ଦାରିଙ୍ଗବାଡ଼ିରେ ଭୂସ୍ଖଳନ ଭୟ: ୧୦୦ ପରିବାରର ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ଗତ ଲଘୁଚାପ ବର୍ଷାରେ ଭୁସ୍ଖଳନ ହୋଇ ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡ଼ା ଖସିଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲା। ଏହି ଖବର ପାଇ ବ୍ଳକ ଓ ତହସିଲ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଏହାର ଅନୁସନ୍ଧାନ କରି ଫେରିଥିଲେ। ଏହାପରେ ଗତ ୨୯ତାରିଖ ଦିନ ବିଡିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି କୁମ୍ଭାରୀପଦର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ଦେଖି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ କେତେବେଳେ କଣ ହେବ ତାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ରହିଥିଲେ।

 

ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳକୁ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷା ହେଉଥିବା ନେଇ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ସହିତ ବିଡ଼ିଓ ଓ ତହସିଲଦାର ପୁଣି ଘଟଣାସ୍ଥଳରେ ପହଞ୍ଚି ଭୁସ୍ଖଳନ ଅଞ୍ଚଳରେ ରହିଥିବା କୁମ୍ଭାରୀପଦର ଗ୍ରାମର ୧୦୦ ପରିବାର ପାଖାପାଖି ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରି ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖି ସମସ୍ତ ଖାଇବା ଓ ରହିବାର ସହିତ ପିଲାଙ୍କ ପାଇଁ ବିଭିନ୍ନ ଖେଳନାର ଵ୍ୟବସ୍ଥା କରିଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି । ଏହାର ଅନୁଧ୍ୟାନ ନିମନ୍ତେ ଏକ ଟେକ୍ନିକାଲ ଟିମ ଆସିବା ପରେ ଗାଁକୁ ବିପଦ ରହିଛି କି ନାହିଁ ତାହା ଆଣିବା ପରେ ଗ୍ରାମବାସୀଙ୍କ ଅନ୍ୟତ୍ର ଥଇଥାନ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନାରୁ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର