ମୌଳିକ ସେବାରୁ ବଞ୍ଚିତ ୪ ଶହ ବସ୍ତି ବାସିନ୍ଦା: ପ୍ରଶାସନ ନିରବ

କରଞ୍ଜିଆ ଗୋଲେଇ: କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଛି ୧୫ଟି ୱାର୍ଡ। ସେଥିମଧ୍ୟରୁ ୧୫ ନମ୍ବର ୱାର୍ଡସ୍ଥିତ ମା’ ମଙ୍ଗଳା ମନ୍ଦିର ନିକଟରେ ଅଛି ଏକ ଜନଜାତି ବସ୍ତି। ଏହି କଲୋନୀ ସୁଇପର କଲୋନୀ ଭାବେ ଜଣାଶୁଣା। ଏହି କଲୋନୀରେ ୩୧ଟି ପରିବାର ରହନ୍ତି। ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସୂଚନା ଅନୁଯାୟୀ, ୧୯୯୪ ମସିହାରୁ ରହି ଆସୁଛନ୍ତି ଏହି ବସ୍ତିବାସିନ୍ଦା। ତତ୍କାଳୀନ ଏନ୍‌ଏସି ଅଧ୍ୟକ୍ଷ ଭୁବନବିହାରୀ ସାହୁ ସରକାରଙ୍କ ପାଣ୍ଠିରୁ ପାଖାପାଖି ୪ ଲକ୍ଷ ଟଙ୍କାରେ ୧୮ଟି ଫେରୋଟାଇଲ ଛାଉଣୀ ବାସଗୃହ ନିର୍ମାଣ କରି ଥଇଥାନ କରିଥିଲେ ଏହି ୩୧ଟି ପରିବାରକୁ। ଆଜିକୁ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏହି କଲୋନୀରେ ଏବେ ପରିବାର ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ବ ହେବ। ସୁଇପର କଲୋନୀର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି।

କଲୋନୀକୁ ଭଲ ରାସ୍ତା ଟିଏ ନାହିଁ। ୩୦ ବର୍ଷ ତଳର ଘର ଭାଙ୍ଗିରୁଜି ଗଲାଣି। ଦୀର୍ଘବର୍ଷ ଧରି ପଲିଥିନ ତଳେ ବାସ କରୁଥିବା ଦେଖାଯାଇଛି। ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। କଲୋନୀବାସୀ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ଅବସ୍ଥା ସୁଧୁରିନାହିଁ। ବସ୍ତିବାସିନ୍ଦାଙ୍କ ପାଇଁ ୫ଟି ନଳକୂପ, ଗୋଟିଏ ଗଭୀର କୂପ ନିର୍ମାଣ ହୋଇଥିଲା। ହେଲେ ୪ଟି ନଳକୂପ ଦୀର୍ଘବର୍ଷ ହେବ ଅଚଳ ଅବସ୍ଥାରେ। ଗଭୀର କୂପ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ। ପିଏଚ୍‌ଡି ପାଇପ ଲାଇନ କେତଜଣଙ୍କ ଘରକୁ ଯାଇଥିଲେ କ’ଣ ହେବ ପ୍ରେସର ଅଭାବରୁ ପାଣି ଆସୁନାହିଁ। ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ପୁରା ବସ୍ତିବାସିନ୍ଦା।  ପୁରୁଣା ମାଟି କାନ୍ଥ କେତେବେଳେ ଭୁଶୁଡ଼ି ପଡ଼ିବ ତାହା ଜଳଜଳ ଦିଶୁଛି।

ସରକାରଙ୍କ ଆବାସ ଯୋଜନାରେ ଘର ଟିଏ  ମିଳି ପାରୁନାହିଁ। ସେହିପରି କଲୋନୀରେ ମିନି ଅଙ୍ଗନବାଡ଼ିଟିଏ ନାହିଁ। ଆଗରୁ ଅଙ୍ଗନୱାଡି ଟିଏ ଥିଲା ତାହା କିଛି ବର୍ଷ ହେବ ଉଠିଯାଇଛି। ସମସ୍ୟା ବାବଦରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମଙ୍କୁ ପଚାରିବାରୁ ଅଳ୍ପଦିନରେ ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି କହିଥିଲେ। ତେବେ ପ୍ରଶାସନ କେବେ ବସ୍ତି ବାସିନ୍ଦାକୁ ମୋ ସ୍କୁଲ ଅଭିଯାନରେ ପାଠପଢ଼ା ବ୍ୟବସ୍ଥା, ଆବାସ ଯୋଜନାରେ ଘର ଓ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ କରୁଛନ୍ତି ତାହାକୁ ବସ୍ତିବାସିନ୍ଦା ଚାତକ ପରି ଅନେଇଛନ୍ତି।

ସମ୍ବନ୍ଧିତ ଖବର