୪୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଛାତ୍ର ଗିରଫ

ଜଳେଶ୍ୱର/ଭୋଗରାଇ/କମର୍ଦ୍ଦା: ନିଶାରେ ବୁଡ଼ିଛି ବାଲେଶ୍ବର। ଆଜି ପୁଣି ଥରେ ଜଳେଶ୍ବର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣ ଛାତ୍ର ଗିରଫ ହୋଇଛନ୍ତି। ଭୋଗରାଇ ଥାନା ଗୁନାଇବସାଣ ଗାଁ’ର ବିଟେକ୍ ଛାତ୍ର ପ୍ରାଇଡ୍‌ ପାତ୍ର (୨୬) ଓ ଗୋପୀନାଥପୁର ଗ୍ରାମର ହୋଟେଲ୍‌ ମ୍ୟାନେଜମେଣ୍ଟ ଛାତ୍ର କାହ୍ନୁଗୋପାଳ ଦାସ ଅଧିକାରୀ (୨୬) ବାଇକ୍‌ରେ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ନେଇ ଅବକାରୀ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍‌ -୨ ଓ ଭୋଗରାଇ ଅବକାରୀ ଥାନା କର୍ମଚାରୀ ଉଭୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ।

କଟକ ଅବକାରୀ ଡେପୁଟି କମିସନର୍‌ ରଜତ କୁମାର ପ୍ରହରାଜ ଓ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ଅବକାରୀ ସ୍କ୍ୱାଡ୍‌ ଉପଅଧୀକ୍ଷକ ପ୍ରତାପ ଚନ୍ଦ୍ର ଦାସ, ଆଇଆଇସି ସତ୍ୟଜିତ ଖଟୁଆ, ଭୋଗରାଇ ଅବକାରୀ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବେହେରା, ଏସ୍‌ଆଇ ଅଭିରାମ ସାହୁଙ୍କ ତତ୍ତ୍ବାବଧାନରେ ଏକ ୧୦ ଜଣିଆ ଟିମ୍‌ ଭୋଗରାଇ ବ୍ଲକ୍‌ କମର୍ଦ୍ଦା ଥାନା ନହରା ଗାଁ ନିକଟରେ ଜଗି ରହିଥିଲେ। ପ୍ରାଇଡ୍‌ ଓ କାହ୍ନୁଗୋପାଳ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କୁ ଧରାଯାଇଥିଲା। ଯାଞ୍ଚ ବେଳେ ଉଭୟଙ୍କଠାରୁ ୪୧୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ମିଳିଥିଲା। ଯାହାର ମୂଲ୍ୟ ୪୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ଅଭିଯୁକ୍ତଦ୍ବୟ ବ୍ୟବହାର କରିଥିବା ଏକ ନମ୍ବରବିହୀନ କଳାରଙ୍ଗର ପଲ୍‌ସର୍‌କୁ ଅବକାରୀ ବିଭାଗ ଜବତ କରିଛି।

ସମ୍ବନ୍ଧିତ ଖବର