ବଲାଙ୍ଗୀର: ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଇଁ ସାରା ରାଜ୍ୟରେ କଡ଼ା ଯାଞ୍ଚ ଚାଲିଥିଲା। ଶୁକ୍ରବାର ସପ୍ତାହ ସରିଥିବା ବେଳେ ପରିବହନ କର୍ତ୍ତୃପକ୍ଷ ଓ ପୁଲିସ ଗୋଡ଼ାଇ ଗୋଡ଼ାଇ ଅମାନିଆଁଙ୍କୁ ଧରିଥିଲେ। ଜରିମାନା ବି ପ୍ରବଳ କାଟିଥିଲେ। ମୋଟ ଏହି ସପ୍ତାହରେ ୪୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ତଥାପି ବଲାଙ୍ଗୀର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା କମିବାର ନାଁ ଧରୁନି। ଏହି ସପ୍ତାହରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣା କମାଇବାରେ ମୁଖ୍ୟ ଭୂମିକା ନେଉଥିବା ସଡ଼କ ସୁରକ୍ଷା ଜନିତ ସଚେତନତା ଅଭିଯାନ ସେତଟା ବଲାଙ୍ଗୀରରେ କାମ କରୁନି।

Advertisment

ସୂଚନା ଅନୁସାରେ, ବଲାଙ୍ଗୀର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡ଼ା କଡ଼ି ଭାବେ ଏପ୍ରିଲ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରାଯାଇଥିଲା। ପରିବହନ ବିଭାଗ ଅଧିକାରୀ ଆର୍‌ଟିଓ ରାଜେଶ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଆସିଷ୍ଟାଣ୍ଟ ଏମ୍‌ଭିଆଇ କାହ୍ନୁ ଚରଣ ବାନାରା, ଟ୍ରାଫିକ ଇନ୍ସପେକ୍ଟର ଯଶୋବନ୍ତ ସିନାଙ୍କ ନେତୃତ୍ୱରେ ଯାଞ୍ଚ କରାଯାଉଥିଲା। ଜିଲ୍ଲାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ସାତ ଦିନରେ ୪୧ ଲକ୍ଷରୁ ଅଧିକ ଚାଲାନ୍ କଟିଛି। ସେହିପରି ୩ ଲକ୍ଷରୁ ଅଧିକ ଟଙ୍କା ଜରିମାନା ନଗଦ ଆଦାୟ କରାଯାଇଛି। ବିନା ହେଲମେଟ ପିନ୍ଧି ୬୧ଜଣ, ଦ୍ରୁତଗତିରେ ଚଳାଉଥିବାରୁ ୫୬ ଜଣ, ମଦପିଇ ଗାଡ଼ି ଚଳାଉଥିବାରୁ ୯ ଜଣ ଓ ଶେଷ ଦୁଇ ଦିନରେ ୧୬୬ ଜଣଙ୍କ ଚାଲାନ୍‌ କଟିଛି। ଚାଲାନ୍‌ ଯେଉଁ ପରିମାଣରେ କଟିଛି, ସେହିଭଳି ସଚେତନତା କରାଯାଉ ନାହିଁ ବୋଲି ଆଲୋଚନା ହେଉଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଚେତନତା ପାଇଁ କଣ ସବୁ ପଦକ୍ଷେପ ନିଆଯିବ, ସେଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ରହିଛି। ପୋଷ୍ଟରରୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପରିବହନ ବିଭାଗ ସଚେତନତା କରିବାକୁ ନେବା କଥା। ହେଲେ ସଚେତନତା ସେତଟା ହେଉନଥିବା ବେଳେ ପରିବହନ ବିଭାଗ କେବଳ ବଲାଙ୍ଗୀରରେ ଚାଲାନ୍‌ କାଟିବାରେ ବ୍ୟସ୍ତ ବୋଲି ଲୋକ କହୁଛନ୍ତି। ଏଣୁ ସଚେତନତା ପାଇଁ ବି ବିଭାଗ ତତ୍ପର ହେବା ଆବଶ୍ୟକ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।