ଜିଲ୍ଲାରେ ସରିଲା ନାମାଙ୍କନ ପତ୍ର ଯାଞ୍ଚ, କାଏମ ରହିଲା ୭, ୩୧୭ ପ୍ରାର୍ଥିପତ୍ର

୪୧୫ ପ୍ରାର୍ଥୀଙ୍କ ପାର୍ଥିପତ୍ର ନାକଚ

ରାଉରକେଲା: ଆସନ୍ତା ଫେବୃଆରି ୧୬ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ତ୍ରୁଟି ଓ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ପାରି ନଥିବାରୁ ଅଧିକାଂଶ ପ୍ରାର୍ଥିପତ୍ର ନାକଚ ହୋଇଥିବା ଜଣାଯାଇଛି। ଯାଞ୍ଚ ପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନାମ ଓ ନିର୍ବାଚନୀ ଚିହ୍ନ ମିଳି ସାରିଛି। ଆସନ୍ତା ୨୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲା ପରିଷଦ ଜୋନ୍‌ରେ ମାତ୍ର ୩/୪ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୭ ବ୍ଳକରେ ୭ ହଜାର ୭୩୨ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୪ ହଜାର ୮୬୯ ୱାର୍ଡ ସଭ୍ୟ, ୪୩୮ ସରପଞ୍ଚ, ୧୨୨୩ ପଞ୍ଚାୟତ ସମିତି ସଭ୍ୟ ଓ ୨୦୨ ଜିଲ୍ଲା ପରିଷଦ ସଭ୍ୟ।

ମୋଟ ୭ ହଜାର ୭୩୨ ପ୍ରାର୍ଥିପତ୍ର ଦାଖଲ ହୋଇଥିଲାବେଳେ ୪୧୫ ପ୍ରାର୍ଥିପତ୍ର ନାକଚ ହୋଇଛି। ୭, ୩୧୭ ପ୍ରାର୍ଥୀପତ୍ର କାୟମ ରହିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୪, ୫୪୭ ୱାର୍ଡ ସଭ୍ୟ, ୧୪୦୨ ସରପଞ୍ଚ, ୧୧୬୮ ପଞ୍ଚାୟତ ସମିତି ସଭ୍ୟ ଓ ୨୦୦ ଜିଲ୍ଲା ପରିଷଦ। ସୁନ୍ଦରଗଡ଼ ଜିଲ୍ଲାର ମୋଟ ୩୫ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ୨୦୨ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମାତ୍ର ୨ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। ୨୦୦ ପ୍ରାର୍ଥୀଙ୍କ ପାର୍ଥିପତ୍ର କାୟମ ରହିଛି। ସେମିତି ୩୨୨ ୱାର୍ଡସଭ୍ୟ, ୩୬ ସରପଞ୍ଚ, ୫୫ ସମିତି ସଭ୍ୟଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ଓ ଲାଠିକଟା ଚାରିଟି ବ୍ଲକରେ ମୋଟ ୯ ଜିଲ୍ଲା ପରି‌ଷଦ ଜୋନ ପାଇଁ ୫୨ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମାତ୍ର ଦୁଇ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲାବେଳେ ୫୦ ପ୍ରାର୍ଥୀପତ୍ର କାୟମ ରହିଛି। ବିଶ୍ରା (କ) ଓ ଲାଠିକଟା (ଗ)‌ ଜୋନ୍‌ରୁ ସର୍ବାଧିକ ୯ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାୟମ ରହିଛି।

କୁଆରମୁଣ୍ଡା (କ) ଜିଲ୍ଲା ପରିଷଦ ଜୋନ୍‌ରୁ ଜେଏମ୍‌ଏମ୍‌ର ଆଗ୍ନେଲ ଟପ୍ପୋ, ବିଜେପିର କେଶବ ସିଂ, ବିଜେଡିର ନେଭିଲ କୁମାର କେର୍କେଟା ଓ କଂଗ୍ରେସର ବେଞ୍ଚାମିନ ଏକ୍କା ରହିଛନ୍ତି। କୁଆରମୁଣ୍ଡା (ଖ)ରୁ ସ୍ବାଧୀନ ପ୍ରାର୍ଥୀ ପିୟୁଷ କେର୍କେଟା, ବିଜେପିରୁ ବାନ୍ଧନା ବେକ୍‌, କଂଗ୍ରେସରୁ ବିଜେନ୍ଦ୍ର କୁଜୁର, ବିଏସ୍‌ପିରୁ ବିଶ୍ବନାଥ ତିର୍କୀ ଓ ବିଜେଡିର ରାଜେନ୍ଦ୍ର କୁଜୁର ରହିଛନ୍ତି । ନୂଆଗାଁ (କ)ରୁ ଜେଏମ୍‌ଏମ୍‌ର ଅନୀମା ଟପ୍ପୋ, ବିଜେଡିର ଜ୍ୟୋତି ଦଲରସା ‌ଟେଟେ, କଂଗ୍ରେସରୁ ଦୁର୍ଗୀ ଓରାମ ଓ ବିଜେପିରୁ ବିନିତା କାଣ୍ଡୁଲନା ନାମ କାୟମ ରହିଛି। ନୂଆଗାଁ (ଖ)ରୁ କଂଗ୍ରେସର ଆନିତା ଖାଲ୍‌କୋ, ସ୍ବାଧୀନ ପ୍ରାର୍ଥୀ ମନିକା ଲାକ୍ରା‌, ବିଜେପିରୁ ସଞ୍ଜିତା କିସପଟ୍ଟା, କଂଗ୍ରେସରୁ ସୁଚିତା ଲୁଗୁନ ଓ ବିଜେଡିରୁ ସୁଶିଳା ଟପ୍ନୋ ରହିଛନ୍ତି। ବିଶ୍ରା (କ)ଜୋନରୁ ସ୍ବାଧୀନ ପ୍ରାର୍ଥୀ ଚରଣ ମାହାତ, ନିରୁପମା ସାହୁ, ଭୁବନେଶ୍ବର ଦ୍ବିବେଦୀ, ଶୁକ୍ରାମ କୁମ୍ଭାର, ବିଜେପିରୁ ତପନ କୁମାର ସ୍ବାଇଁ, ସିପିଆଇ(ଏମ୍‌)ରୁ ପ୍ରଦୀପ ଗୌଡ, କଂଗ୍ରେସରୁ ସୁଶୀଲ କୁମାର କିଣ୍ଡୋ, ବିଜେଡିରୁ ହାଲୁ ମୁଣ୍ଡାରୀ ଓ ଜେଏମ୍‌ଏମ୍‌ର ଲେଥା ତିର୍କୀଙ୍କ ନାମ କାୟମ ରହିଛି।

ବିଶ୍ରା (ଖ) ବିଜେଡିରୁ ଦଶମୀ ମିଞ୍ଜ, କଂଗ୍ରେସରୁ ଦୁଗି ମିଞ୍ଜ, ସ୍ବାଧୀନ ପ୍ରାର୍ଥୀ ମୁକ୍ତିଲତା ଖାଖା, ଜେଏମ୍‌ଏମ୍‌ରୁ ସାବିତ୍ରୀ ଓରାମ, ସିପିଆଇ (ଏମ୍‌)ର ଲକ୍ଷ୍ମୀ ଲାକ୍ରା ପ୍ରାର୍ଥିପତ୍ର କାୟମ ରହିଛି। ଅନୁରୂପ ଭାବେ ଲାଠକଟା (କ)ରୁ ସିପିଆଇରୁ ଦଶରୁ କିସାନ, ବିଜେପିରୁ ଦାଶରଥି କିସାନ, ବିଜେଡିରୁ ଭୁବନୁ କୁଜୁର ଓ କଂଗ୍ରେସରୁ ଯୋଶେଫ ଖେସ୍‌ଙ୍କ ପ୍ରାର୍ଥୀପତ୍ର କାୟମ ରହିଛି। ଲାଠିକଟା (ଖ) ଜୋନ୍‌ରୁ ସ୍ବାଧୀନ ପ୍ରାର୍ଥୀ ମୀରା ଦେଇ ତିର୍କୀ, ବିଜେପିର ମୁନି ବାର୍ଲା, କଂଗ୍ରେସରୁ ସୁମିତ୍ରା ଓରାମ, ବିଜେଡିରୁ ସଂଯୁକ୍ତା ବିନ୍ଦୁ ବାର୍ଲା ରହିଛନ୍ତି। ଲାଠିକଟା (ଗ)ରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଇନ୍ଦୁମତି ତନ୍ତୀ, ମଧୁସୂଦନ ସିଂହ, ସୁନିତ ସୋହନ ତିର୍କୀଙ୍କ ପ୍ରାର୍ଥୀପତ୍ର କାୟମ ରହିଥିଲାବେଳେ କଂଗ୍ରେସରୁ ତନ୍ମୟ କୁମାର ସେଠୀ, ବିଜେଡିର ତ୍ରିଲୋକନାଥ ସିଂ, ନାଗରାର ବିନୋଦ କେର୍କେଟରା, ବିଜେପିରୁ ବୁଧଦେବ ସିଂହ, ଜେଏମ୍ଏମ୍‌ରୁ ଭୀମ ଚରଣ ମୁର୍ମୁ, ସିପିଆଇ(ଏମ୍‌)ରୁ ହୃଦୟାନନ୍ଦ ଯାଦବ ପ୍ରାର୍ଥିପତ୍ର କାୟମ ରହିଛି। ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନରେ ଜିଲ୍ଲାରେ ୧୦ ଲକ୍ଷ ୮୪ ହଜାର ୬୫୨ ‌‌ଭୋଟର ୩୫ ଜିଲ୍ଲା ପରିଷଦ୫, ୨୭୯ ସରପଞ୍ଚ, ସମିତି ସଭ୍ୟ ଓ ୩୬୨୩ ୱାର୍ଡ ସଭ୍ୟଙ୍କୁ ବାଛିବେ।

ସମ୍ବନ୍ଧିତ ଖବର