ଟାଙ୍ଗୀ : ୪ ହଜାର ଲିଟର ପିଡିଏସ୍ କିରୋସିନ ଜବତ

ରାସନ୍ କାର୍ଡଧାରୀଙ୍କୁ ମିଳୁନି, କମ୍ପାନିକୁ ଦେଲା କିଏ?

ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଥିବା ଏକ ଆଲୁମୁନିୟମ୍ କମ୍ପାନି ପରିସରରୁ ବେଆଇନ୍ ଭାବେ ଗଚ୍ଛିତ ଥିବା ୪ ହଜାର ଲିଟର ପିଡିଏସ୍ କିରୋସିନକୁ ଯୋଗାଣ ବିଭାଗ ଜବତ୍ କରିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ବନ୍ଦାଳ ମୌଜାରେ ଥିବା ବିନାୟକ ଆଲୁମୁନିୟମ୍ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନି ପରିସରରୁ ଏହି କିରୋସିନ ଜବତ ହୋଇଛି।

ଲକଡାଉନ୍ ସମୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ପିଡିଏସ୍ କିରୋସିନ ଏହି କମ୍ପାନି ପରିସରରେ ବିପୁଳ ପରିମାଣର ଗଚ୍ଛିତ ଥିବାର ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ କମ୍ପାନି ପରିସରରେ ୨୦ ଟି ପ୍ଲାଷ୍ଟିକ ବ୍ୟାରେଲରେ ଏହି କିରୋସିନ ଭର୍ତ୍ତି ହୋଇ ଥୁଆ ହୋଇଥିଲା। ଏହି କିରୋସିନ ଭର୍ତ୍ତି ବ୍ୟାରେଲ୍ ଗୁଡ଼ିକୁ ଜବତ କରିବା ସହ କମ୍ପାନିର ମ୍ୟାନେଜର ଅତିଥି ଦୋବାଲଙ୍କୁ ଅଧିକାରୀ ଜେରା କରିଛନ୍ତି। ଆଲୁମିନିୟମ୍ ରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ହେବା ପୂର୍ବରୁ ପ୍ଲେଟ୍ କଟିଂ ଓ ପଲିସିଂ ହେବାରେ କିରୋସିନ ବ୍ୟବହାର କରାଯାଏ। ଗଚ୍ଛିତ ଥିବା ଏହି ୨୦ ବ୍ୟାରେଲ କିରୋସିନକୁ ପାରାଦ୍ୱୀପ୍ ଅଞ୍ଚଳର ଜଣେ ବ୍ୟବସାୟୀ ଲିଟର ପିଛା ୪୫ଟଙ୍କା ଦରରେ ଆଣି କମ୍ପାନିରେ ପହଞ୍ଚାଇ ଥିବା ମ୍ୟାନେଜର ଯୋଗାଣ ବିଭାଗ ଅଧିକାରୀ ମାନଙ୍କୁ କହିଥିଲେ।

କରୋନା ମହାମାରୀ ସଂକ୍ରମଣ ପାଇଁ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ସରକାର ରାସନ୍ ଚାଉଳ ସହ ତିନି ମାସର କିରୋସିନ ଏକା ସାଙ୍ଗରେ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ହେଲେ କଟକ ଜିଲ୍ଲା ତଥା ରାଜ୍ୟର ଅନେକ ହିତାଧିକାରୀଙ୍କୁ ଅଦ୍ୟାବଧି ଏପ୍ରିଲ୍ ମାସର କିରୋସିନ ମିଳି ପାରିନାହିଁ। ହେଲେ ଏକା ଥରକେ ଏକ ଘରୋଇ କମ୍ପାନିକୁ କିଏ ଏହି ବିପୁଳ ପରିମାଣର କିରୋସିନ ଯୋଗାଇ ଦେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଏହି କିରୋସିନକୁ ଜବତ୍ କରିବା ସହ ଏହା କେଉଁ ଜିଲ୍ଲାର ପିଡିଏସ୍ କିରୋସିନ ତାହା ଖୋଳତ‌ାଡ଼ କରୁଛି ଯୋଗାଣ ବିଭାଗ। ଏହି ଚଢାଉରେ ଏସ୍.ସି.ଏସ.ଓ ଜ୍ଞାନେନ୍ଦ୍ରିୟ ମିଶ୍ର, ଅନାଥ ଚରଣ ସ୍ବାଇଁ, ବ୍ଲକ ଯୋଗାଣ ବିଭାଗ ଅଧିକାରୀ ବିବେକାନନ୍ଦ ସାହୁ ଓ ପିଡିଏସ ଡିଲର ନାରାୟଣ ସିଂହ ପ୍ରମୁଖ ସାମିଲ୍ ଥିଲେ।

ସମ୍ବନ୍ଧିତ ଖବର