ଅବକାରୀ ବିଭାଗର ସମୀକ୍ଷା: ବର୍ଷକରେ ୪୦ ହଜାର ମାମଲା, ୩୪ ହଜାର ଗିରଫ

କଟକ: ୨୦୨୧-୨୨ ବର୍ଷରେ ଅବକାରୀ ବିଭାଗରେ ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ପୂର୍ବ ରେକର୍ଡ ଭାଙ୍ଗିଛି। ଉଭୟ ଅବକାରୀ ଓ ଏନଡିପିଏସ୍ ମାମଲା ୨୦୨୦-୨୧ ବର୍ଷରେ ରାଜ୍ୟରେ ମୋଟ ୨୫ ହଜାର ୪୬୬ ମାମଲା ରୁଜୁ ହୋଇଥିଲା। ୨୦୨୧-୨୨ ବର୍ଷରେ ୪୦ ହଜାର ୪୨୭ ରୁଜୁ ହୋଇଛି। ମାମଲା ସଂଖ୍ୟା ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ହୋଇଛି। ସେହିଭଳି ୨୦୨୦-୨୧ ବର୍ଷରେ ଗିରଫଦାରୀ ସଂଖ୍ୟା ୧୯ ହଜାର ୬୩୧ ଥିବା ବେଳେ ୨୦୨୧-୨୨ ବର୍ଷରେ ଏହି ସଂଖ୍ୟା ୩୩ ହଜାର ୫୩୯ରେ ପହଞ୍ଚିଛି। ଗିରଫ ସଂଖ୍ୟା ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ଘଟିଛି। ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରର ଅବକାରୀ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଥିଲା। ଅବକାରୀ ମାମଲା ୨୦୨୦-୨୧ ବର୍ଷରେ ମୋଟ ୨୫ହଜାର ୭୦ଟି ରୁଜୁ ହୋଇଥିବା ବେଳେ ୧୯ ହଜାର ୨୪୩ ଜଣ ଗିରଫ ହୋଇଛନ୍ତି। ୨୦୨୧-୨୨ ବର୍ଷରେ ୩୯ ହଜାର ୭୪୧ଟି ରୁଜୁ ହୋଇଥିବା ବେଳେ ୩୨ ହଜାର ୭୭୦ ଜଣ ଗିରଫ ହୋଇଛନ୍ତି। ୨୦୨୦-୨୧ ତୁଳନାରେ ୨୦୨୧-୨୨ ବର୍ଷରେ ମାମଲା ରୁଜୁ ସଂଖ୍ୟା ୫୮.୫୦ ପ୍ରତିଶତ ବୃ୍ଦ୍ଧି ଘଟିଥିବା ବେଳେ ଗିରଫ ସଂଖ୍ୟା ବି ୭୦.୨୭ ପ୍ରତିଶତ ବୃଦ୍ଧି ଘଟିଛି।

ଏନଡିପିଏସ୍ ମାମଲା ସଂଖ୍ୟା ଯଦି ଦେଖାଯାଏ ତେବେ ୨୦୨୦-୨୧ବର୍ଷରେ ୩୯୬ଟି ଓ ୨୦୨୧-୨୨ ବର୍ଷରେ ୬୮୬ ମାମଲା ରୁଜୁ ହୋଇଛି। ୨୦୨୦-୨୧ ବର୍ଷରେ ୩୮୮ ଜଣ ଗିରଫ ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ୭୬୯ ମାମଲା ରୁଜୁ ହୋଇଛି। ୨୦୨୦-୨୧ ବର୍ଷରେ ଗଞ୍ଜେଇ ଗଛ ୩୨ କୋଟି ୫୦ ଲକ୍ଷ ୩ ହଜାର ୬୬୪ଟି ନଷ୍ଟ ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ୩୨ କୋଟି ୯୧ ଲକ୍ଷ ୪ ହଜାର ୩୨ଟି ନଷ୍ଟ ହୋଇଛି। ଏହି ଦୁଇଟି ଆର୍ଥିକ ବର୍ଷରେ ୧.୨୬ ପ୍ରତିଶତ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଞ୍ଜେଇ ଚାଷ ମୁଖ୍ୟତଃ କନ୍ଧମାଳ, ବୌଦ୍ଧ, ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଅନୁଗୁଳ, ସମ୍ବଲପୁର ଜିଲ୍ଲାର ଘଞ୍ଚ ଜଙ୍ଗଲରେ ହେଉଥିବା ବେଳେ ତାହାକୁ ଡ୍ରୋନ୍ ମାଧ୍ୟମରେ ଚିହ୍ନଟ କରାଯାଇଛି। ୨୦୨୧-୨୨ ବର୍ଷରେ ୨୪୭ଟି ନକଲି ଓ ଟିକସ ଫାଙ୍କି ମଦ କାରବାର ମାମଲା ରାଜ୍ୟରେ ରୁଜୁ ହୋଇଛି। ଏହି ମାମଲାରେ ୨୭୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଦୁଇଟି ଅନ୍ତରାଜ୍ୟ ଗ୍ୟାଙ୍ଗକୁ ଠାବ କରିଛି ଅବକାରୀ ବିଭାଗ। ଏଥିରେ ୯ ହଜାର ୨୨୩ ଲିଟର ଟିକସ୍ ଫାଙ୍କି ମଦ ଜତ ହୋଇଛି। ୨ ଲକ୍ଷ ନକଲି ମଦ ଠିପି, ୮୦ ହଜାର ନକଲି ଲେବଲ ଇ୍ୟାଦି ଜବତ ହୋଇଥିବା ଅବକାରୀ କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର