ଖୋର୍ଦ୍ଧା: ଗତ ଦୁଇ ଦିନ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଜୁଲାଇ ମାସ ପ୍ରଥମ ୧୫ ଦିନ ଚାଷକାମକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସାମୟିକ ଭାବେ ଦୂର ହୋଇଥିଲେ ମଧ୍ୟ ୧୫ ଦିନରେ ସ୍ବାଭାବିକ ଠାରୁ ୪୧ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।

Advertisment

ଭାରତୀୟ ପାଣିପାଗ କେନ୍ଦ୍ର ଠାରୁ ମିଳିଥିବା ସୂଚନାନୁସାରେ ଶନିବାର ଖୋର୍ଦ୍ଧାରେ ହାରହାରି ୧୨.୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ଅଟେ। କିନ୍ତୁ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଜିଲ୍ଲାରେ ହୋଇଥିବା ବର୍ଷାର ପରିମାଣ ସ୍ବାଭାବିକ ଠାରୁ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି। ସାଧାରଣତଃ ଜୁଲାଇ ମାସରେ ସ୍ବାଭାବିକ ଭାବେ ୩୦୪. ୯ ମିମି ବର୍ଷା ରେକର୍ଡ କରାଯାଇଥାଏ। ବର୍ତମାନ ସୁଦ୍ଧା ଜିଲ୍ଲାରେ ୯୪.୫୭ ମିମି ବର୍ଷା ହୋଇଛି। ଯଦି ମାସକର ସ୍ବାଭାବିକ ବର୍ଷା ସହ ତୁଳନା କରାଯାଏ ତେବେ ବର୍ତମାନ ସୁଦ୍ଧା ହୋଇଥିବା ବର୍ଷାର ପରିମାଣ ୩୧ ପ୍ରତିଶତ ଅଟେ। ଚାଷ କାମ ଆରମ୍ଭ ହେବା ପାଇଁ ବଳକା ୧୫ ଦିନ ମଧ୍ୟରେ ହାରାହାରି ୨୦୦ ମିମି ବର୍ଷା ହେବା ଆବଶ୍ୟକ। ଯଦି ଏହା ନହୁଏ ତେବେ ଚାଷ କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି କୃଷି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗତକାଲି ଅପରାହ୍ଣ ଠାରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିଲା। ଶନିବାର ଅପରାହ୍ଣରେ ଏହା ବନ୍ଦ ହୋଇଥିଲା। ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ମୋଟ ୧୪୪.୮ ମିମି ବର୍ଷା ହୋଇଛି। ଜିଲ୍ଲା ବର୍ଷା ରେକର୍ଡ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାରେ ବାଲିଅନ୍ତାରେ ୩୮ ମିମି, ବାଲିପାଟଣାରେ ୪ ମିମି, ବାଣପୁରରେ ୧୭ ମିମି, ଭୁବନେଶ୍ବର ବ୍ଲକରେ ୧୨.୮ ମିମି, ବୋଲଗଡ଼ରେ ୯ ମିମି, ଚିଲିକାରେ ୯ ମିମି, ଜଟଣୀରେ ୬ ମିମି, ଖୋର୍ଦ୍ଧାରେ ୧ ମିମି ଓ ଟାଙ୍ଗୀରେ ୫୨ ମିମି ବର୍ଷା ହୋଇଛି। ବେଗୁନିଆ ପ୍ରାୟତଃ ଶୁଖିଲା ରହିଥିବା ବେଳେ ଖୋର୍ଦ୍ଧାରେ ସର୍ବନିମ୍ନ ଓ ଟଙ୍ଗୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।