ପୁରୀ : ଶ୍ରୀମନ୍ଦିରରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି। ବର୍ଷା ହେଲେ ପାଣି ଗଳୁଛି। ଅନେକ ଜାଗାରୁ ପଥର ବି ଫାଟି ଗଳି ପଡ଼ିଲାଣି। ତଥାପି ନିଦରେ ଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଏବେ ଯେତେବେଳେ ଶ୍ରୀମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ ନେଇ ବାର୍ଷିକ ବୈଠକ ବସିଲା, ସେତେବେଳେ ଏହାର ମରାମତି ପାଇଁ ତତ୍ପର ହୋଇଉଠିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବା ସହ ମରାମତି ପାଇଁ ପଥର ମିଳୁନଥିବା ଅସହାୟତା ପ୍ରକାଶ କରି ଆବଶ୍ୟକ ୪୧ କ୍ୟୁବିକ୍ ମିଟର ଖୋଣ୍ଡେଲାଇଟ୍ ପଥର ଯୋଗାଇ ଦେବାକୁ ନିବେଦନ କରିଛି। ସେପଟେ ହେରିଟେଜ୍ କାମରେ ଲାଗୁଥିବା ଏହି ପଥର କେବଳ ଖୋର୍ଦ୍ଧାର ନରଣଗଡ଼ରେ ମିଳୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ପଥର ଯୋଗାଣ ନେଇ ଓଡ଼ିଶା ଖଣି ନିଗମ(ଓଏମ୍ସି)କୁ ଏ ସମ୍ପର୍କରେ ଖୁବଶୀଘ୍ର ଚିଠି ଲେଖିବାକୁ ଯାଉଛି।
ପ୍ରତିବର୍ଷ ରଥଯାତ୍ରାରେ ଶ୍ରୀମନ୍ଦିରର ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରଯାଇଥାଏ। ଗତ ୩ ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ମରାମତି ନେଇ ବିସ୍ତୃତ ଆଲୋଚନା ପରେ ଗତ ୪ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି ଲେଖିଛି। ଯେଉଁଥିରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ, ମହାଲକ୍ଷ୍ମୀ ମନ୍ଦିର, ମା’ ବିମଳା ମନ୍ଦିର, କୋଇଲି ବୈକୁଣ୍ଠ, ମେଘନାଦ ପାଚେରି ଆଦିର ମରାମତି ପାଇଁ ୪୧ କ୍ୟୁବିକ୍ ମିଟର ଖୋଣ୍ଡେଲାଇଟ୍ ପଥର ଆବଶ୍ୟକ ବୋଲି ଉଲ୍ଲେଖ କରିଛି। ଭିନ୍ନ ଭିନ୍ନ ଜାଗା ପାଇଁ ଭିନ୍ନ ଭିନ୍ନ ସାଇଜ୍ର ପଥର ଯୋଗାଇ ଦେବାକୁ କୁହାଯାଇଛି। ଖୋଣ୍ଡେଲାଇଟ୍ ପଥର ମିଳୁନଥିବାରୁ ଶ୍ରୀମନ୍ଦିର ପ୍ରଶାସନକୁ ଆବଶ୍ୟକ ପଥର ଯୋଗାଇଦେବାକୁ କହିଛି। କିନ୍ତୁ ଓଡ଼ିଶାରେ ଅନ୍ୟ କୌଣସି ସ୍ଥାନରେ ଏହି ଖୋଣ୍ଡେଲାଇଟ୍ ପଥର ଉପଲବ୍ଧ ନାହିଁ। ମହାପ୍ରଭୁଙ୍କ ନାମରେ ଅନେକ ପଥର ଖଣି ରହିଥିଲେ ବି ସେଠାରେ ଏହି ପଥର ନାହିଁ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ନରଣଗଡ଼ରୁ ଏହି ପଥର ଆଣିବାକୁ ମନସ୍ଥ କରିଛି। କିନ୍ତୁ ନରଣଗଡ଼ ଖୋଣ୍ଡେଲାଇଟ୍ ପଥର ମୁଣ୍ଡିଆ ଓଡ଼ିଶା ଖଣି ନିଗମ ଅଧୀନରେ ଥିବାରୁ ଏଥିପାଇଁ ନିଗମର ଅନୁମତି ଆବଶ୍ୟକ। ଏ ବାବଦରେ ଆବଶ୍ୟକ ଅନୁମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓଡ଼ିଶା ଖଣି ନିଗମକୁ ଚିଠି ଲେଖିବାକୁ ଯାଉଛି। ସେପଟେ ପଥର ଆଣିବା ବେଳେ ଏହାର ମାନ ଓ ସାଇଜ୍ ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କ ଉପସ୍ଥିତି ଆବଶ୍ୟକ ରହିଥିବାରୁ ଏ ଉପରେ ପ୍ରତ୍ନତତ୍ତ୍ବ ବିଭାଗକୁ ବି ଏକ ଚିଠି କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୨ ତାରିଖରୁ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ମିଳିତ ସହଯୋଗରେ ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଏକ ଅଣୁ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ମା’ ବିମଳା, ମହାଲକ୍ଷ୍ମୀ ମନ୍ଦିର ଓ ଅନ୍ୟାନ୍ୟ ପାର୍ଶ୍ବ ଦେବାବେଦୀ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଏକ ବ୍ୟାପକ ପଞ୍ଚବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ହୋଇଛି।