ଅସୁରକ୍ଷିତ ଆବାସ ଗୃହରେ ୪୨ ପରିବାର

ବାଲେଶ୍ବର: ବନ୍ୟା ପ୍ରଭାବିତ ଅଞ୍ଚଳରେ କଚାଘର ବଦଳରେ ପକ୍କାଘରକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର। ତେଣୁ କଚାଘରେ ରହୁଥିବା ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ଘରର ମରାମତି ପାଇଁ ମଧ୍ୟ ସରକାର ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି। ହେଲେ ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଶ୍ରୀକୋଣା ପଞ୍ଚାୟତ ନୂଆନଈ ସ୍ଥିତ ଇନ୍ଦିରାଆବାସ କଲୋନିର ଅସୁରକ୍ଷିତ ଛାତ ତ‌େଳ ଦିନ ବିତାଉଥିବା ୪୨ଟି ପରିବାର ପ୍ରତି ନା ପ୍ରଶାସନ ନା ଲୋକ ପ୍ରତିନିଧି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ୨୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୦୨ ମସିହାରେ ନିଜସ୍ବ ଜାଗା ଅଭାବରୁ ସଦର ବ୍ଲକ ଶ୍ରୀକୋଣା ଗ୍ରାମ ପଞ୍ଚାୟତର ନୂଆନଈ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ଇନ୍ଦିରା ଆବାସ କଲୋନି କରାଯାଇ ସ୍ଥାନୀୟ ଅଞ୍ଚଳର ୪୨ ଜଣ ଗରିବ ଆଦିବାସୀଙ୍କୁ ଥଇଥାନ କରାଯାଇଥିଲା।

କଲୋନିବାସୀଙ୍କ ଅଭିଯୋଗ ଅନୁଯାୟୀ, ୪୨ଟି ପରିବାରରେ ମହିଳା ଓ ପିଲାଛୁଆଙ୍କୁ ମିଶାଇ ଆମେ ୨୦୦ ପାଖାପାଖି ଲୋକ ରହୁଛୁ। ଯେଉଁ ଆବାସ ଘର ଆମକୁ ୨୦ ବର୍ଷ ‌ପୂର୍ବରୁ ଯୋଗାଇ ଦିଆଯାଇଥିଲା ତାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଥିଲା। କିଛି ମାସ ରହିବା ପରେ ଘରର ଛାତ, କାନ୍ଥ ଓ କଂକ୍ରିଟ୍‌ରେ ଫାଟ ଦେଖିବାକୁ ମିଳିଥିଲା। ତା ସହିତ ବର୍ଷାଦିନେ ମଧ୍ୟ ଛାତରୁ ପାଣି ଗଳୁଥିଲା। ଏନେଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଭେଟିଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନନେବାରୁ ଭାଗ୍ୟକୁ ଆଦରି ପଡ଼ିଛୁ। ଏବେ କିନ୍ତୁ ଏହି କଲୋନି ଆଦୌ ରହିବା ଉପଯୋଗୀ ‌ହୋଇନାହିଁ। ସବୁ ଘରର ଛାତରୁ ସିମେଣ୍ଟ ଖଣ୍ଡ ଗଳୁଥିବା ବେଳେ କୌଣସି ମୁହୂର୍ତ୍ତରେ ଭୁଶୁଡ଼ିଯିବାର ଭୟ ଘାରୁଛି। ତେଣୁ ସମସ୍ତ ପରିବାର ନିଜ ନିଜର ମହିଳା ଓ ପିଲାଛୁଆଙ୍କୁ ଧରି ଏବେ ଘର ବାହାରେ ପଲିଥିନ୍‌ ଟାଣି ମୁଣ୍ଡ ଗୁଞ୍ଜିଛୁ ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କମଳ କୁମାର ସାହୁ କହିଛନ୍ତି ସେ ଯେତେ‌ବେଳେ ଜିଲ୍ଲା ପରିଷଦ ସଭ୍ୟ ଥିଲେ ଉକ୍ତ ଆଦିବାସୀ କଲୋନିର ନବୀକରଣ ପାଇଁ ବାରମ୍ବାର ସଦର ବିଡିଓ, ପିଡି, ଡିଆରଡିଏ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଭିନ୍ନ ସମୟରେ ବ୍ଲକ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ହୋଇଥିବା ବୈଠକରେ ଏ ସମସ୍ୟା ବାବଦରେ କହିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏବେ ସେ ସରପଞ୍ଚ ହେବା ପରେ ମଧ୍ୟ ପିଡି, ଡିଆରଡିଏ ଓ ସଦର ବିଡିଓଙ୍କୁ ଏ ବାବଦରେ ଆଉଥରେ ଜଣାଇ ସାରିଥିବା ବେଳେ ସପ୍ତାହେ ଭିତରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର