ବିବାହ ଭୋଜି ଖାଇ ୪୦୦ ଅସୁସ୍ଥ: ଚିକିତ୍ସା ଦାୟିତ୍ବରେ ସ୍ବତନ୍ତ୍ର ଡାକ୍ତରୀ ଦଳ, ଖାଦ୍ୟ, ପାଣି ନମୁନା ସଂଗ୍ରହ

ଗଡ଼ିଶାଗୋଦା/ କଣାସ: ପୁରୀ ଜିଲ୍ଲା କଣାସ ବ୍ଲକ କଣାସ ପଞ୍ଚାୟତର ସହନା ଗାଁ’ରେ ବିବାହ ଭୋଜି ଖାଇ ୪ ଶହରୁ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କଣାସ ଗୋଷ୍ଠୀ ସ୍ବାସ୍ଥ‌୍ୟକେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି। କେଉଁ କାରଣରୁ ଖାଦ୍ୟ ବିଷକ୍ରିୟା ହେଲା ତାର ତଦନ୍ତ ଚାଲିଛି। ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି ବୋଲି ଡା. ମିଶ୍ର କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ସହନା ଗାଁ’ର ମାନଗୋବିନ୍ଦ ଜୟସିଂହଙ୍କ ବଡ଼ପୁଅଙ୍କ ଗତ ୨ ତାରିଖରେ ବିବାହ ଥିଲା। ଏଥି ପାଇଁ ଗତକାଲି ପରିବାର ପକ୍ଷରୁ ଗାଁ’ରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ୧୫ ଶହରୁ ଅଧିକ ଲୋକ ବି ଆସି ଭୋଜି ଖାଇଥିଲେ। ଭୋଜି ଖାଇ ସାରି ଘରକୁ ଫେରିବା ପରେ ରାତି ପ୍ରାୟ ଗୋଟାଏରେ ପ୍ରଥମେ ଦୁପୁର ଗାଁ’ର ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ଲାଗି ରହିବାରୁ ତାଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସମସ୍ତଙ୍କଠାରେ ଝାଡ଼ାବାନ୍ତି ସହ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖା ଦେଇଥିଲା। ଅସୁସ୍ଥଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଶଯ୍ୟା ଅଭାବ ପଡ଼ିବାରୁ ଶେଷରେ ଗୋଟିଏ ଶଯ୍ୟାରେ ଦୁଇଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଥିଲା। ତଥାପି ଶଯ୍ୟା ଅଭାବ ପଡ଼ିବାରୁ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସା କରାଯାଇଥିଲା। ସାଲାଇନ୍‌ ଓ ଅନ୍ୟାନ୍ୟ ଔଷଧ ଦିଆଯାଇଥିଲା। ଡା. ଅବନି ରଂଜନ ପାତ୍ର, ଡା. ରମେଶ ଚନ୍ଦ୍ର ବେହେରା, ଡା. ସୌରଭ ଅଗ୍ରୱାଲ ଓ ତାଙ୍କ ଟିମ୍‌ ୧୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଅନେକ ଚିକିତ୍ସାଧୀନ ଅଛନ୍ତି। ବାକି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୁରୀରୁ ଆସିଥିବା ଡାକ୍ତରୀ ଦଳ ମାନଗୋବିନ୍ଦଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଭୋଜିରେ ରନ୍ଧା ଯାଇଥିବା ଖାଦ୍ୟ ଏବଂ ବ୍ୟବହୃତ ପାଣି ନମୁନା ସଂଗ୍ରହ କରିଛନ୍ତି ବୋଲି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ସୌଭାଗ୍ୟ ରଂଜନ ଜେନା କହିଛନ୍ତି।

ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ତହସିଲଦାର ଲକ୍ଷ୍ମୀଧର ମହାରଣା, ଅତିରିକ୍ତ ତହସିଲଦାର ସହଦେବ ସାହୁ, ବିଡିଓ ଲୋଚନ ଦାସ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ ଭୋଳ ପ୍ରମୁଖ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କୋଭିଡ୍‌ କଟକଣାବେଳେ କଣାସ ଥାନା ପାଖରେ ୧୫୦୦ ଶହରୁ ଅଧିକ ଲୋକ ଏକତ୍ରୀତ ବିବାହ ଭୋଜି ଖାଇବା ଘଟଣାକୁ ସାଧାରଣରେ ସମାଲୋଚନା କରାଯାଇଛି। କେଉଁ ପରିସ୍ଥିତିରେ ଏତେ ସଂଖ୍ୟାରେ ଲୋକଙ୍କୁ ଏକତ୍ରୀତ ହେବାର ଅନୁମତି ଦିଆଗଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର