୧୨ରେ ଚାରି ହଜାର କମ୍ପ୍ୟୁଟର ଶିକ୍ଷକଙ୍କ ସମୂହ ଇସ୍ତଫା

୧ରୁ ଠପ୍‌ ହେଲାଣିି ହାଇସ୍କୁଲ କମ୍ପ୍ୟୁଟର ଶିକ୍ଷା

କଟକ : ଚଳିତ ମାସ ୧ ତାରିଖରୁ ଭୁବନେଶ୍ୱର ପିଏମ୍‌ଜିରେ କାର୍ଯ୍ୟବନ୍ଦ୍‌ ଆନ୍ଦୋଳନ ଜାରି ରଖିଥିବା ହାଇସ୍କୁଲ କମ୍ପ୍ୟୁଟର ଶିକ୍ଷକମାନେ ଶେଷରେ ସମୂହ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୨ତାରିଖ ପୂର୍ବାହ୍ନ ୧୧ଟାରୁ ଚାରି ହଜାର କମ୍ପ୍ୟୁଟର ଶିକ୍ଷକ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ବାହାରି ସଚ୍ଚିବାଳୟରେ ସମୂହ ଇସ୍ତଫାପତ୍ର ପ୍ରଦାନ କରିବେ। ପ୍ରତିଶ୍ରୁତି ଦେଇ ସରକାର ଦାବି ପୂରଣରେ ଅବହେଳା ପ୍ରଦର୍ଶନ କରୁଥିବା ପ୍ରତିବାଦରେ ଆଇସିଟି ବିଦ୍ୟାଳୟ କମ୍ପ୍ୟୁଟର ଶିକ୍ଷକ ସଂଘ ଏଭଳି ଦୃଢ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଏପ୍ରିଲ୍‌ ୨ରେ ଓଡ଼ିଶାର ଚାରି ହଜାର ସରକାରୀ ହାଇସ୍କୁଲରେ ଚାରି ହଜାର କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଥିଲେ। ଏହି ଶିକ୍ଷକମାନଙ୍କୁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ଓ ଟିସିଆଇଏଲ୍‌ ନାମକ ୨ଟି କମ୍ପାନି ଜରିଆରେ ନିଯୁକ୍ତି ମିଳିଥିଲା। ମାସିକ ଦରମା ୫୬୭୪ ଟଙ୍କା ସ୍ଥିର ହୋଇଥିବା ବେଳେ ଆଜିପର୍ଯ୍ୟନ୍ତ ଦରମା ବୃଦ୍ଧି ହୋଇନାହିଁ। ଏମାନଙ୍କୁ ପୁଣି ନିୟମିତ ଦରମା ମିଳୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଶିକ୍ଷକମାନେ ହାଇସ୍କୁଲରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ, ଶିକ୍ଷକମାନଙ୍କୁ କମ୍ପ୍ୟୁଟର ଶିକ୍ଷା, ଅନ୍‌ଲାଇନ୍‌ ଫର୍ମ ପୂରଣ, ଏରିୟର ବିଲ୍‌, ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ, ଏନ୍‌ଟିଏସ୍‌, ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମ ପୂରଣ ଆଦି ଅନେକ କାମ କମ୍ପ୍ୟୁଟର ଶିକ୍ଷକମାନେ କରୁଛନ୍ତି। ଏପରିକି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟରେ ଏମାନେ ମଧ୍ୟ ଶିକ୍ଷାଦାନ କରୁଛନ୍ତି।

ଅନ୍ୟ ଶିକ୍ଷକଙ୍କ ତୁଳନାରେ କମ୍‌ କାମ କରୁ ନଥିରୁ କମ୍ପ୍ୟୁଟର ଶିକ୍ଷକଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ, ସଂଯୋଜକ ବଦଳରେ କମ୍ପ୍ୟୁଟର ଶିକ୍ଷକ ପଦବି ରଖିବା, ସ୍କୁଲ୍‌ ସ୍ତରରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଥିଲା। ବିଭିନ୍ନ ସମୟରେ ସରକାର କେବଳ ପ୍ରତିଶ୍ରୁତି ଦେଇ ନିରବ ରହିଥିବାରୁ ସଂଘ ପକ୍ଷରୁ ଚଳିତ ମାସ ୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ରାଜ୍ୟ ସଭାପତି ପ୍ରଶାନ୍ତ ସ୍ୱାଇଁ ଦର୍ଶାଇଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ୧ତାରିଖରୁ ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷାଦାନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏବେ ଜିଲ୍ଲା ଓ୍ଵାରୀ ଏକ ହଜାର ଶିକ୍ଷକ ପିଏମ୍‌ଜିରେ ଧାରଣା ଦେଉଛନ୍ତି। ଆସନ୍ତା ୧୧ତାରିଖ ସଂଧ୍ୟା ସୁଦ୍ଧା ଚାରି ହଜାର ଶିକ୍ଷକ ପିଏମ୍‌ଜିରେ ପହଞ୍ଚିବେ। ୧୨ ତାରିଖ ପୂର୍ବାହଣ ୧୧ଟାରୁ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ବାହାରି ସଚ୍ଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେବେ ବୋଲି ସଭାପତି ଶ୍ରୀ ସ୍ୱାଇଁଙ୍କ ସମେତ କର୍ମକର୍ତ୍ତା ସୌମ୍ୟରଞ୍ଜନ ମଲ୍ଲିକ, ଚନ୍ଦ୍ରକାନ୍ତ ଶ୍ରୀଚନ୍ଦନ, କ୍ଷୀତିଶ ଚନ୍ଦ୍ର ସାହୁ, ମାନସ ଦେବଦର୍ଶନ, ଦିଲ୍ଲୀପ ନାୟକ, ଅମ୍ରିତା ସାହୁ, ପରୀକ୍ଷିତ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର