କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ଵାରା ପରିଚାଳିତ ୨୦୧୮ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ ସାମଗ୍ରିକ ପାସ୍ ହାର ୪୧.୧୫ ପ୍ରତିଶତ ରହିଛି। ରେଗୁଲାରରେ ୪୨.୦୯ ପ୍ରତିଶତ, ଏକ୍ସରେଗୁଲାରରେ ୩୧.୧୭ ପ୍ରତିଶତ, ପତ୍ରବିନିମୟ ରେଗୁଲାରରେ ୪୪.୦୩ ପ୍ରତିଶତ ଓ ପତ୍ରବିନିମୟ ଏକ୍ସରେଗୁଲାରରେ ୩୪.୫୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତବର୍ଷର ପାସ୍ ହାର୍ ଗତବର୍ଷ ତୁଳନାରେ ୭ ପ୍ରତିଶତ କମ୍ ରହିଛି। ୨୦୧୭ରେ ସପ୍ଲିମେଣ୍ଟାରି ସାମଗ୍ରିକ ପାସ୍ ହାର୍ ୪୮.୬୬ ପ୍ରତିଶତ ରହିଥିଲା।
ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୨୬ ହଜାର ୬୬୮ଜଣ ପ୍ରାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୨୫ ହଜାର ୧୯୮ଜଣ ପରୀକ୍ଷା ଦେଇଥିଲେ। ୧୪୭୦ ଜଣ ପ୍ରାର୍ଥୀ ସମସ୍ତ ବିଷୟରେ ଅନୁପସ୍ଥିତ ରହିଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ପରୀକ୍ଷାଫଳ ସ୍ଥଗିତ ରହିଥିବା ବେଳେ ୮୨ଜଣ ମାଲପ୍ରାକ୍ଟିସ୍ ହୋଇଛନ୍ତି। ପରୀକ୍ଷାରେ ପାସ୍ କରିଥିବା ୧୦ ହଜାର ୩୩୩ ଜଣଙ୍କ ମଧ୍ୟରୁ ଏ-୨ରେ ୨ଜଣ, ବି-୧ରେ ୨୨ଜଣ, ବି-୨ରେ ୧୦୬ଜଣ, ସି-ରେ ୮୪୩ଜଣ, ଡି-ରେ ୨୩୭୪ଜଣ ଓ ଇ-ରେ ୫୦୧୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୧୯୭୪ଜଣ କମ୍ପାର୍ଟମେଣ୍ଟାଲ୍ରେ ପାସ୍ କରିଛନ୍ତି। ସପ୍ଲିମେଣ୍ଟାରିରେ ୫ ହଜାର ୨୧୮ଜଣ ଛାତ୍ର ଓ ୫ ହଜାର ୧୧୫ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ସପ୍ଲିମେଣ୍ଟାରି ପରୀକ୍ଷାରେ ୧୯୪ଜଣ ଆସନ୍ତା ୨୦୧୯ ମାଟ୍ରିକ୍ରେ କମ୍ପାର୍ଟମେଣ୍ଟାଲ୍ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ସପ୍ଲିମେଣ୍ଟାରି ପରୀକ୍ଷାଫଳ ବୋର୍ଡର େଓ୍ଵବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ହେଉଛି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍, ଅରିଜିନାଲ ପାସ୍ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍ ସମେତ ଫେଲ୍ ପିଲାଙ୍କ ନମ୍ବର ତାଲିକା ଆସନ୍ତା ୨୯ତାରିଖ ମଧ୍ୟରେ ବୋର୍ଡର ୬ଟି ଯାକ ଜୋନ୍ରେ ପହଞ୍ଚିଯିବ। ସେଠାରୁ ସ୍କୁଲ କର୍ତ୍ତୃପକ୍ଷ ନିଜ ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିବେ। ସପ୍ଲିମେଣ୍ଟାରି ପରୀକ୍ଷାର ମାର୍କ ରିଚେକିଂ ଓ ରିଆଡିସନ ପାଇଁ ଆବେଦନ ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ଅଫ୍ଲାଇନରେ ଅଗଷ୍ଟ ୭ତାରିଖ ମଧ୍ୟରେ ଆବେଦନ କରି ପାରିବେ ବୋଲି ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି।
ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁନ୍ ୨୨ରୁ ଆରମ୍ଭ ହେଇ ଜୁନ୍ ୨୯ରେ ଶେଷ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଗୋଟିଏ ମାସ ମଧ୍ୟରେ ଫଳ ପ୍ରକାଶ କରାଯାଇଛି। ସପ୍ଲିମେଣ୍ଟାରି ପରୀକ୍ଷାଫଳ ସହିତ ବାର୍ଷିକ ମାଟ୍ରିକ ପରୀକ୍ଷା-୨୦୧୮ର ରିଚେକିଂ ଓ ରିଆଡିସନ ଫଳ ମଧ୍ୟ ଆଜି ପ୍ରକାଶ କରାଯାଇଛି। ଏହା ମଧ୍ୟ ବୋର୍ଡ େଓ୍ଵବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ମାଟ୍ରିକ ବାର୍ଷିକ ପରୀକ୍ଷାରେ ରିଚେକିଂ ଓ ରିଆଡିସନ ପାଇଁ ୯୯୭୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ମୋଟ ୨୮ ହଜାର ୭୪୧ଟି ବିଷୟ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା। ଏଥି ମଧ୍ୟରୁ ୮୨୩ ଜଣ ଛାତ୍ରଛାତ୍ରୀଙ୍କ ନମ୍ବର ବଢ଼ିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ଲିମେଣ୍ଟାରି ସମେତ ବାର୍ଷିକ ମାଟ୍ରିକ ରିଚେକିଂ ଓ ରିଆଡିସନ ଫଳ ପ୍ରକାଶ ସମୟରେ ବୋର୍ଡ ସମ୍ମିଳନୀ କକ୍ଷରେ ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍ଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ସଂପାଦକ ରାମାଶିଷ ହାଜ୍ରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/board.jpg)