ପୁରୀ ଜିଲ୍ଲାରେ ତିଆରି ହେବ ୪୧ କିମି ଲୁଣାବନ୍ଧ

ଖର୍ଚ୍ଚ ହେବ ୧୩୨.୪୧ କୋଟି, ବାତ୍ୟାକୁ ପ୍ରତିହତ କରିବ, ରକ୍ଷା ପାଇବ ୧୩ହଜାର ଚାଷ ଜମି

ପୁରୀ : ପୁରୀ ଜିଲ୍ଲାରେ ତିଆରି ହେବ ବିସ୍ତୃତ ଲୁଣାବନ୍ଧ। ଜିଲ୍ଲାର କାକଟପୁର ନିର୍ବାଚନମଣ୍ଡଳୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ତିଆରି ହେବ ୪୧.୮୪ କିଲୋମିଟରର ଏହି ସୁଦୃଢ଼ ପ୍ରାଚୀର। ଏଥିପାଇଁ ପ୍ରସ୍ତୁତ ହୋଇଛି ୧୩୧.୪୧ କୋଟିର ମାଷ୍ଟରପ୍ଲାନ୍‌। ଫଳରେ କେବଳ ଜନଜୀବନ ରକ୍ଷା ପାଇବନି, ୧୩ହଜାରରୁ ଅଧିକ ଚାଷ ଜମି ବି ଲୁଣା ପାଣି ମାଡ଼ିବାରୁ ରକ୍ଷା ପାଇବ। ଏହି ପ୍ରାଚୀର ବାତ୍ୟାକୁ ପ୍ରତିହତ କରିବାର କ୍ଷମତା ରଖିବ। ବାତ୍ୟାପ୍ରବଣ ପୁରୀ ଜିଲ୍ଲାରେ ୨୫୦ କିମି ବେଗର ପବନକୁ ବି ଅଟକାଇ ପାରିବାର କ୍ଷମତା ରଖିବ। କ୍ୟାବିନେଟ୍‌ରେ ଏହାକୁ ମଞ୍ଜୁରି ମିଳିଥିବା ଆଜି ଏକ ସ‌ାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ସୂଚନା ଦିଆଯାଇଇଛି। ବହୁ ପ୍ରତୀକ୍ଷିତ ଏହି ମେଗା ପ୍ରକଳ୍ପକୁ କ୍ୟାବିନେଟ୍‌ରେ ମଞ୍ଜୁରି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାର ମନ୍ତ୍ରୀ, ରାଜନେତାମାନେ କୃତଜ୍ଞତା ଜଣାଇଛନ୍ତି।

ହୋଟେଲ ହଲିଡେ ରିସର୍ଟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪ଟି ଜିଲ୍ଲା ପୁରୀ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ପାଇଁ ଏହି ଲୁଣାବନ୍ଧ ଯୋଜନାକୁ କ୍ୟାବିନେଟ୍‌ରେ ଅନୁମୋଦନ କରିଛନ୍ତି। ୪ ଜିଲ୍ଲାର ୨ଶହ କିମି ପରିବ୍ୟାପ୍ତ ଅଞ୍ଚଳରେ ୩୬ଟି ଲୁଣାବନ୍ଧର ମରାମତି ଓ ସୁଦୃଢ଼ୀକରଣ ପାଇଁ ଏହି ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ୭୬୩ କୋଟି ୪୮ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏହି ଲୁଣାବନ୍ଧ ୪ ଜିଲ୍ଲାର ୧୩୬ଟି ଗାଁର ୨୧ହଜାର ୬୯୦ ହେକ୍ଟର ଜମିରେ ଲୁଣି ପାଣି ମାଡ଼ିବାରୁ ରକ୍ଷା କରିବ।

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ, ରାଜନେତା

ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି, ଏହି ସୁଦୀର୍ଘ ଓ ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ନିର୍ମାଣ ଫଳରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ୍‌, କାକଟପୁର ନିର୍ବାଚନମଣ୍ଡଳୀର କାକଟପୁର ଓ ଅସ୍ତରଙ୍ଗ ବ୍ଲକ୍‌ ପ୍ରମୁଖ ଭାବେ ସମୁଦ୍ରିକ ଜୁଆରରୁ ସୁରକ୍ଷିତ ରହିବ। ଏଥିପାଇଁ ଜିଲ୍ଲାରେ ୩୬ଟି ଲୁଣାବନ୍ଧ ଜିଲ୍ଲାରେ ତିଆରି ହେବ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଭଗବାନପୁର, ମୋଟ, ହାସିନିପୁର, ବାଲିହରଚଣ୍ଡୀ, ନଡ଼ିଆଖିଆରେ ଲୁଣାବନ୍ଧ ତିଆରି ହେବ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଅରଖକୁଦା, ସାତପଡ଼ା ସହ ଆଖପାଖ ୧୯ଟି ଗାଁ ବାତ୍ୟା ଓ ଲୁଣି ପାଣିରୁ ରକ୍ଷା ପାଇପାରିବ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ୭୮.୦୧ କୋଟି ଟଙ୍କା ବ୍ୟୟରେ ୨୮ କିମିର ଲୁଣାବନ୍ଧ ତିଆରି ହେବ। ଯଦ୍ବାରା ୧୮ହଜାର ଲୋକ ସିଧାସଳଖ ଉପକୃତ ହୋଇପାରିବେ। ୧୩ଶହ ହେକ୍ଟର ଚାଷ ଜମି ଲୁଣା ପାଣି ମାଡ଼ିବାରୁ ରକ୍ଷା ପାଇବ।

ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, କାକଟପୁର ନିର୍ବାଚନମଣ୍ଡଳୀରେ ଏହି ଯୋଜନାରେ ୫୪.୦୧ କୋଟି ଟଙ୍କା ବ୍ୟୟରେ ୧୩.୨୯ କିମିର ଲୁଣା ବନ୍ଧ ତିଆରି ହେବ। ଫଳରେ ନିର୍ବାଚନମଣ୍ଡୀର ୧୯ଟି ଗାଁର ୨୧ହଜାର ୨୫୦ ଲୋକ ଏଥିରୁ ସିଧାସଳଖ ଉପକୃତ ହୋଇପାରିବେ। ୧୨ହଜାର ୫୦ ହେକ୍ଟର ଚାଷ ଜମି ଲୁଣି ପାଣି ମାଡ଼ିବାରୁ ରକ୍ଷା ପାଇବ। ଫଳରେ ଚାଷବାସ ଭଲ ହେବ ବୋଲି ଶ୍ରୀ ବେହେରା କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି, ଏହି ଯୋଜନା ଉଭୟ ନିମାପଡ଼ା ଜଳସମ୍ପଦ ବିଭାଜନ ଓ ପୁରୀ ଜଳସମ୍ପଦ ବିଭାଜନ ପାଇଁ ଏକ ମହତ ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଛି। ପୂର୍ବରୁ ଲୁଣା ନଈ ପାଇଁ ଲୋକେ ବର୍ଷ ବର୍ଷ ଧରି ଯେଉଁ ଦହଗଞ୍ଜ ହେଉଥିଲେ, ସେଥିରୁ ନିସ୍ତାର ପାଇବେ। ଏହି ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷରେ ଆରମ୍ଭ ହୋଇ ୨୦୨୪-୨୫ ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକଙ୍କ ସମେତ ବରିଷ୍ଠ ବିଜେଡି ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର