ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବର୍ଷ ତମାମ ହାତୀପଲଙ୍କ ଉପଦ୍ରବ ଲାଗିରହିଛି। କିଛିଦିନ ହେବ ୪୨ଟି ହାତୀ ଏକାଧିକ ଦଳରେ ବିଭିନ୍ନ ହୋଇ ତେଲକୋଇ ଅଞ୍ଚଳରେ ଘୂରି ବୁଲୁଛନ୍ତି। ହାତୀପଲ ଗାଁରେ ପଶି ‌ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ବିଲରେ ପଶି ଧାନତଳି ନଷ୍ଟ କରୁଛନ୍ତି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀମାନେ ବିଳମ୍ବରେ ଚାଷକାମ ଆରମ୍ଭ କରିଛନ୍ତି। ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଚାଷୀମାନେ ତଳି ପଟାଳି ପ୍ରସ୍ତୁତ କରିଛନ୍ତି। ହାତୀପଲ ଜମିରେ ପଶି ଏହାକୁ ଉଜାଡ଼ି ଦେଉଛନ୍ତି।

Advertisment

ଗତକାଲି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ପଶି ୧୯ଟିକିଆ ହାତୀପଲ ତଳି କିଆରି ନଷ୍ଟ କରିଦେଇଛନ୍ତି। ଗ୍ରାମର ନୀଳକଣ୍ଠ ପ୍ରଧାନ, ବାସୁଦେବ ପ୍ରଧାନ, କେଦାର ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, କୁମର ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପ୍ରଧାନ, ମହେଶ୍ୱର ପ୍ରଧାନ, ଡମ୍ବରୁଧର ପ୍ରଧାନ, ଘନଶ୍ୟାମ ପ୍ରଧାନ, ବାବୁରାମ ପ୍ରଧାନ, ଦେବାନନ୍ଦ ପ୍ରଧାନ, ଅର୍ଜୁନ ଚରଣ ପ୍ରଧାନ, ବିମ୍ବାଧର ପ୍ରଧାନ, କମଳାକାନ୍ତ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ଆକାଶ ପ୍ରଧାନଙ୍କ ଜମିରେ ହାତୀପଲ ପଶି ଧାନତଳି ଗୁଡ଼ିକୁ ମାଡ଼ିଦଳି ନଷ୍ଟ କରିଛିନ୍ତି। ବିମଳା ସେକ୍ସନ ଅନ୍ତର୍ଗତ ଶିଖେଶ୍ବର ଜଙ୍ଗଲରେ ୧୯ ଟିକିଆ, ବନ୍ଧନଝରୀ ଜଙ୍ଗଲରେ ୧୨ ଟିକିଆ ଓ ତେଲକୋଇ ସେକ୍ସନରେ ୨ଟି ହାତୀ ରହିଥିବା ଜଣାପଡିଛି। ହାତୀ ଉପଦ୍ରବ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।