ଏଟିଏମ୍‌ରୁ ୪୦ ହଜାର ଲୁଟ୍‌, ଖାତାକୁ ଫେରିଲା ଟଙ୍କା

କାଳିଆପାଣି : କାଳିଆପାଣି ଆକ୍ସିସ୍ ବ୍ୟାଙ୍କ ଏଟିଏମ୍‌ରେ ଗତ ୧୫ ତାରିଖ ବାଲାନ୍ସ ଷ୍ଟେଟମେଣ୍ଟ୍‌ ଚେକ୍‌ କରି ଘରେ ପହଞ୍ଚିବାର କିଛି କ୍ଷଣ ପରେ ଗିରିଙ୍ଗାମାଳି ଗାଁର ଠିକା ଖଣି ଶ୍ରମିକ ନଳିନୀକାନ୍ତ ମହାନ୍ତଙ୍କ ଆକାଉଣ୍ଟ୍‌ରୁ ୪ ଥରରେ ୪୦ ହଜାର ଟଙ୍କା ଉଠାଣ ହୋଇଥିବ‌ା ମେସେଜ୍ ଆସିଥିଲା। ପାଖରେ ଏଟିଏମ୍‌ କାର୍ଡ ଥାଇ ଓଟିପି ନଦେଇ ତାଙ୍କ ଜମାଖାତାରୁ ଟଙ୍କା ଉଠାଣ ନେଇ ଜମାକାରୀ ଶ୍ରୀ ମହାନ୍ତ ବିଚଳିତ ହୋଇ ପଡ଼ିଥିଲେ। ସ୍ଥାନୀୟ ଏସ୍‌ବିଆଇ କଲରଙ୍ଗିଅତ୍ତା ଶାଖା ପ୍ରବନ୍ଧକ କୈଳାସ ଚନ୍ଦ୍ର ନାୟକଙ୍କୁ ଭେଟି ଅଭିଯୋଗ କରିଥିଲେ।

ପଶ୍ଚିମବଙ୍ଗ ବେଲୁରଘାଟ ଏଟିଏମ୍‌ରୁ ଟଙ୍କା ଉଠାଣ ହୋଇଥିବା ସୂଚନା ମିଳିଥିଲା। ବିଏମ୍‌ଙ୍କ ପରାମର୍ଶରେ ଶ୍ରୀ ମହାନ୍ତ କାଳିଆପାଣି ଥାନାରେ ଏତଲା ଦେଇଥିଲେ। ଦଫା ୪୨୦ ର ବିଭିନ୍ନ ଧାରାରେ ପୁଲିସ ଏକ ମାମଲା ୬/୨୨ ରୁଜୁ କରିଥିଲା। ଏହାକୁ ଭିତ୍ତିକରି ଶାଖା ପ୍ରବନ୍ଧକ ଶ୍ରୀ ନାୟକ ବ୍ୟାଙ୍କ ଏସ୍‌ଓପି ଆଧାର‌ରେ ସିଏମ୍ଏସ୍‌ରେ ସୂଚନା ଦେଇଥିଲେ। ଏହାକୁ ନେଇ ବିଏମ୍‌ ଶ୍ରୀ ନାୟକ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗସୂତ୍ର ରଖୁଥିଲେ। ଫଳରେ ଜମାକାରୀ ସଂପୂର୍ଣ୍ଣ ଅର୍ଥରାଶି ଫେରି ପାଇଥିଲେ। ଆଜି ଜମାକାରୀ ଶ୍ରୀ ମହାନ୍ତଙ୍କୁ ଏ ସଂପର୍କିତ ଚିଠି ପ୍ରଦାନ ସମୟରେ ବିଏମ୍‌ ଶ୍ରୀ ନାୟକଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର