ଶ୍ରୀରାମ ନବମୀରେ ୪ ହଜାର ଶ୍ରଦ୍ଧାଳୁଙ୍କ ପଦଯାତ୍ରା

ପାରମ୍ପରିକ ବାଦ୍ୟନୃତ୍ୟରେ କମ୍ପିଲା ସହର

ବାଲେଶ୍ବର: ପବିତ୍ର ରାମନବମୀ ଅବସରରେ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ରବିବାର ପୂର୍ବାହ୍ନ ୧୦ଟାରେ ସହରରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମିଟ୍‌ ପଡ଼ିଆରୁ ପଦଯାତ୍ରା ବାହାରି ଜିଲ୍ଲା ସ୍କୁଲ, ଷ୍ଟେସନ୍‌ ଛକ, ଫକୀରମୋହନ ଗୋଲେଇ, ଫାଣ୍ଡିଛକ, ଚିଡ଼ିଆପୋଲ, ଗୋପାଳଗାଁ, ଟାଉନ୍‌ହଲ, ମଣ୍ଡଳବଜାର, ଟାଉନ୍‌ ଥାନା, ସିନେମା ଛକ ହୋଇ ରାତି ପ୍ରାୟ ୧0ଟାରେ ପରମିଟ୍‌ ପଡ଼ିଆରେ ପହଞ୍ଚିଥିଲା। ଶ୍ରୀରାମ ଚେତନା ଜାଗରଣ ମଞ୍ଚର ସଦସ୍ୟଙ୍କ ସମେତ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଜୟ ଶ୍ରୀରାମ ନାରା ସାଙ୍ଗକୁ ମୃଦଙ୍ଗ, ଢ଼ୋଲ, ଧୁମସା ବାଦ୍ୟ, ଶଙ୍ଖ, ଘଣ୍ଟଘଣ୍ଟା ଶବ୍ଦରେ ସହର ପ୍ରକମ୍ପିତ ହୋଇଥିଲା। ପଦଯାତ୍ରାରେ ପାରମ୍ପରିକ ନୃତ୍ୟ ସହ ଆଦିବାସୀ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା।

ଏହି ଅବସରରେ ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ସ୍ବରୂପ କୁମାର ଦାସ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକକୁମାର ସାହୁ, ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ସୁଷମା ବିଶ୍ବାଳ, କମଳା ବିନ୍ଧାଣୀ, ସନତ ଦାସଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ପଦଯାତ୍ରା‌ରେ ସାମିଲ ହୋଇଥିଲେ। ପଦଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ଥଣ୍ଡା ପାନୀୟ, ଦହି ସରବତ ବଣ୍ଟନ କରାଯାଇଥିବାବେଳେ ଚେତନା ଜାଗରଣ ମଞ୍ଚ ପକ୍ଷରୁ ପରମିଟ୍‌ ପଡ଼ିଆରେ ପ୍ରସାଦ ବିତରଣ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ୨ ଜଣ ଅତିରିକ୍ତ ଏସପି୍‌, ୭ ଜଣ ଡିଏସ୍‌ପି, ୪୮ ଜଣ ଇନ୍‌ସପେକ୍ଟର ଓ ସବ୍‌ଇନିସପେକ୍ଟରଙ୍କ ସହିତ ୭୪ ଜଣ ହୋମଗାର୍ଡ ସମେତ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ  ସହରର ବିଭିନ୍ନ ଜାଗାରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର