ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ୪୧୨ ରୋଗୀ

ଭୁବନେଶ୍ବର : ରାଜ୍ୟରେ ସଂକ୍ରମିତ ଥିବା ୪୧୨ଜଣ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ଥିବା ଆଇସିୟୁ ଶଯ୍ୟାର ଏହା ହେଉଛି ୧୮ ପ୍ରତିଶତ। ସେହିପରି ଭେଣ୍ଟିଲେଟରରେ ମଧ୍ୟ ବେଶୀ ଗୁରୁତର ରୋଗୀ ନାହାନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ଏବେ ୭୮ଜଣ ଅର୍ଥାତ୍ ୧୦ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

କରୋନାର ଦ୍ବିତୀୟ ଲହରରେ ଏବେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ରାଜ୍ୟରେ ଦୈନିକ ୪ହଜାରରୁ ଅଧିକ ରୋଗୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲକୁ ମିଶାଇ ସମୁଦାୟ ୮୬୭୧ଶଯ୍ୟା ଥିବା ବେଳେ ଏବେ ଏଥିରେ ୧୭୨୫ଜଣ ଚିକିତ୍ସିତ ହେଉଛନ୍ତି। ଯାହାକି ସମୁଦାୟ ଶଯ୍ୟାର ୨୦ ପ୍ରତିଶତ ପ୍ରତିଶତ। ଏଥିରେ ସରକାରୀ ହସ୍ପିଟାଲରେ ୧୦୯୯ଜଣ ଓ ଘରୋଇରେ ୬୨୬ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ୨୩୦୨ ଆଇସିୟୁ ଶଯ୍ୟା ଥିବା ବେଳେ ଏଥିରେ ୪୧୨ଜଣ ରୋଗୀ ଅଛନ୍ତି। ସରକାରୀରେ ୩୧୫ ଓ ଘରୋଇ ହସ୍ପିଟାଲରେ ୯୭ଜଣ ଚିକିତ୍ସିତ ହେଉଛନ୍ତି। ଏହାସହ ସରକାରୀ ଓ ଘରୋଇକୁ ମିଶାଇ ରାଜ୍ୟରେ ୭୭୭ ଭେଣ୍ଟିଲେଟର ଥିବା ବେଳେ ଏଥିରେ ୭୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସରକାରୀ ହସ୍ପିଟାଲରେ ୧୯ ଓ ଘରୋଇରେ ୫୯ଜଣ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ସଂକ୍ରମିତଙ୍କ ଲକ୍ଷଣ ନାହିଁ କିମ୍ବା ସ୍ବଳ୍ପ ଲକ୍ଷଣ ରହିଛି। ଏ ଦୃଷ୍ଟିରୁ ହସ୍ପିଟାଲରେ କମ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ତଥାପି ଦୈନିକ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆହୁରି ଶହେ ଭେଣ୍ଟିଲେଟରର ବ୍ୟବସ୍ଥା କରାଯିବା ପାଇଁ ଯୋଜନା ହୋଇଛି। ଏହାସହ ଅକ୍ସିଜେନ ଶଯ୍ୟା ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର