖିଥିଲେ। ସନ୍ଧ୍ୟାରେ ଗ୍ରାମସଭା ଡାକି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେବାକୁ ସମୟ ଧାର୍ଯ୍ୟ କରିଥିଲେ। ଗତକାଲି ରାତିରେ ଗ୍ରାମ୍ୟ କମିଟି ସଭାପତି ଓ କର୍ମକର୍ତ୍ତାଙ୍କୁ ନେଇ ଗାଁରେ ବୈଠକ ବସିଥିଲା। ଉଭୟଙ୍କୁ ୪୦ହଜାର ୫୦୦ ଟଙ୍କା ଜରିମାନା ପକାଯାଇ ଟଙ୍କା ପୈଠ କରିବାକୁ କିଛି ଦିନ ମହଲତ୍ ଦିଆଯାଇଥିଲା।

ତେବେ ଏହି ଘଟଣା ଆଜି ପୁଲିସ ପାଖରେ ପହଞ୍ଚିବା ସହ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହୋଇଥିଲା। ବେଲଗୁଣ୍ଠା ଫାଣ୍ଡି ପୁଲିସ ଗାଁ ସଭାପତିଙ୍କୁ ନେଇ ପଚରାଉଚରା କରୁଛି। କିନ୍ତୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ୨ ଯୁବକ ଏଯାବତ୍ ସେମାନଙ୍କ ପଟୁ କୌଣସି ଅଭିଯୋଗ କରି ନଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଖବର ମିଳିବା ସୁଦ୍ଧା, ଗୁଣ୍ଡିରିବାଡ଼ି ଓ ନୂ୍ଆସାହି ଗ୍ରାମବାସୀ ଫାଣ୍ଡିକୁ ଆଲୋଚନା ପାଇଁ ଆସିଛନ୍ତି। ସେହିପରି ନୂଆସାହି ଗ୍ରାମ ସଭାପତି ମଧ୍ୟ ପହଞ୍ଚିଛନ୍ତି।

ଗ୍ରାମ ଦେବତୀ ଠାକୁରାଣୀଙ୍କ ପାଇଁ  ଗ୍ରାମ କୋଠରୁ ଚାନ୍ଦା ଆଦାୟ କରି ୫ ହଜାର ୫୦୦ ଟଙ୍କାରେ ଛେଳିଟି କିଣାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଛେଳିଟିକୁ ଗ୍ରାମର ଜଗନ୍ନାଥ ଜେନାଙ୍କ ଗୁହାଳରେ ରଖାଯାଇଥିବା ବେଳେ ରବିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି ଯେ, ଏହା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ବିଷୟ। ଆବଶ୍ୟକସ୍ଥଳେ ମାମଲା ରୁଜୁ ହେବ।

ସମ୍ବନ୍ଧିତ ଖବର