ରାଉରକେଲା: ୩୦ ହଜାର କୋଟି ଟଙ୍କା ବିନିଯୋଗରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଆଧୁନିକୀକରଣ ଓ ସଂପ୍ରସାରଣ କରାଯିବ। ଏହି କ୍ରମରେ କୋକ୍‌ ଓଭେନ୍‌ରେ ବ୍ୟାଟେରି-୭ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତ ଜାନୁଆରି ୨୨ ତାରିଖରେ ଏହି ପ୍ରକଳ୍ପ ପାଇଁ ମୃତ୍ତିକା ପରୀକ୍ଷଣ ଓ ଭୂମିପୂଜନ କରାଯାଇଥିଲା। ତେବେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇପାରୁନି। ଆସନ୍ତାକାଲି (ସୋମବାର) କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ଦ୍ବାରା ଏହି ପ୍ରକଳ୍ପର ଶିଳାନ୍ୟାସ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ କେନ୍ଦ୍ରମନ୍ତ୍ରୀଙ୍କ ରାଉରକେଲା ଗସ୍ତ ବାତିଲ ହୋଇଯାଇଛି। ଫଳରେ ଏହି ପ୍ରକଳ୍ପ କାମ ପୁଣି ବିଳମ୍ବିତ ହୋଇଛି। ବୋକାରୋ ଇସ୍ପାତ କାରଖାନାରେ ଅଶାନ୍ତି ଯୋଗୁଁ ମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇଥିବା କୁହାଯାଉଛି। ତେବେ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଆର୍‌ଏସ୍‌ପିରେ ୬ଟି ବ୍ୟାଟେରି ରହିଛି। ବ୍ୟାଟେରି-୨ ଗତ ୨୦୧୬ ମାର୍ଚ୍ଚ ମାସରୁ ସଟ୍‌ଡାଉନ ରହିଥିବାବେଳେ ଗତ ସପ୍ତାହରେ ହିଁ ପୁନଃକାର୍ଯ୍ୟକ୍ଷମ ହୋଇଛି। ୧ରୁ ୬ ନମ୍ବର ପର୍ଯ୍ୟନ୍ତ ସମସ୍ତ ବ୍ୟାଟେରି ଟପ୍‌ ଚାର୍ଜିଂ ବିଶିଷ୍ଟ ହୋଇଥିବା ବେଳେ ବ୍ୟାଟେରି-୭ ହେବ ସଂପୂର୍ଣ୍ଣ ଭିନ୍ନ ଓ ଅତ୍ୟାଧୁନିକ ମାନର। ବ୍ୟାଟେରି-୭ ଷ୍ଟାମ୍ପ୍‌ ଚାର୍ଜିଂ ବିଶିଷ୍ଟ ହେବ। ବର୍ତ୍ତମାନ କାରଖାନାରେ ଥିବା ସମସ୍ତ ଟପ୍‌ ଚାର୍ଜିଂ ବ୍ୟାଟେରିରେ ଉପରୁ କୋଇଲା ପୁସିଂ ହେଉଥିବାବେଳେ ଏହି ନୂତନ ବ୍ୟାଟେରିର ପାର୍ଶ୍ୱରୁ ଚାର୍ଜିଂ ହୋଇପାରିବ। ପୂର୍ବ ବ୍ୟାଟେରିଗୁଡ଼ିକରେ ବିଦେଶୀ କୋଇଲାର ବ୍ୟବହାର ହେଉଥିବାବେଳେ ଏହି ବ୍ୟାଟେରି ଆମ ଦେଶରୁ ମିଳୁଥିବା କୋଇଲାରେ ମଧ୍ୟ ଚାଲିପାରିବ। ଯାହାଫଳରେ ବ୍ୟୟ ହ୍ରାସ ହେବ। ବ୍ୟାଟେରି-୭ରେ ଥିବା ୭-ଏ’ ଓ ୭-ବି’ ଦୁଇଟି ଚାର୍ଜିଂ ଦ୍ୱାରା ବାର୍ଷିକ ହାରାହାରି ୦.୭୭ ମିଲିଅନ ଟନ୍‌ କ୍ଷମତା ବିନିଯୋଗ ହୋଇପାରିବ। ପ୍ରକାଶଥାଉକି, ମାର୍ଚ୍ଚ ୨୦୧୪ରେ କାର୍ଯ୍ୟକ୍ଷମ ହୋଇଥିବା ବ୍ୟାଟେରି-୬ର ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିଅନ ଟନ୍‌ ଏବଂ ଏହା ହେଉଛି ଆର୍‌ଏସ୍‌ପିର ସବୁଠାରୁ ଅଧିକ କ୍ଷମତା ବିଶିଷ୍ଟ ବ୍ୟାଟେରି।