୪୧ଥର ମାଟ୍ରିକ୍ ଫେଲ୍, ୬୫ ବର୍ଷରେ ଏଲ୍ଏଲ୍‌ବି

ଯୋରନ୍ଦା, (ଆନନ୍ଦ ମହାନ୍ତି): ଢେଙ୍କାନାଳ ସଦର ବ୍ଲକ୍‌ ସୋଗରପଶି ପଞ୍ଚାୟତ ପାରିଖେଦା ଗାଁର ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ ଜୀବନରେ ଥରେ କି ୧୦ଥର ନୁହେଁ, ୪୧ଥର ମାଟ୍ରିକ୍‌ ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି। ତଥାପି, ତାଙ୍କ ପାଠପଢ଼ାର ଝୁଙ୍କ୍‌ ଏମିତି ଯେ ସେ ହାରି ନାହାନ୍ତି। ୪୨ତମ ମାଟ୍ରିକ୍‌ ପରୀକ୍ଷା ଦେଇ ସେ କେବଳ ମାଟ୍ରିକ୍‌ ସାର୍ଟିଫିକେଟ୍ ହାସଲ କରି ନାହାନ୍ତି, ବରଂ ଜୀବନର ଚତୁର୍ଥ ପର୍ଯ୍ୟାୟ ଯାଏ ନିଜ ଅଧ୍ୟବସାୟକୁ ବଜାୟ ରଖି ଆଜି ୬୫ବର୍ଷ ବୟସରେ କଟକରେ ଓକିଲାତି କରିବାକୁ ନିଜକୁ ଯୋଗ୍ୟ କରାଇପାରିଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାରିଖେଦା ଗାଁର ତ୍ରିଲୋଚନ ନାଏକ। ବୟସ ଏବେ ପ୍ରାୟ ୬୫ବର୍ଷ। ପାରିଖେଦା ଏବଂ ଶୋଗରପଶି ସ୍କୁଲରୁ ନିଜର ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ବଣସିଂହ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ପଢ଼ିଥିଲେ। ପ୍ରଥମ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ୧୯୭୨ମସିହାରେ। କିନ୍ତୁ ଏଥିରେ ଫେଲ୍ ମାରିଥିଲେ ତ୍ରିଲୋଚନ। ତେବେ ପ୍ରଥମ ପରୀକ୍ଷାରେ ଏହି ବିଫଳତାରୁ ତାଙ୍କର ପାଠପଢ଼ା ପ୍ରତି ରୁଚି କମ୍‌ ହୋଇନଥିଲା, ବରଂ ମାଟ୍ରିକ୍‌ ପାସ୍‌ କରିବାର ଝୁଙ୍କ୍‌ ମନରେ ଏମିତି ଜାଗି ଉଠିଥିଲା ଯେ ଥରକୁ ଥର କରି ସେ ୧୯୭୨ମସିହାରୁ ୧୯୯୨ମସିହା ପର୍ଯ୍ୟନ୍ତ କ୍ରମାନ୍ବୟରେ ଉଭୟ ବାର୍ଷିକ ଏବଂ ସପ୍ଲିମେଣ୍ଟାରୀକୁ ମିଶାଇ ମୋଟ୍ ୪୧ଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଏହି ୨୦ବର୍ଷ ଭିତରେ ଅନେକ କିଛି ବଦଳି ଯାଇଥିଲା। ପରୀକ୍ଷାର ପାଠକ୍ରମଠାରୁ ଆରମ୍ଭ କରି ସ୍କୁଲ ସାଙ୍ଗସାଥୀ, ଜୀବନର ଗତିପଥ ସବୁ କିଛିରେ ପରିବର୍ତ୍ତନ ଆସି ଯାଇଥିଲା। ତଥାପି, ତ୍ରିଲୋଚନ ମାଟ୍ରିକ୍‌ ପାଠରେ ମାତିଥିଲେ। ଶେଷରେ ୧୯୯୩ମସିହାରେ ତାଙ୍କୁ ମିଳିଥିଲା ସଫଳତା। ବଣସିଂହ ଉଚ୍ଚ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀରେ ମାଟ୍ରିକ୍‌ ପାସ୍‌ କରି ଦୀର୍ଘ ୨୧ ବର୍ଷର ନିରବଚ୍ଛିନ୍ନ ଉଦ୍ୟମରେ ଶେଷରେ ସେ ସଫଳ ହୋଇଥିଲେ। କହିବା ବାହୁଲ୍ୟ, ତ୍ରିଲୋଚନ ଏହି ସଫଳତା ସାଉଁଟିଲା ବେଳକୁ ତାଙ୍କ ବଡ଼ପୁଅ ମାଟ୍ରିକ୍‌ ପାସ୍‌ କରି ଯୁକ୍ତ ଦୁଇରେ ପାଠ ପଢୁଥିଲେ।

ତ୍ରିଲୋଚନ କିନ୍ତୁ ଏତିକିରେ ତାଙ୍କ ପାଠପଢ଼ାରେ ଡୋରି ବାନ୍ଧି ଦେଇନଥିଲେ। ବରଂ, ଯୁକ୍ତ ଦୁଇ ପଢ଼ିବା ପାଇଁ ୧୯୯୭ମସିହାରେ ଢେଙ୍କାନାଳ କଲେଜରେ ନାଁ ଲେଖାଇଥିଲେ। ଯୁକ୍ତ ଦୁଇ ପାସ୍‌ କରିବାକୁ ବି ତ୍ରିଲୋଚନଙ୍କୁ ୧୦ବର୍ଷ ଲାଗିଗଲା। ଯୁକ୍ତ ଦୁଇରେ ସେ ୧୦ଥର ପରୀକ୍ଷା ଦେଇଥିଲେ। ଶେଷରେ ୨୦୦୭ ମସିହାରେ ସେ କୃତକାର୍ଯ୍ୟ ହେଲେ। ୨୦୧୪ମସିହାରେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟରେ ସ୍ନାତକରେ ନାମ ଲେଖାଇ ୨୦୧୭ମସିହାରେ ଗ୍ରାଜୁଏଟ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କଟକର ଶ୍ରୀ ବିଶ୍ବଗୁରୁ ଲ କଲେଜରେ ଆଇନ ପାଠପଢ଼ି ଗତ ଡିସେମ୍ବର ମାସରେ ସେଠାରୁ ଏଲ୍ଏଲବି ହାସଲ କରିଛନ୍ତି। କଟକ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଦସ୍ୟ ଭାବେ ସେ ଏବେ ଯୋଗ ଦେଇଛନ୍ତି। ବର୍ତ୍ତମାନ ତାଙ୍କର ବୟସ ପ୍ରାୟ ୬୫ବର୍ଷ। ତଥାପି ତ୍ରିଲୋଚନଙ୍କର ପାଠପଢ଼ାର ଅଭିପ୍ସା ଶେଷ ହୋଇନାହିଁ। ପରବର୍ତ୍ତୀ ସମୟରେ ସେ ଏଲ୍ଏଲ୍ଏମ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ କିନ୍ତୁ ଅର୍ଥର ଅଭାବ ରହିଛି ବୋଲି ତ୍ରିଲୋଚନ ‘ସମ୍ବାଦ’କୁ କହିଛନ୍ତି। ଏହି ପାଠପଢ଼ାରେ ପରିବାର ଲୋକଙ୍କର ସବୁବେଳେ ସହାୟତା ପାଇଛନ୍ତି। ମାଟ୍ରିକ୍‌ ପାସ୍‌ କରିବା ବେଳକୁ ଚାକିରି ବୟସ ଅତିକ୍ରାନ୍ତ ହୋଇ ସାରିଥିଲା। ଆଉ କିଛି ପାଠପଢ଼ି ନିଜକୁ ପ୍ରତିଷ୍ଠିତ କରାଇବାକୁ ବାଟ ନ ଥିଲା।‌ ତେଣୁ ଓକିଲାତି କରିବାକୁ ମନ ବଳାଇଲେ ବୋଲି ତ୍ରିଲୋଚନ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର