ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରାୟ ୪୦ ହଜାର ଚାଷୀ ଧାନ ବିକି ସାରିଲେଣି। ସମସ୍ତ ମଣ୍ଡିରେ ଧାନକିଣା ଚାଲିଥିବାରୁ ଆଉ ଦୁଇ ସପ୍ତାହ ଭିତରେ ସମସ୍ତ ଧାନ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କୌଣସି କାରଣବଶତଃ ଚାଷୀ ଧାର୍ଯ୍ୟ ସମୟ ମଧ୍ୟରେ ଧାନ ବିକ୍ରି କରିପାରି ନଥିଲେ, ଟୋକନ୍‌ ଅବଧିକୁ ବଢ଼ାଇ ପାରିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡିକୁ ଅବଗତ କରାଯାଇଛି।

Advertisment

ଜିଲ୍ଲାରେ ଖରିଫ୍‌ ଧାନକିଣା ପ୍ରକ୍ରିୟା ୨୦୨୪ ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ ୫୩ ହଜାର କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ ସରକାର। ତେବେ ଏହା ପର୍ଯ୍ୟାପ୍ତ ହେବନି ବୋଲି ଜାଣିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଏହାର ପରିମାଣ ବଢ଼ାଇ ସମୁଦାୟ ୧୪ ଲକ୍ଷ ୧୭ ହଜାର କ୍ବିଣ୍ଟାଲ୍‌ କିଣିବାକୁ ଅନୁମତି ମିଳିଛି। ୯୪ଟି ପାକ୍ସ ଓ ୪ଟି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଧାନକିଣା ଚାଲିଛି। ଆଜି ସୁଦ୍ଧା ୧୨ ଲକ୍ଷ ୧୫ ହଜାର ୨୬୧ କ୍ବିଣ୍ଟାଲ୍‌ ଧାନକିଣା ସରିଛି। ଯୋଗାଣ ବିଭାଗର ସୂଚନା ମୁତାବକ ଜିଲ୍ଲାରେ ୩୯,୬୬୩ ଜଣ ଚାଷୀ ଧାନ ବିକି ସାରିଲେଣି। ଏଥିପାଇଁ ପ୍ରାୟ ୪୬ ହଜାର ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ଆହୁରି ୬ ହଜାର ଚାଷୀ ଧାନ ବିକ୍ରି ଅପେକ୍ଷାରେ ରହିଛନ୍ତି। ଖରିଫ୍‌ ଧାନଖର୍ଦ୍ଦି ପ୍ରକ୍ରିୟା ଆଉ ଦୁଇ ସପ୍ତାହ ଭିତରେ ଶେଷ ହେବ। ଯୋଗାଣ ଅଧିକାରୀ ସ୍ମିତା ନାୟକ କହିଛନ୍ତି, ଜିଲ୍ଲାରେ ଧାନକିଣା ସୁରୁଖୁରୁରେ ଚାଲିଛି। କୌଣସି ମଣ୍ଡିରୁ କିଛି ବଡ଼ଧରଣର ସମସ୍ୟା ସାମନାକୁ ଆସିନି। ଜିଲ୍ଲାରୁ ୧୪ ଲକ୍ଷ ୧୭ ହଜାର କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ତେବେ ଯେଉଁ ହାରରେ ଧାନକିଣା ଚାଲିଛି ତାହା ଆଉ ଅଳ୍ପ ଦିନରେ ଶେଷ ହୋଇଯିବ। 

ଏପଟେ କିଛି ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହୋଇଯିବା ନେଇ ଆଶଙ୍କା ଥିବାରୁ ପ୍ରଶାସନ ନୂଆ ତରିକା ଗ୍ରହଣ କରିଛି। ଯେଉଁ ଚାଷୀମାନେ ଟୋକନ୍‌ ପାଇ ମଧ୍ୟ କୌଣସି କାରଣରୁ ଧାନ ବିକ୍ରି କରି ପାରିନ‌ାହାନ୍ତି ସେମାନଙ୍କ ଟୋକନ୍‌ ଅବଧିକୁ ବୃଦ୍ଧି କରାଯାଇ ପାରିବ। ଟୋକନ୍‌ ଅବଧି ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଚାଷୀ ଏ ସଂପର୍କରେ ମଣ୍ଡିର ନୋଡାଲ୍‌ ଅଧିକାରୀଙ୍କୁ ଜଣାଇବେ। ପରେ ଏହା ଡିଆର୍‌ସିଏସ୍‌ଙ୍କ ପାଖକୁ ଯିବ। ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଏହି ଟୋକନ୍‌ ଅବଧିକୁ ଆଉ କିଛି ଦିନ ପାଇଁ ବୃଦ୍ଧି କରାଯାଇପାରିବ। ଏହା ଭିତରେ କିଛି ଚାଷୀଙ୍କର ଟୋକନ୍‌ ଅବଧି ବୃଦ୍ଧି କରାଯାଇଛି। ଯେଉଁମାନଙ୍କର ବି କିଛି ସମସ୍ୟା ରହିଛି ସେମାନେ ମଧ୍ୟ ଆବେଦନ କରିପାରିବେ। ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ପକ୍ଷରୁ ସବୁ ମଣ୍ଡି ନୋଡାଲ୍‌ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯାଇଛି।