ତେଲେଙ୍ଗନାରେ ବନ୍ଧକ ଥିବା ୪୨ଜଣ ପ୍ରବାସୀ ଶ୍ରମିକ ଉଦ୍ଧାର 

ଜୟପୁର: ତେଲଙ୍ଗାନା ରାଜ୍ୟର ପାଇଦାପାଲ୍ଲୀ ଅଂଚଳରେ ବନ୍ଧକ ରହି ଇଟାଭାଟିରେ କାମ କରୁଥିବା ୪୨ଜଣ ପ୍ରବାସୀ ଶ୍ରମିକଙ୍କୁ କୋରାପୁଟ ଜିଲ୍ଲା ଶ୍ରମ ବିଭାଗ ଉଦ୍ଧାର କରି ଆଣିଛି। ଉଦ୍ଧାର ହୋଇଥିବା ଏହି ୪୨ଜଣ ଶ୍ରମିକ କୋଟପାଡ଼ ବ୍ଲକର ବିଭିନ୍ନ ଗାଁର ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ। ଏହି ସମସ୍ତଙ୍କର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବୀମା ଏବେ କରାଗଲା ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ବିଭିନ୍ନ ଗାଁର ଲୋକେ ନିଜ ଅଂଚଳରେ କାମ ଧନ୍ଦା ନ ପାଇ ତେଲଙ୍ଗାନା ଯାଇଥିଲେ। ପାଇଦାପାଲ୍ଲୀ ଜିଲ୍ଲାରେ ଥିବା ବିଭିନ୍ନ ଇଟାଭାଟି କଂପାନି ମାଲିକ ମାନେ ଏମାନଙ୍କୁ ବନ୍ଧକ ରଖି ଶାରିରୀକ ଓ ମାନସିକ ନିର୍ଯାତନା ଦେଇ କାମ କରାଉଥିଲେ। ଏସଂପର୍କରେ ସମାଜସେବୀ ଅଜିତ ପଟ୍ଟନାୟକ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ତେଲଙ୍ଗାନାରେ ଥିବା ଲିଅଜନିଂ ଅଧିକାରୀ ଟି.ରମେଶଙ୍କୁ ଏ ନେଇ ଅବଗତ କରିଥିଲେ। ସେ ସେଠାକାର ଶ୍ରମ ଅଧିକାରୀଙ୍କ ଜରିଆରେ ବିଭିନ୍ନ ଇଟାଭାଟିରୁ ଏହି ୪୨ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ତିନୋଟି ପର୍ଯ୍ୟାୟରେ ଏମାନଙ୍କୁ କୋରାପୁଟଜିଲ୍ଲାକୁ ଅଣାଯାଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ଏମାନଙ୍କୁ ସେଠାରୁ ଆଣି ଗାଁରେ ପହଂଚାଇବାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ, ସହ ଶ୍ରମ ଅଧିକାରୀ ଚୈତନ ପ୍ରସାଦ ମାଝୀ, ପଦ୍ମ ଚରଣ ପଣ୍ଡା, ଶ୍ରମ ନିରୀକ୍ଷକ ପୂର୍ଣ୍ଣିମା ଡୁରୁକା ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର