ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ୨୦୨୧ ବର୍ଷରେ ବିଭିନ୍ନ ଘରୋଇ ହସ୍ପିଟାଲମାନଙ୍କରେ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେଶାଲିଟି ଚିକିତ୍ସା ଓ ଔଷଧ ସଂପୂର୍ଣ ମାଗଣା ପାଇଥିଲେ। ୨୦୨୨ ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ଅଭିବୃଦ୍ଧି ହୋଇଛି। ସମାନ୍ତରାଳଭାବେ ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲମାନଙ୍କୁ ପୈଠ କରିଥିଲେ। ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ ସଂଖ୍ୟାରେ ମଧ୍ୟ ୩୩୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୧ ମସିହା ଆରମ୍ଭରେ ୧୮୭ଟି ହସ୍ପିଟାଲ ତାଲିକାଭୁକ୍ତ ଥିବାବେଳେ ୨୦୨୨ ଶେଷସୁଦ୍ଧା ଏହି ସଂଖ୍ୟା ୫୫୪ କୁ ବୃଦ୍ଧି ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶକ ତଥା ଓଡ଼ିଶା ହେଲଥ୍ ଆସ୍ୟୁରାନ୍ସ ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବୃନ୍ଦା ଡ଼ିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଏସ୍କେୱାଇ ଯୋଜନାରେ ହସ୍ପିଟାଲମାନେ ଦେଉଥିବା ବିଲ୍ ଅନୁମୋଦନ ପୂର୍ବରୁ ଅନ୍ଲାଇନ୍ ୱେବସାଇଟରେ ଦାଖଲ ହୋଇଥିବା ଦସ୍ତାବିଜ୍ ଓ ଚିକିତ୍ସା ପ୍ରମାଣ ଆଦିକୁ ଠିକ୍ ଭାବେ ଯାଞ୍ଚ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଆଗାମୀ ଦିନରେ ଘରୋଇ ହସ୍ପିଟାଲରେ ଏହି ଯୋଜନାରେ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି ବୈଠକରୁ ସୂଚନା ମିଳିଛି। ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଡା. ବିଷ୍ଣୁ ପ୍ରସାଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ, ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ ଡା.ସମ୍ବିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ସାମିଲ ହୋଇଥିଲେ।