ଲକ୍ଷ୍ମୀପୁର ଥାନା ଘେରାଉ ଓ ଖଣି ରାସ୍ତା ଅବରୋଧ ମାମଲା : ୪୨ଗିରଫ, ଜାରି ହେଲା ୧୪୪ଧାରା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ୍‌ରେ ପୁଣି କୋଡ଼ିଙ୍ଗାମାଳି ଖଣିକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ପରେ ବିପକ୍ଷ ଗୋଷ୍ଠୀ ଥାନା ଘେରାଉ କରିବାରୁ ପରିସ୍ଥିତି ବିଗିଡ଼ି ଯାଇଛି। ଶତାଧିକ ଲୋକ ଥାନା ଭିତରକୁ ଆଜି ଅପରାହ୍ନ ସୁଦ୍ଧା କାହାରିକୁ ଛାଡ଼ି ନଥିଲେ। ଏପରିକି ଖଣି ରାସ୍ତାକୁ ଅବରୋଧ କରିବାରୁ ବାଧ୍ୟ ହୋଇ ପୁଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ସଂଧ୍ୟା ସୁଦ୍ଧା ୪୨ଜଣଙ୍କୁ ଗିରଫ କରିଥିବା ବେଳେ ଖଣି ଅଞ୍ଚଳରେ ୧୪୪ଧାରା ଲାଗୁ କରିଛି। ତଥାପି ପରିସ୍ଥିତି ସ୍ବାଭାବିକ ହୋଇ ନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କୋଡ଼ିଙ୍ଗାମାଳି ଖଣି ଖନନ ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମବାସୀଙ୍କୁ କଂପାନି ପକ୍ଷରୁ ପ୍ରତି ମାସରେ ଭତ୍ତା ଦିଆଯାଉଛି। ବାରମ୍ବାର ଖଣି ଖନନକୁ ବିରୋଧ କରୁଥିବା ଗୋଷ୍ଠୀ ଏହାକୁ ବନ୍ଦ ପାଇଁ ଦାବି କରି ଆସୁଥିଲା। ତଥାପି ଗତକାଲି କଂପାନ ପକ୍ଷରୁ ଲୋକଙ୍କୁ ଭତ୍ତା ଦିଆଯାଉଥିଲା। ଏହି ଖବର ଶୁଣିବା ପରେ ବିପକ୍ଷ ଗୋଷ୍ଠୀ ପହଞ୍ଚି ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ। ଅନ୍ୟପଟେ ଖଣି ଖନନ ସପକ୍ଷରେ ରହିଥିବା ଲୋକ ଭତ୍ତା ବନ୍ଦ ନକରିବାକୁ କହିଥିଲେ। ତେଣୁ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନୀ କୁମାର ନାୟକ ଓ ଆଇଆଇସି ଗୌରହରି ସାହୁ ପହଞ୍ଚି ଉଭୟପକ୍ଷକୁ ବୁଝାସୁଝା କରିଥିଲେ। ବହୁ କଷ୍ଟରେ ଲୋକେ ଶାନ୍ତ ପଡ଼ିବା ସହ ସେଠାରୁ ଚାଲି ଯାଇଥିଲେ।

ପରବର୍ତ୍ତୀ ସମୟରେ ବିପକ୍ଷ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ଥାନାରେ ପହଞ୍ଚି ଭତ୍ତା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଏପରିକି ଗତକାଲି ରାତିଠାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଧାରଣା ଚାଲିଥିଲା। ଥାନା ସମ୍ମୁଖରେ ହିଁ ରୋଷେଇ କରି ଲୋକେ ଖାଇଥିଲେ। ଯାହାଫଳରେ ଥାନାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଅପରାହ୍ନ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ବିପକ୍ଷ ଗୋଷ୍ଠୀ ଅପରାହ୍ନରେ କୋଡ଼ିଙ୍ଗାମାଳି ଖଣି ଅଞ୍ଚଳରେ ଧାରଣା ଦେବାକୁ ଚାଲି ଯାଇଥିଲେ। ଅପରପକ୍ଷରେ ସପକ୍ଷ ଗୋଷ୍ଠୀ ତଥା କୋଡ଼ିଙ୍ଗାମାଳି ସୁରକ୍ଷା ପରିଷଦ ସଭାପତି ସରୋଜ ମହାନନ୍ଦିଆଙ୍କ ନେତୃତ୍ଵରେ ବହୁ ସଂଖ୍ୟାରେ ଲୋକ ଥାନାକୁ ଆସି ଦାବିପତ୍ର ପ୍ରଦାନ କରିଥିଲେ।

ଦୁଇ ଗୋଷ୍ଠୀ ମଧ୍ୟରେ ଏମିତି ଟଣାଓଟରା ଚାଲିବା ଯୋଗୁଁ ଆଜି ଦିନ ତମାମ ଲକ୍ଷ୍ମୀପୁର ଅଚଂଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଉପଜିଲ୍ଲାପାଳ ଲଳିତ ମୋହନ କହଁର, ଏଏସପି ଉତ୍କଳ ରଞ୍ଜନ ଦାସ, ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନୀ ନାୟକ, ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ, କାକିରିଗୁମ୍ମା ଥାନା ଅଧିକାରୀ ଧୀରେନ୍ ପଟନାୟକ, ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିବା ତହସିଲଦାର ମଧୁମିତା ପାମେଲାକର ପ୍ରମୁଖ ୬ପ୍ଲାଟୁନ୍ ଫୋର୍ସ ନେଇ କୋଡ଼ିଙ୍ଗାମାଳି ଖଣି ଅଞ୍ଚଳରେ ପହଞ୍ଚିଥିଲେ। ଏହାପରେ ପୁଲିସ ଏବଂ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା। ବାଧ୍ୟ ହୋଇ ପୁଲିସ ପକ୍ଷରୁ ୧୪୪ଧାରା ଲାଗୁ କରି ଲୋକଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଲୋକେ ସେଠାରୁ ହଟି ନଥିଲେ। ଯାହାଫଳରେ ପୁଲିସ ଆନ୍ଦୋଳନ କରୁଥିବା ୩୬ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର