କଟକ: ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ ନାଁରେ ଖର୍ଚ୍ଚ ହେଉଛି ପାଖା‌ପାଖି ୪ହଜାର କୋଟି ଟଙ୍କା। କିନ୍ତୁ ବିଶେଷଜ୍ଞ ତିଆରିରେ ଫେଲ୍‌ ମାରୁଛି କଟକ ବଡ଼ ଡାକ୍ତରଖାନା। ମାତ୍ର ୪ବର୍ଷ ପାଇଁ ଏମ୍‌ସିଏଚ୍‌ ପାଠ୍ୟକ୍ରମ ଖୋଲିଥିଲା, ମାପଦଣ୍ଡ ପୂରଣ ହୋଇ ନ ପାରିବାରୁ ନେସନାଲ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି) କାଟିଦେଲା ସେ ସିଟ୍‌। ଯା ଫଳରେ ୨୦୧୯ରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ଏଣ୍ଡ ହସ୍ପିଟାଲ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ(କାର୍ଡିଓଥୋରାସିସ୍‌)ରୁ ବାହାରି ପାରୁନାହାନ୍ତି ବିଶେଷଜ୍ଞ। ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ବ୍ୟବସ୍ଥା ଭିତରେ କେବଳ ଏସ୍‌ସିବିରୁ ହିଁ କାର୍ଡିଓଥୋରାସିସ୍‌ ବିଶେଷଜ୍ଞ ବା ଏମ୍‌ସିଏଚ୍‌ ପାଠ୍ୟକ୍ରମ ରହିଥିଲା। କେବଳ ସେତିକି ନୁହେଁ, ହୃତ୍‌ପିଣ୍ଡ ପ୍ରତିରୋପଣ(ହାର୍ଟ ଟ୍ରାନ୍ସପ୍ଲାଣ୍ଟ) ପାଇଁ ବର୍ଷକରୁ ଅଧିକ ସମୟ ହେବ ଅନୁମତି ଆସି ସାରିଛି। ସେଥିପାଇଁ ହାର୍ଟ ଫେଲ୍ୟୁଅର୍‌ କ୍ଲିନିକ୍‌ ମାଧ୍ୟମରେ ଶହେରୁ ଅଧିକ ରୋଗୀ ହାର୍ଟ ପ୍ରତିରୋପଣ ପାଇଁ ପଂଜୀକରଣ ବି କରିସାରିଛନ୍ତି। ପ୍ରତିରୋପଣ ବ୍ୟବସ୍ଥା ପାଇଁ କି କି ଆବଶ୍ୟକତା ରହିଛି ତାର ମଧ୍ୟ ବଜେଟ୍‌ ଓ ତାଲିକା ପ୍ରସ୍ତୁତ ହୋଇ ଓଏସ୍‌ଏମ୍‌ସିଏଲ୍‌କୁ ଯାଇଛି। ଏତେ ସବୁ ପ୍ରକ୍ରିୟା ସତ୍ତ୍ବେ ବି ଆରମ୍ଭ ହୋଇପାରୁନି ବ୍ୟବସ୍ଥା।

Advertisment

କଟକ ବଡ଼ଡାକ୍ତରଖାନା ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍‌ ହସ୍ପିଟାଲ୍‌ ହୋଇଥିବାରୁ ଏଠାକୁ ଓଡ଼ିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାରଖଣ୍ଡରୁ ବି ରୋଗୀ ଆସିଥାନ୍ତି ଚିକିତ୍ସା ପାଇଁ। ଅନେକ କିଛି ନୂଆ ନୂଆ ଚିକିତ୍ସା ବ୍ୟବସ୍ଥାକୁ ଆରମ୍ଭ କରିବାରେ ଅନେକ କ୍ଷେତ୍ର‌ରେ କଟକ ବଡଡାକ୍ତରଖାନା ପୂର୍ବଭାରତରେ ପ୍ରଥମ ସରକାରୀ ମେଡିକାଲ୍‌ କଲେଜର ମାନ୍ୟତା ପାଇଆସୁଛି। ସରକାରୀ ବ୍ୟବସ୍ଥାରେ ରାଜ୍ୟର ଏକମାତ୍ର ମେଡିକାଲ କଲେଜ ଭାବେ ଏଠାରେ ଓପନ୍‌ ହାର୍ଟ ସର୍ଜରି ହୋଇପାରୁଛି। ଏବେ ଗଲା କିଛିବର୍ଷ ହେବ ବିଶେଷଜ୍ଞ ସଙ୍କଟ ସ୍ଥିତି ଯୋଗୁଁ ବିଭାଗ ଚାଲିଛି ମାତ୍ର ହାତଗଣତି ୨ଜଣ ଡାକ୍ତରଙ୍କୁ ନେଇ। ବିଭାଗରେ ୨ଜଣ ପ୍ରଫେସର୍‌, ୨ଜଣ ଆସୋସିଏଟ୍‌ ପ୍ରଫେସର୍‌, ୩ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ସିନିୟର ରେସିଡେଣ୍ଟ ରହିବା କଥା। କିନ୍ତୁ ଜଣେ ପ୍ରଫେସର ଓ ଜଣେ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ। ତାରି ଭିତରେ ମାସକୁ ୨୦ଟି ଓ ବର୍ଷକୁ ପାଖାପାଖି ୨ଶହ ଓପନ୍‌ ହାର୍ଟ ସର୍ଜରି କରାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ରାଜ୍ୟରେ ଏସ୍‌ସିବି ଓ ଏମ୍‌କେସିଜି-ବ୍ରହ୍ମପୁରରେ କାର୍ଡିଓଥୋ‌ରାସିସ୍‌ ବିଭାଗ ରହିଛି।

ହେଲେ ଏସ୍‌ସିବିରେ ଓପନ୍‌ ହାର୍ଟ ଓ ବିଭିନ୍ନ ସର୍ଜରି ହେଉଥିବାବେଳେ ଏମ୍‌କେସିଜିରେ କେବଳ ଚିକିତ୍ସା ବ୍ୟବସ୍ଥା ଦିଆଯାଉଛି। ଫଳରେ ଏମ୍‌କେସିଜି କାର୍ଡିଓଥୋରାସିସ୍‌ ବିଭାଗ ବି ମାତ୍ର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ନେଇ ଚାଲିଛି। ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ୩ଜଣ କାର୍ଡିଓଥୋରାସିସ୍‌ ବିଶେଷଜ୍ଞ ରହିଛନ୍ତି। କିନ୍ତୁ ନୂଆ ବିଶେଷଜ୍ଞ ରାଜ୍ୟର ମେଡିକାଲ କଲେଜରୁ ସୃଷ୍ଟି ହୋଇପାରୁନାହାନ୍ତି। କାରଣ ଏସ୍‌ସିବିରେ ଥିବା ଏମ୍‌ସିଏଚ୍‌ ପାଠ୍ୟକ୍ରମ ବନ୍ଦ ହୋଇଯାଇଛି। ଏସ୍‌ସିବିରେ ୨୦୧୩ରେ କାର୍ଡିଓଥୋରାସିସ୍‌ ବିଭାଗରେ ୨ଟି ଏମ୍‌ସିଏଚ୍‌ ପାଠ୍ୟକ୍ରମ ପାଇଁ ଅନୁମୋଦନ ଆସିଥିଲା। କିନ୍ତୁ ବିଶେଷଜ୍ଞ ଅଭାବ ଯୋଗୁଁ ଗୋଟିଏ ସିଟ୍‌ ଖୋଲାଯାଇଥିଲା। ୩ବର୍ଷରେ ଅର୍ଥାତ୍‌ ୨୦୧୯ ସୁଦ୍ଧା ୪ଜଣ ଏହି ପାଠ୍ୟକ୍ରମରେ ପାଠ ପଢ଼ିବା କଥା। କିନ୍ତୁ ଜଣେ ଆଡ୍‌ମିସନ୍‌ ନକରିବା ଫଳରେ ୪ବର୍ଷରେ ୩ଜଣ ବିଶେଷଜ୍ଞ ବାହାର କରିଥିଲା ଏସ୍‌ସିବି। କିନ୍ତୁ ଶିକ୍ଷକ ନଥିବାରୁ ୨୦୧୯ରେ ଏନ୍‌ଏମ୍‌ସି କାର୍ଡିଓଥୋରାସିସ୍‌ ବିଭାଗର ଏମ୍‌ସିଏଚ୍‌ ପାଠ୍ୟକ୍ରମକୁ ବନ୍ଦ କରିଥିଲା। ପୁଣିଥରେ କିପରି ପାଠ୍ୟକ୍ରମ ଆରମ୍ଭ ହେବ, ସେ ନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି। ଏପଟେ ରାଜ୍ୟରେ କେବଳ ଏମ୍‌ସ ଭୁବନେଶ୍ବରକୁ ଛାଡିଦେଲେ ଅନ୍ୟ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ଏହି ପାଠ୍ୟକ୍ରମ ନାହିଁ। ଏସ୍‌ସିବିରୁ ୪ବର୍ଷରୁ ଯେଉଁ ୩ଜଣ ବିଷେଷଜ୍ଞ ବାହାରିଥିଲେ ସେଥିରୁ ୨ଜଣ ଏମ୍‌କେସିଜି ଓ ଜଣେ ଏସ୍‌ସିବିରେ ଅଛନ୍ତି। କିନ୍ତୁ ଏମ୍‌କେସିଜିରେ ସରକାରୀ କାଗଜପତ୍ରରେ ଯେଉଁ ୨ଜଣ ଥିବା ଦେଖା‌ଯାଉଛି ସେଥିରୁ ଜଣେ ଦୀର୍ଘଦିନ ହେଲା ଛୁଟିରେ ରହିଛନ୍ତି।

ଏପଟେ କାର୍ଡିଓଥୋରାସିସ୍‌ ବିଭାଗରେ ହୃତ୍‌ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ପାଇଁ ୨୦୨୨ ମେ ୧୨ରୁ ଅନୁମତି ପାଇସାରିଛି। ଏଥିପାଇଁ ଗତ ନଭେମ୍ବର ୧୨ରେ ହୃଦ୍‌ରୋଗ ବିଭାଗରେ ହାର୍ଟ ଫେଲ୍ୟୁଅର୍‌ କ୍ଲିନିକ୍‌ ବି ଖୋଲାଯାଇଛି। ଯେଉଁଥିରେ ହାର୍ଟ ପ୍ରତିରୋପଣ ପାଇଁ ପାଖାପାଖି ଶହେ ଜଣ ପଂଜୀକରଣ ବି କରିସାରିଛନ୍ତି। ଏହି ବ୍ୟବସ୍ଥା ଆରମ୍ଭ ପାଇଁ ୫କୋଟିର ବଜେଟ୍‌ ପ୍ରସ୍ତୁତ କରାଯାଇ ପଠାଯାଇଛି। ଯେଉଁଥିରେ ବ୍ୟବସ୍ଥା ଆରମ୍ଭ ପାଇଁ ଉପକରଣ ଓ ଅନନ୍ୟା ବ୍ୟବସ୍ଥା କରାଯିବ। ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ଏକ୍‌ମୋ ସପୋର୍ଟ ବ୍ୟବସ୍ଥା ବି ରହିଛି। ଯେହେତୁ ଓପନ୍‌ହାର୍ଟ ସର୍ଜରି ହୋଇପାରୁଛି ତେଣୁ ହୃତ୍‌ପିଣ୍ଡ ପ୍ରତିରୋପଣରେ ସେଭଳି କିଛି ସମସ୍ୟା ନଥିବା ଜଣାପଡ଼ିଛି। କିନ୍ତୁ ଅନୁମତି ଆସିବା ପରେ ବି କଣ ପାଇଁ ବ୍ୟବସ୍ଥା ଏସ୍‌ସିବିରେ ଆରମ୍ଭ ହୋଇପାରୁନି। ଅନ୍ୟପଟେ ଭାରତରେ ବର୍ଷକୁ ୩ଶହ ଲୋକଙ୍କ ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଉଛି। ସେଥିରୁ ରାଜ୍ୟରୁ କେତେଜଣ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ତାର ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। କିନ୍ତୁ, ଯଦି ଏସ୍‌ସିବିରେ ଶହେ ଜଣ ପଂଜୀକରଣ କରି ପ୍ରତିରୋପଣ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି ତାହେଲେ ନିଶ୍ଚିତ ଭାବେ ରାଜ୍ୟ ବାହାରକୁ ବି ଅନେକ ଯାଉଥିବେ। ସୂଚନାଯୋଗ୍ୟ, ଆୟୁଷ୍ମାନ୍‌ ଭାରତ‌ ଯୋଜନାରେ ହୃତ୍‌ପିଣ୍ଡ ପ୍ରତିରୋପଣ ପ୍ୟାକେଜ୍‌ ୧୦ଲକ୍ଷ ଥିବା ବେଳେ ଘରୋଇ ହସ୍ପିଟାଲ୍‌ରେ ୨୫ଲକ୍ଷ ଖର୍ଚ୍ଚ ହେଉଛି।