ଆନ୍ଧ୍ରରେ ଅଟକିଛନ୍ତି ଓଡ଼ିଶାର ୪୨ ବିଇଡି ଛାତ୍ରଛାତ୍ରୀ : ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଲେ

ବାଲେଶ୍ବର/ବାରିପଦା : ବିଇଡି ପରୀକ୍ଷା ଦେବାକୁ ଯାଇଥିଲେ, ହେଲେ କରୋନା କଟକଣା ପାଇଁ ଫସିଗଲେ ଆନ୍ଧ୍ରରେ। ବସ, ଟ୍ରେନ୍‌ ବନ୍ଦ ଥିବାରୁ ଘରକୁ ଫେରି ପାରୁନାହାନ୍ତି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ୪୨ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ୨ ଜଣ ଗର୍ଭବତୀ ମଧ୍ୟ ଅଛନ୍ତି। ଓଡ଼ିଶା ଫେରିବାକୁ ବିଫଳ ହେବା ପରେ ଏହି ଛାତ୍ରଛାତ୍ରୀମାନେ ସୋସିଆଲ୍‌ ମିଡିଆ ଜରିଆରେ ଓଡ଼ିଶା ସରକାରଙ୍କୁ ଜଣାଇ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

ବାଲେଶ୍ବର ଜିଲ୍ଲାର ଭୋଗରାଇ, ଜଳେଶ୍ବର, ବାଲିଆପାଳ, ସୋର, ନୀଳଗିରି, ଭଦ୍ରକ ଓ ବାରିପଦା ଅଞ୍ଚଳରୁ ୨୪ ଜଣ ଛାତ୍ର, ୧୮ ଜଣ ଛାତ୍ରୀ ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲାର ତର୍ଲୁପାଡୁ କଲେଜ ଅଫ୍‌ ଏଜୁକେସନ୍‌ରେ ବିଇଡି ପରୀକ୍ଷା ଦେବାକୁ ଯାଇଥିଲେ। ଏମାନେ ସମସ୍ତେ କଲେଜ ପାଖ ମାର୍କାପୁର ଅଞ୍ଚଳରେ ରହୁଛନ୍ତି। ମାର୍ଚ୍ଚ ୧୬ରୁ ୩୧ ପର୍ଯ୍ୟନ୍ତ ପରୀକ୍ଷା ହେବାର ଥିଲା। କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ସେମାନେ ୨୨ ତାରିଖରେ ଫେରିବା ପାଇଁ ଟିକଟ୍‌ କାଟିଥିଲେ। ତେବେ ଏହି ସମୟରେ ଲକ୍‌ଡାଉନ୍‌ ଘୋଷଣା ହେବାରୁ ଟ୍ରେନ୍ ମଧ୍ୟ ବାତିଲ ହୋଇ ଯାଇଥିଲା। ସାମୟିକ ଭାବେ କଲେଜ କର୍ତ୍ତୃପକ୍ଷ ସେମାନଙ୍କର ଖାଇବା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେତେ ଦିନ ସେ ବ୍ୟବସ୍ଥା ରହିବ ତାକୁ ନେଇ ଛାତ୍ରଛାତ୍ରୀଙ୍କର ସନ୍ଦେହ ରହିଛି।

ସବୁଠୁ ବଡ଼ ସମସ୍ୟା ହେଉଛି ସେମାନଙ୍କ ସହ ଥିବା ଦୁଇ ଗର୍ଭବତୀଙ୍କ ପାଇଁ। ନିୟମିତ ସୁଷମ ଖାଦ୍ୟ ଖାଇବାର ଆବଶ୍ୟକତା ଥିଲେ ମଧ୍ୟ ଦୋକାନ ବଜାର ବନ୍ଦ ଥିବାରୁ ତାହା ମିଳିପାରୁନାହିଁ। ଏପଟେ ସେମାନଙ୍କ ପରିବାର ଲୋକ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ବେସରକାରୀ ଗାଡ଼ି ମିଳୁନଥିବାରୁ ସେମାନଙ୍କୁ ଫେରାଇ ଆଣିବା ପରିବାର ଲୋକଙ୍କ ପକ୍ଷରେ ଏବେ ସମ୍ଭବପର ନୁହେଁ। ଏଭଳି ପରିସ୍ଥିତିରେ କେବଳ ରାଜ୍ୟ ସରକାର ହିଁ ଏହି ଛାତ୍ରଛାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିପାରିବେ ବୋଲି ବାରିପଦାରୁ ଯାଇଥିବା ପରୀକ୍ଷାର୍ଥୀଙ୍କ ଅଭିଭାବକ ପଙ୍କଜ କୁମାର ଦାସ କହିଛନ୍ତି। ଏ ସଂକ୍ରାନ୍ତରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ କଥା ହୋଇଛନ୍ତି। ସୁରକ୍ଷିତ ଫେରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଖାଇବା ପିଇବାରେ ଯେମିତି ଅସୁବିଧା ନ ହେବ ସେ ସମ୍ପର୍କରେ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର