ଏମିତି ଚାଲିଛି ସ୍କୁଲ୍‌ ଶିକ୍ଷା : ଏବେ ବି ୪୧ ହଜାର ସରକାରୀ ସ୍କୁଲ୍‌ ଅନ୍ଧାରରେ

ବର୍ଷକ ଭିତରେ ଗୋଟିଏ ସ୍କୁଲ୍‌ରେ ବି ବିଜୁଳି ସଂଯୋଗ ହୋଇନି

ଭୁବନେଶ୍ୱର : ବର୍ଷଟିଏ ବିତିଗଲା। ରାଜ୍ୟର ଗୋଟିଏ ବି ସ୍କୁଲ୍‌କୁ ବିଜୁଳି ସଂଯୋଗ ହୋଇପାରିଲାନି। ୨୦୧୭ ମାର୍ଚ୍ଚ ବେଳକୁ ବିଜୁଳି ସଂଯୋଗର ସ୍ଥିତି ଯାହା ଥିଲା ୨୦୧୮ ମାର୍ଚ୍ଚରେ ସେୟା ରହିଛି। ୪୧ ହଜାର ସରକାରୀ ସ୍କୁଲ୍‌ରେ ପିଲା ଖରା ଦିନେ ଗରମରେ ସିଝୁଛନ୍ତି। ଲାଇନ୍‌ ନ ଥିବାରୁ କମ୍ପ୍ୟୁଟର ବ୍ୟବହାର କରିପାରୁ ନାହାନ୍ତି। ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି, ବିଜୁଳି ସଂଯୋଗ ତାହାର ବଡ଼ ଉଦାହରଣ।

୨୦୧୭ ମାର୍ଚ୍ଚ ୩୦ରେ ତତ୍‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଧାନସଭାରେ ସ୍କୁଲ୍‌ରେ ବିଜୁଳି ସଂଯୋଗ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତର ରଖିଥିଲେ। ତାଙ୍କର ତଥ୍ୟ ଥିଲା, ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୫୧,୦୯୪ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୪୦,୦୮୭ଟିରେ ବିଜୁଳି ସଂଯୋଗ ହୋଇନାହିଁ। ସେହିପରି ୫,୦୧୬ଟି ହାଇସ୍କୁଲ୍‌ରୁ ୯୩୫ଟି ହାଇସ୍କୁଲ୍‌ରେ ବିଜୁଳି ସଂଯୋଗ ନାହିଁ।

ଠିକ୍‌ ବର୍ଷକ ପରେ। ୨୦୧୮ ମାର୍ଚ୍ଚ ୨୨ ତାରିଖରେ ବର୍ତ୍ତମାନର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବିଧାନସଭାରେ ସମାନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି। ବର୍ଷକ ତଳେ ବିଜୁଳି ସଂଯୋଗ ନେଇ ତତ୍‌କାଳୀନ ମନ୍ତ୍ରୀ ଯାହା ତଥ୍ୟ ଦେଇଥିଲେ, ସେଥିରେ କିଛି ବି ପରିବର୍ତ୍ତନ ହୋଇନି। ଅର୍ଥାତ ବର୍ଷକ ଭିତରେ ଗୋଟିଏ ବି ସରକାରୀ ସ୍କୁଲ୍‌ରେ ବିଜୁଳି ସଂଯୋଗ କରିବାକୁ ସରକାର ସକ୍ଷମ ହୋଇ ନାହାନ୍ତି। ସବୁ ଗାଁ ବିଦ୍ୟୁତିକରଣ ହୋଇଛି ବୋଲି ସରକାର ଘୋଷଣା କରୁଛନ୍ତି। କିନ୍ତୁ ସ୍କୁଲ୍‌ଗୁଡ଼ିକରେ ବିଦ୍ୟୁତ ପରି ମୌଳିକ ସୁବିଧା ଦେବାକୁ ତତ୍ପରତା ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗୋଟିଏ ସ୍କୁଲ୍‌କୁ ତ ବିଜୁଳି ସଂଯୋଗ ଦେଇପାରିଲେନି। ମିଛ ପ୍ରତିଶ୍ରୁତି ଦେବାରେ ବି ଆଦୌ ହେଳା କରିନି ବିଭାଗ। ୨୦୧୭ ମାର୍ଚ୍ଚରେ ତତ୍‌କାଳୀନ ମନ୍ତ୍ରୀ ବିଧାନସଭାକୁ ଜଣାଇଥିଲେ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ବିଦ୍ୟାଳୟ ପରିଚାଳନା କମିଟି କରିଥାଏ। ମାତ୍ର ହାଇସ୍କୁଲ୍‌ଗୁଡ଼ିକରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ବାର୍ଷିକ ସ୍କୁଲ୍‌ ଅନୁଦାନ ଅର୍ଥ ବିନିଯୋଗ କରି ସମସ୍ତ ହାଇସ୍କୁଲ୍‌ରେ ବିଜୁଳି ସଂଯୋଗ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସବୁ ହାଇସ୍କୁଲ୍‌ ତ ଦୂରର କଥା। ବିଦ୍ୟୁତକରଣ ହୋଇ ନ ଥିବା ୯୩୫ଟି ହାଇସ୍କୁଲ୍‌ ମଧ୍ୟରୁ ଗୋଟିଏ ସ୍କୁଲ୍‌କୁ ବର୍ଷକ ଭିତରେ ବିଜୁଳି ସଂଯୋଗ ହୋଇପାରିଲାନି। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସରକାରୀ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଲେ। ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରିଥିଲେ ବି ବିଭାଗ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ସେହିପରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ବିଦ୍ୟାଳୟ ପରିଚାଳନା କମିଟିର ବୋଲି ବିଭାଗ ହାତ ଟେକିଦେବା ଆହୁରି ଆଶ୍ଚର୍ଯ୍ୟର ବିଷୟ। ଏ ନେଇ ବିଭାଗ ଆଦୌ ଆଗ୍ରହୀ ନୁହେଁ, ତାହା ସ୍ପଷ୍ଟ ହୋଇଯାଇଛି। ବିଭାଗର ତଥ୍ୟ ଅନୁଯାୟୀ ବିଦ୍ୟୁତକରଣ ହୋଇ ନ ଥିବା ସ୍କୁଲ୍‌ର ତାଲିକାରେ ମୟୂରଭଞ୍ଜ ଜିଲ୍ଲା ସର୍ବାଗ୍ରେ ଅଛି। ଏଠାରେ ମୋଟ୍‌ ୩୯୪୦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ୩୩୪୬ରେ ବିଜୁଳି ସଂଯୋଗ ନାହିଁ। ତାଲିକାର ଦ୍ୱିତୀୟରେ ଅଛି କୋରାପୁଟ। ଏଠାରେ ୨୧୭୫ ସ୍କୁଲ୍‌ରେ ବିଜୁଳି ସଂଯୋଗ ନାହିଁ। ତୃତୀୟରେ ଅଛି ଗଞ୍ଜାମ ଜିଲ୍ଲା। ଏଠାରେ ୨୦୯୪ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜୁଳି ନାହିଁ। ତାଲିକାର ସବା ତଳେ ଅଛି ଦେବଗଡ଼। ଏଠାରେ ୪୧୭ଟି ସ୍କୁଲ୍‌ରେ ବିଜୁଳି ନାହିଁ।

ସେହିପରି ହାଇସ୍କୁଲ୍‌ କ୍ଷେତ୍ରରେ କୋରାପୁଟ ଜିଲ୍ଲା ଆଗରେ ଅଛି। ଏଠାରେ ୧୧୬ଟି ହାଇସ୍କୁଲ୍‌କୁ ବିଜୁଳି ଯାଇନି। କୋରାପୁଟ ତଳକୁ ଅଛନ୍ତି ଦୁଇଟି ଜିଲ୍ଲା ରାୟଗଡ଼ା ଓ ଗଞ୍ଜାମ। ଉଭୟ ଜିଲ୍ଲାରେ ୭୨ଟି ଲେଖାଏଁ ହାଇସ୍କୁଲ୍‌କୁ ବିଜୁଳି ଯାଇନି। ତାଲିକାରେ ସର୍ବନିମ୍ନରେ ଅଛି ଭଦ୍ରକ ଜିଲ୍ଲା। ଏଠାରେ ମାତ୍ର ଗୋଟିଏ ହାଇସ୍କୁଲ୍‌କୁ ବିଜୁଳି ସଂଯୋଗ ବାକି ଅଛି।

ସମ୍ବନ୍ଧିତ ଖବର