୪୦ଲକ୍ଷର ଗଞ୍ଜେଇ ଚାଲାଣ ମାମଲା: ୪ ଜଣଙ୍କୁ ରିମାଣ୍ଡରେ ନେଲା ପୁଲିସ

ଜୟପୁର: ଆଜିଠୁ ଦୁଇ ଦିନ ପାଇଁ ଜବାକନାଡି ନିକଟରେ ହୋଇଥିବା ୪୦ଲକ୍ଷ ଟଙ୍କାର ଗଂଜେଇ ଚାଲାଣକାରୀଙ୍କୁ ରିମାଣ୍ଡରେ ଆଣିଛି ଜୟପୁର ସଦର ପୁଲିସ। ଏହି ରିମାଣ୍ଡ କାଳରେ ରାଜ୍ୟ ବାହାରୁ ଧରା ପଡିଥିବା ଗଞ୍ଜେଇ ଚାଲାଣକାରୀଙ୍କ ଠାରୁ ବହୁ ତଥ୍ୟ ମିଳିବା ଆଶା କରାଯାଉଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିଥିବା ଜଣାପଡିଛି। ଏମାନେ ହେଲେ ରାଜେନ୍ଦ୍ର କୁମାରଙ୍କ ପୁଅ ଅଜିତ କୁମାର (୨୬), ଫୁଲଚାନ୍ଦଙ୍କ ପୁଅ ଧରମ ବୀର (୩୦), ହରିୟାଣାର ସୋନପଥ ଜିଲ୍ଲା ଗାନଔର ଥାନା ଅନ୍ତର୍ଗତ ମମନଙ୍କ ପୁଅ ହରିଓମ (୨୮) ଓ ହିସାର ଥାନା ଅନ୍ତର୍ଗତ ନିୟାନ ଗାଁର କରମ ବୀରଙ୍କ ପୁଅ ଶ୍ରବଣ (୩୨)।

ତେବେ କୋରାପୁଟରୁ ହରିୟାଣାକୁ ଏହି ଗଂଜେଇ ଚାଲାଣ ହେଉଥିବାରୁ ଲକଡାଉନ ସମୟରେ କିପରି ଏମାନେ କୋରାପୁଟ ଜିଲ୍ଲାକୁ ଆସିଲେ ଓ ତାଙ୍କୁ ଏହି ସମୟରେ କିଏ କିଏ ସହଯୋଗ କରିଛନ୍ତି ତାହାର ଖୋଳତାଢ କରୁଛି ପୁଲିସ। ଗଞ୍ଜେଇ ଚାଲାଣ ପ୍ରତି କଠୋର ହୋଇଛି ଜୟପୁର ଉପଖଣ୍ଡ ପୁଲିସ। ଲଗାତାର ଭାବେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରି କୋର୍ଟ ଚାଲାଣ କରିଥିବାବେଳେ ଦୁଇ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିସାରିଥିବାବେଳେ ୨୦ର ଅଧିକ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ।

ତେବେ ଶୁକ୍ରବାର ସକାଳ ୧୦ଟାରେ ଏକ ଆଇଚର ବାହନରେ ଚୋରା ଚାଲାଣ ହେଉଥିଲା ୭୬ଟି ବସ୍ତା ପ୍ରାୟ ୭୪୦.୯୦୦କିଲୋ ଗଞ୍ଜେଇ। ପୂର୍ବରୁ ସୂଚନା ପାଇ ଜବାକନାଡି ନିକଟରେ ଜୟପୁର ସଦରଥାନା ଓଆଇସି ଆଦିତ୍ୟ ମହାକୁର, ସବଇନିସପେକ୍ଟର ନବୀନ କୁମାର ଟପ୍ପୋ, ଏଏସଆଇ ଏସକେ ସରକାର ପ୍ରମୁଖ ଉପସ୍ଥିତ ରହିଥିଲେ। ବୈପାରୀଗୁଡା ପଟରୁ ଜୟପୁର ଆଡକୁ ଆସୁଥିବା ଏଇଚର ଟ୍ରକ(ଏଚଆର-୬୯ଡି-୬୮୩୨)କୁ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଟକାଇ ଯାଞ୍ଚ କରାଯାଇଥିଲା। ଏଥିରେ ଜରି ପ୍ୟାକେଟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। ଏହି ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋବାଇଲ୍‌ ଫୋନ, ୨୨୯୦ଟଙ୍କା ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର