ଭିମ୍‌ସାରରୁ ୪୦ ଭେଣ୍ଟିଲେଟର ଫେରିଯିବା ଘଟଣା, ସ୍ଥାନାଭାବ ଓ ୱାରେଣ୍ଟି ସବୁ ବାହାନା!

ବର୍ଷ ବର୍ଷ ଧରି ପଡ଼ିଛି ବହୁ ମୂଲ୍ୟବାନ ଉପକରଣ, ସୁପର ସ୍ପେସାଲିଟି ବ୍ଲକ୍‌ ବିଳମ୍ବ ପଛରେ ଷଡ୍‌ଯନ୍ତ୍ର

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲ (ଭିମ୍‌ସାର)କୁ ଆସିଥିବା ୪୦ଟି ଅତ୍ୟାଧୁନିକ ଭେଣ୍ଟିଲେଟର ମେସିନ୍‌ ଫେରିଯିବା ଘଟଣାରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅନେକ ଗୁରୁତ୍ବପୂର୍ଣ୍ଣ ଗୁମର ପଦାରେ ପଡ଼ିବାରେ ଲାଗିଛି। ଭେଣ୍ଟିଲେଟର ଫେରାଯିବା ଘଟଣାରେ କର୍ତ୍ତୃପକ୍ଷ ଯେ ସଂପୂର୍ଣ୍ଣ ସତ କହୁନାହାନ୍ତି ତାହା ଜଳଜଳ ହୋଇ ଦେଖାଯାଉଛି। ଏମିତିକି ସ୍ବାସ୍ଥ୍ୟମନ୍ତ୍ରୀ ତଦନ୍ତ ନିର୍ଦେଶ ଦେବା ପରେ ଏହି ତଦନ୍ତକୁ ବାଟବଣା କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଯେଉଁ ଅଧିକାରୀଙ୍କ ଅମଳରେ କୋଠା ପାଇଁ ଜମି ପ୍ରଦାନରେ ବିଳମ୍ବ କରାଗଲା ସେ ଏବେ ନିଜେ ଆସି ଭେଣ୍ଟିଲେଟର ଫେରିଯିବା ଘଟଣାର ତଦନ୍ତ କରିବା ସହ କୋଠା ନିର୍ମାଣରେ ବିଳମ୍ବ ଯୋଗୁଁ ଭେଣ୍ଟିଲେଟର ଫେରାଗଲା ବୋଲି କହୁଛନ୍ତି। ମାତ୍ର କର୍ତ୍ତୃପକ୍ଷଙ୍କ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମେଡିକାଲର କର୍ମଚାରୀ ଓ ସହରର ସଚେତନ ନାଗରିକ। କିଛି କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସୁପର ସ୍ପେସାଲିଟି ହସ୍ପିଟାଲ ପାଇଁ ଆହୁରି ଅନେକ ଯନ୍ତ୍ରପାତି ଓ ଉପକରଣ ଆସିସାରିଛି ଓ ସେଗୁଡ଼ିକୁ ଷ୍ଟୋର ରୁମ୍‌ କିମ୍ବା ଅନ୍ୟ ସ୍ଥାନରେ ରଖାଯାଇଛି। କୋଠା ନିର୍ମାଣ ନ ହୋଇଥିବାରୁ ସ୍ଥାନ ଅଭାବ ଓ ୱାରେଣ୍ଟି ମିଆଦ କମିଯିବ ବୋଲି ଭେଣ୍ଟିଲେଟର ମେସିନ୍‌ ରଖାନଯିବା ଯୁକ୍ତି ତେଣୁ ଗ୍ରହଣୀୟ ନୁହେଁ। କାରଣ ଅନ୍ୟ ଯେଉଁସବୁ ମେସିନ୍‌ ରଖାଯାଇଛି ସେଗୁଡ଼ିକର ୱାରେଣ୍ଟି କ’ଣ ସରୁନି ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଏ ସମ୍ପର୍କରେ ଆଜି ଭିମ୍‌ସାର ଡିନ୍‌ ପ୍ରଫେସର ବି.ଏମ.ମିଶ୍ର ଓ ପ୍ରଶାସନିକ ଅଧିକାରୀ ଡା.ସଚ୍ଚିଦାନନ୍ଦ ପାଣ୍ଡେଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେମାନଙ୍କଠାରୁ କୌଣସି ଉତ୍ତର ମିଳିନାହିଁ। ମିଳିଥିବା ସୂଚନା ଅନୁସାରେ ଗତ ଫେବ୍ରୁଆରି ମାସରେ ଏହି ସୁପରସ୍ପେସାଲିଟି ମେଡିକାଲ ପାଇଁ ୧୦୦ ଏମ୍‌ଏ ବିଶିଷ୍ଟ ଏକ ଏକ୍ସ-ରେ ମେସିନ୍‌ ଆସିଥିଲା। ଯାହାକୁ ମେଡିକାଲ କର୍ତ୍ତୃପକ୍ଷ ଉକ୍ତ ହାଇଟ୍ସ କମ୍ପାନି ନିକଟରୁ ଗ୍ରହଣ କରିଥିଲେ। ଏଥିସହ ମଲ୍‌ଟି ପାରାମିଟର ବିଶିଷ୍ଟ ୨୦ଟି ଆଇସିୟୁ ମନିଟର, ବିଯୁକ୍ତ ୪୦ ଡିଗ୍ରି ଯାଏଁ ତାପମାତ୍ରା ରଖିପାରୁଥିବା ଗୋଟିଏ ଡିପ୍‌ ଫ୍ରିଜର ମଧ୍ୟ ଆସି ଏହି ମେଡିକାଲର ଷ୍ଟୋର ରୁମ୍‌ରେ ପଡ଼ି ରହିଛି।

ଏହାବାଦ୍‌ ବିଗତ ଗୋଟିଏ ବର୍ଷ ମଧ୍ୟରେ ମେଡିକାଲକୁ ଆସିଥିବା ପ୍ରାୟ ୪୦ ଲକ୍ଷ ଟଙ୍କାର ଏକ୍ସ-ରେ ଡିଆର୍‌ ସିଷ୍ଟମ୍‌, ୭୦ଟି ବିପି ଇନ୍‌ଷ୍ଟ୍ରୁମେଣ୍ଟ, ୮ଟି ଡାୟାଥାଲମିକ୍‌ ମେସିନ୍‌, ଚକ୍ଷୁ ବିଭାଗର ଫେକୋ ମେସିନ୍‌, କାର୍ଡିଓଲୋଜି ବିଭାଗର ଟିଏମ୍‌ଟି ମେସିନ୍‌ ଓ ୬ଟି ଏମ୍‌ସି ମେସିନ୍‌ ଏବେ ବି ମେଡିକାଲ ପରିସରରେ ପଡ଼ି ରହିଛି। ମେଡିକାଲ ପରିସରରେ ଶବ ରଖିବା ପାଇଁ ୨୦୧୮ ମସିହାରେ ମେଡିକାଲ କର୍ତ୍ତୃପକ୍ଷ ୬ଟି ୬/୪ ଫୁଟର ଫ୍ରିଜର କିଣିଥିଲେ। କିନ୍ତୁ ଉକ୍ତ ଫ୍ରିଜରଗୁଡ଼ିକ ମେଡିକାଲକୁ ଆସିବାର ପ୍ରାୟ ୬ ମାସ ହୋଇଯାଇଥିଲେ ବି ସେଗୁଡ଼ିକ ଆନାଟୋମି ବିଭାଗରେ ସେମିତି ପଡ଼ି ରହିଛି। ନୂତନ ଭାବେ ନିର୍ମିତ ହେଉଥିବା ଶିଶୁ ରୋଗ ବିଭାଗରେ ମଧ୍ୟ ୧୦ରୁ ଅଧିକ ମୂଲ୍ୟବାନ ଚିକିତ୍ସା ଉପକରଣ ଖତ ଖାଉଛି। ମେଡିକାଲର ବର୍ଣ୍ଣ ୟୁନିଟ ଉପର ଷ୍ଟୋର ରୁମ୍‌ରେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ମେସିନ୍‌ ପକାଇ ରଖାଯାଇଥିବା ସୂଚନା ମିଳିଛି। ଏସବୁର ୱାରେଣ୍ଟି ସରୁଛି କି ନା ବୋଲି ପ୍ରଶ୍ନ ଉଠୁଛି। ଅସଲ କଥା ହେଉଛି କିଛି ବର୍ଷ ହେଲାଣି ଭିମ୍‌ସାରରେ କିଛି ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ସବୁ ସମସ୍ୟା ସୃଷ୍ଟି ହୋଇଛି। କିଛି ଅଧିକାରୀ ଓ ଡାକ୍ତର ଯୋଜନାବଦ୍ଧ ଭାବେ ଭିମ୍‌ସାରର ଚିକିତ୍ସା ସେବାକୁ ଦୁର୍ବଳ କରିବା ଲାଗି ଷଡ୍‌ଯନ୍ତ୍ର ଚଳାଇଛନ୍ତି ଓ ସୁପର ସ୍ପେସାଲିଟି କୋଠା ନିର୍ମାଣରେ ଅହେତୁକ ବିଳମ୍ବ ମଧ୍ୟ ଏହାର ଏକ ଅଂଶବିଶେଷ ବୋଲି ପ୍ରତୀୟମାନ ହେଉଛି। ବୁର୍ଲାରେ ସୁପର ସ୍ପେସାଲିଟି ହସ୍ପିଟାଲ ହେଲେ ଯେଉଁମାନେ କ୍ଷତିଗ୍ରସ୍ତ ହେବେ ସେମାନେ ମଧ୍ୟ ଷଡ୍‌ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର