ଗଞ୍ଜେଇ କିଙ୍ଗପିନ୍ ଆନନ୍ଦ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଅଚଳ, ୩ଟି ଆକାଉଣ୍ଟରୁ ଜବତ ହେଲା ୪୧ ଲକ୍ଷ

୩ ବ୍ୟାଙ୍କରେ ହୋଇଛି କୋଟି କୋଟି ଟଙ୍କାର ଦେଣନେଣ

ରାୟଗଡ଼ା: ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଅଚଳ କରିଛି ପୁଲିସ୍। ଭାରତ ସରକାରଙ୍କ ଅର୍ଥ ବିଭାଗର ସୁପାରିଶକ୍ରମେ ଅଚଳ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ପୁଲିସ୍ ୪୦ ଲକ୍ଷ ୩୮ ହଜାର ୭୧୮ ଟଙ୍କା ଜବତ କରିଛି। ଗିରଫ ସମୟରେ ପୁଲିସ୍ ଆନନ୍ଦ ନିକଟରୁ ନଗଦ ୩୧ ଲକ୍ଷ ଟଙ୍କା ଜବତ କରିଥିଲା। ଦୁଇଟି ପର୍ଯ୍ୟାୟରେ ମୋଟ ୭୧ ଲକ୍ଷ ୩୮ ହଜାର ୭୧୮ ଟଙ୍କା ଜବତ ହୋଇଛି।

ପୁଲିସ୍ ସୂଚନା ମୁତାବକ, ବଲାଙ୍ଗୀର ଏଚଡିଏଫସି ବ୍ୟାଙ୍କରେ ଆନନ୍ଦଙ୍କ ନାମରେ ଥିବା ଆକାଉଣ୍ଟରେ ୨୦୨୧ ଏପ୍ରିଲ୍ ୨୩ରୁ ଅଗଷ୍ଟ ୧୯ ମଧ୍ୟରେ ୪୬ ଲକ୍ଷ ୭୮ ହଜାର ୨୫୦ ଟଙ୍କାର କାରବାର ହୋଇଛି। ଏହି ସମୟ ମଧ୍ୟରେ ଆନନ୍ଦ ୨୩ ଲକ୍ଷ ୬୨ ହଜାର ୫୨୦ ଟଙ୍କା ଉଠାଣ କରିଥିବା ବେଳେ ବଳକା ୨୩ ଲକ୍ଷ ୧୫ ହଜାର ୭୩୦ ଟଙ୍କା ପୁଲିସ୍ ଜବତ କରିଛି। ଏଚଡିଏଫସିର ବଲାଙ୍ଗୀର ଶାଖାରେ ଥିବା ଆନନ୍ଦଙ୍କ ଦ୍ବିତୀୟ ଆକାଉଣ୍ଟରେ ୨୦୨୧ ଫେବ୍ରୁଆରି ୧୯ରୁ ସେପ୍ଟେମ୍ବର ୧ ମଧ୍ୟରେ ୫୨ ଲକ୍ଷ ୫୨ ହଜାର ୯୩୦ ଟଙ୍କା ଜମା ହୋଇଛି। ଏହି ସମୟ ମଧ୍ୟରେ ଉକ୍ତ ଆକାଉଣ୍ଟରୁ ୩୫ ଲକ୍ଷ ୮୦ ହଜାର ୮୯୪ ଟଙ୍କା ଉଠାଣ ହୋଇଛି। ବଳକା ଥିବା ୧୭ ଲକ୍ଷ ୨୧ ହଜାର ୩୫ ଟଙ୍କାକୁ ପୁଲିସ୍ ଜବତ କରିଛି।

ସେହିପରି ବିଷମକଟକ ‌ଷ୍ଟେଟ୍ ବ୍ୟାଙ୍କରେ ଆନନ୍ଦଙ୍କ ନାମରେ ଥିବା ଆକାଉଣ୍ଟରେ ୨୦୧୬ ଜାନୁଆରିରୁ ୨୦୨୨ ଜାନୁଆରି ମଧ୍ୟରେ ୭୧ ଲକ୍ଷ ୯୪ ହଜାର ୫୭୩ ଟଙ୍କାର କାରବାର କରିଛନ୍ତି। କିନ୍ତୁ ଆକାଉଣ୍ଟ ଅଚଳ ପୂର୍ବରୁ ଆନନ୍ଦ ୬୯ ଲକ୍ଷ ୩୧ ହଜାର ୪୨୦ ଟଙ୍କା ଉଠାଇ ନେଇଥିବାରୁ ପୁଲିସ୍ ମାତ୍ର ୧୯୫୩ ଟଙ୍କା ଜବତ କରିଛି। ଏଚଡିଏଫସି ଓ ଷ୍ଟେଟ୍ ବ୍ୟାଙ୍କର ୩ଟି ଆକାଉଣ୍ଟ୍ ଜରିଆରେ କୋଟି କୋଟି ଟଙ୍କାର କାରବାର ଆନନ୍ଦ କରିଥିଲେ ମଧ୍ୟ ପୁଲିସ୍ ତଦନ୍ତ ସମୟରେ ଟଙ୍କା ଦେଣନେଣ ସଂପର୍କିତ କୌଣସି ସଠିକ୍ ଦେଇପାରିନି। ଏପରିକି କୋଟି କୋଟି ଟଙ୍କାର କାରବାର ସତ୍ତ୍ବେ ଆୟକର ବିଭାଗକୁ ଆନନ୍ଦ କୌଣସି ଟିକସ ଦେଇନଥିବା ପୁଲିସ୍ ତଦନ୍ତରୁ ଜଣା ପଡିଛି। ଫଳରେ ବେଆଇନ ଗଞ୍ଜେଇ କାରବାର ମାଧ୍ୟମ‌ରେ ଆନନ୍ଦ କଳା ଟଙ୍କା ରୋଜଗାର କରିଥିବା ଅଭିଯୋଗରେ ପୁଲିସ୍ ୩ଟି ଆକାଉଣ୍ଟରେ ଗଚ୍ଛିତ ଥିବା ୪୦ ଲକ୍ଷ ୩୮ ହଜାର ୭୧୮ ଟଙ୍କାକୁ ଜବତ କରିଛି ପୁଲିସ୍। ସେହିପରି ଆନନ୍ଦ ଗିରଫ ସମୟରେ ଜବତ ହୋଇଥିବା ନଗଦ ୩୧ ଲକ୍ଷକୁ ମିଶାଇ ଜବତ ହୋଇଥିବା ୭୧ ଲକ୍ଷ ଟଙ୍କା ପୁଲିସର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ବୋଲି ଜଣା ପଡିଛି। ବ୍ୟାଙ୍କ ଆକାଉଣ୍ଟକୁ ଛାଡ଼ିଲେ ଆନନ୍ଦଙ୍କ ମୋଟ ସଂପତ୍ତିର ଆକଳନ କରି ରିପୋର୍ଟ ଦେବାକୁ ସୋନପୁର ଜିଲ୍ଲାର ତରଭା ଓ ବଲାଙ୍ଗୀର ସଦର ତହସିଲଦାରଙ୍କୁ ରାୟଗଡ଼ା ପୁଲିସ୍ ଚିଠି କରିଥିଲା। ତରଭା ଓ ବଲାଙ୍ଗୀରରେ ଥିବା ଘର ସମେତ ଅନ୍ୟ ସ୍ଥାବର ସଂପତ୍ତି ଆନନ୍ଦଙ୍କ ପିତା ଓ ସଂପର୍କୀୟଙ୍କ ନାଁରେ ଥିବାରୁ ପୁଲିସ୍ ଜବତ କରିପାରିନି।

ସୂଚନା‌ଯୋଗ୍ୟ, ୨୦୨୧ ସେପ୍ଟେମ୍ବର ୧ ତାରିଖରେ ବିଷମକଟକ ଏସଡିପିଓ ଆକାଶ ସାହୁଙ୍କ ନେତୃତ୍ବରେ ଚନ୍ଦ୍ରପୁର ଥାନାର ହନୁମନ୍ତପୁରରୁ ପୁଲିସ୍ ଗଞ୍ଜେଇ କିଙ୍ଗପିନ୍ ଆନନ୍ଦ ମିଶ୍ରକୁ ଗିରଫ କରିଥିଲା। ଗିରଫ ସମୟରେ ଆନନ୍ଦ ଓ ସହଯୋଗୀ ରାମଚନ୍ଦ୍ର ପଣ୍ଡା ନିକଟରୁ ପୁଲିସ୍ ୩୦ କେଜି ଗଞ୍ଜେଇ ସହିତ ନଗଦ ୩୧ ଲକ୍ଷ ଟଙ୍କା ଜବତ କରିଥିଲା। ଗଞ୍ଜେଇ ‌ଚୋରା ଚାଲାଣ ଅଭିଯୋଗରେ ଆନନ୍ଦଙ୍କ ସମେତ ୫ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ପରେ ମାମଲାର ଗୁରୁତ୍ବ ଦୃଷ୍ଟିରୁ ତଦନ୍ତ ଦାୟିତ୍ବ ନେଇଥିଲେ ଏସଡିପିଓ ଶ୍ରୀ ସାହୁ। ଆନନ୍ଦଙ୍କ କଳା ସାମ୍ରାଜ୍ୟ ସଂପର୍କରେ ଖୋଳତାଡ଼ ପରେ ସମସ୍ତ ପ୍ରମାଣ ଯୋଗାଡ଼ କରି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବାକୁ ଏସଡିପିଓ ଶ୍ରୀ ସାହୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର କୋଲକାତାସ୍ଥିତ ପ୍ରଶାସକଙ୍କ କାର୍ଯ୍ୟାଳୟକୁ ସୁପାରିଶ କରିଥିଲେ। ଅର୍ଥ ବିଭାଗର ପ୍ରଶାସକ ତଥା ମୁଖ୍ୟ ଅଧିକାରୀ ଜେ. ଏମ୍. କେନେଡି ସୁପାରିଶକୁ ବିଚାରକୁ ନେଇ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବାକୁ ୨୦୨୨ ମାର୍ଚ୍ଚ ୭ ତାରିଖରେ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର