ସମ୍ବଲପୁର: ରାଜ୍ୟରେ ଧାନ ସଂଗ୍ରହରେ ବଡ଼ ଅବ୍ୟବସ୍ଥା ମୁଣ୍ଡ ଟେକୁଛି। ରବି-୨୦୨୪ ସରି ଖରିଫ୍-୨୦୨୫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏଣେ କିନ୍ତୁ ରାଜ୍ୟରେ ଖରିଫ୍-୨୦୨୪ର ୪୨% କଷ୍ଟମ୍ ମିଲିଂ ଚାଉଳ ବର୍ତ୍ତମାନ ପର୍ଯ୍ୟନ୍ତ ମିଲରମାନେ ଜମା କରି ନାହାନ୍ତି। ଧାନ ସଂଗ୍ରହର ୩ ମାସ ମଧ୍ୟରେ ଯେଉଁ କଷ୍ଟମ୍ ମିଲିଂର ଚାଉଳ ସରକାରଙ୍କ ନିକଟରେ ଜମା ହେବାର ଥିଲା, ୮ ମାସ ପରେ ବି ଜମା ହୋଇ ପାରିନାହିଁ। ସେଥିରେ ପୁଣି ରବିରେ ସଂଗୃହୀତ ଚାଉଳ ମିଲ୍ଗୁଡ଼ିକରେ ପହଞ୍ଚିବାର ଏକ ମାସ ଅତିକ୍ରାନ୍ତ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଖରିଫ୍-୨୫ର ଧାନ ସଂଗ୍ରହ କେଉଁଭଳି କରାଯିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରକ୍ରିୟା ଜାରି ରହିଲେ, ବ୍ୟବସ୍ଥିତ ଢଙ୍ଗରେ ଚାଲିଥିବା ଧାନ ସଂଗ୍ରହ ସମ୍ପୂର୍ଣ୍ଣ ବରବାଦ ହେବା ଆଶଙ୍କା କରାଯାଉଛି। ଧାନ ସଂଗ୍ରହ ନୀତି ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବରେ ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଥାଏ। ଚାଉଳ ଉତ୍ପାଦନ ପାଇଁ କଷ୍ଟମ୍ ମିଲିଂ ପ୍ରକ୍ରିୟାରେ ଟ୍ୟାଗ୍ ହୋଇଥିବା ମିଲର୍ଙ୍କୁ ଧାନ ଦିଆଯାଏ। ମିଲର୍ମାନେ ନିର୍ଧାରିତ ଅବଧିରେ ଯୋଗାଣ ନିଗମ ଓ ଏଫ୍ସିଆଇ ନିକଟରେ ଚାଉଳ ଜମା କରନ୍ତି। ୩-୪ ମାସ ମଧ୍ୟରେ ଗୋଟିଏ ଋତୁର ଚାଉଳ ଜମା ହୋଇଗଲେ, ମିଲରମାନେ ସେହି ଅନୁଯାୟୀ ନିଜ ମିଲ୍କୁ ସଫା କରି ଦ୍ବିତୀୟ ଅବଧିର ଚାଉଳ ଉତ୍ପାଦନ ପାଇଁ ପ୍ରସ୍ତୁତ ହୁଅନ୍ତି। ନିର୍ଧାରିତ ସମୟ ଅନୁସାରେ, ଚାଉଳ ଜମା ହୋଇ ନ ପାରିଲେ ଧାନ ଦୁର୍ନୀତି ପାଇଁ ରାସ୍ତା ତିଆରି ହୁଏ।
ଅଧିକ ଧାନ ସଂଗ୍ରହ କଲେ ରଖିବାକୁ ସ୍ଥାନାଭାବ
ମୁଣ୍ଡ ଟେକୁଛି ବଡ଼ ଅବ୍ୟବସ୍ଥା, ଏଫ୍ସିଆଇକୁ ଚାଉଳ
ଦେବା ପାଇଁ ଆଲୋଚନା
ପରବର୍ତ୍ତୀ ଋତୁର ଚାଉଳ ମିଲିଂରେ ବିଭ୍ରାଟ ଦେଖାଦିଏ। ଯୋଗାଣ ବିଭାଗର ସୂଚନା ଅନୁଯାୟୀ, ୨୦୨୩ ମସିହା ଖରିଫ୍ ତୁଳନାରେ ୨୦୨୪ ଖରିଫ୍ରେ ରାଜ୍ୟରେ ୨୬.୬୬% ଅଧିକ, ଅର୍ଥାତ୍ ୨୦୨୩ ମସିହାରେ ୫୮.୦୩ ଲକ୍ଷ ମେଟ୍ରିକ୍ ଟନ୍ ଓ ୨୦୨୪ ମସିହାରେ ୭୩.୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗୃହୀତ ହୋଇଥିଲା। ସେହି ଅନୁଯାୟୀ କଷ୍ଟମ୍ ମିଲିଂରେ ମିଲରମାନେ ୨୦୨୪ରେ ସମୁଦାୟ ୪୯.୫୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସରକାରଙ୍କ ନିକଟରେ ଜମା କରିବାର ଥିଲା। ହେଲେ ଆଜି ପର୍ଯ୍ୟନ୍ତ ମାତ୍ର ୨୯.୨୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଜମା ହୋଇଛି। ସେଥିରୁ ଯୋଗାଣ ନିଗମକୁ ୧୫.୨୬ ଲକ୍ଷ ମେଟ୍ରିକ୍ ଟନ ଓ ଏଫ୍ସିଆଇକୁ ୧୩.୯୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଦିଆଯାଇଛି। ଆହୁରି ୨୦.୦୭ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଜମା କରିବାକୁ ବାକି ରହିଛି। ବର୍ତ୍ତମାନ ଅବସ୍ଥା ହେଲା, ରାଜ୍ୟରେ ଯେତେ ଧାନ ସଂଗ୍ରହ ହୋଇଛି ସେହି ଅନୁଯାୟୀ ଧାନ ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ମିଲ୍ ଏବଂ ଗୋଦାମ ଉଭୟ ନାହିଁ। ସେଥିରେ ପୁଣି ଜିଲ୍ଲାସ୍ତରରେ ଅବସ୍ଥା ଆହୁରି ଖରାପ। ଜିଲ୍ଲା ମଧ୍ୟରେ ସର୍ବାଧିକ ଧାନ ସଂଗ୍ରହ ହୋଇଥିବା ବରଗଡ଼ରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୨%, ବାଲେଶ୍ବରରେ ୬୫%, ଗଞ୍ଜାମରେ ୫୦%, ଭଦ୍ରକରେ ୫୪%, ଅନୁଗୁଳରେ ୫୨%, ସମ୍ବଲପୁରରେ ୫୧%, ପୁରୀରେ ୪୬%, ରାୟଗଡ଼ାରେ ୩୫%, କୋରାପୁଟରେ ୩୧%, କଟକରେ ୫୮%, ଯାଜପୁରରେ ୫୩%, କଳାହାଣ୍ଡିରେ ୫୩%, ନବରଙ୍ଗପୁରରେ ୪୬%, ସୁବର୍ଣ୍ଣପୁରରେ ୬୩% ଚାଉଳ ଜମା ହୋଇଛି। ୮୦ ପ୍ରତିଶତରୁ ଅଧିକ ଚାଉଳ କୌଣସି ଜିଲ୍ଲା ଜମା କରିନାହାନ୍ତି। ସେହିପରି ୭୦ ପ୍ରତିଶତରୁ ଅଧିକ ଚାଉଳ ଜମା କରିଥିବା ଜିଲ୍ଲା ମଧ୍ୟରେ ବଲାଙ୍ଗୀର ୭୭%, ବୌଦ୍ଧ ୭୦%, ଜଗତସିଂହପୁର ୭୬%, ନୂଆପଡ଼ା ୭୬% କରିଛନ୍ତି। ବାକି ଜିଲ୍ଲାଗୁଡ଼ିକର ଅବସ୍ଥା ମଧ୍ୟ ସେହିଭଳି ରହିଛି। କିଛି ମାସ ପରେ ରବି ଚାଉଳ ଜମା ହେବାର ସମୟ ପହଞ୍ଚିବ। ଏହି ଚାଉଳ କେଉଁଠି ରହିବ, ତାକୁ ନେଇ ଜିଲ୍ଲା ପ୍ରଶାସନଗୁଡ଼ିକର ଅଡ଼ୁଆ ବଢ଼ିବାରେ ଲାଗିଛି।
ରାଜ୍ୟ ଯୋଗାଣ ନିଗମ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଧାନ ସଂଗ୍ରହ ବୃଦ୍ଧି ପାଇଥିବାରୁ ଚାଉଳ ସଂରକ୍ଷଣ ସୁବିଧା ରାଜ୍ୟ ସରକାରଙ୍କ ପାଖରେ ନାହିଁ। ତେଣୁ ଚାଉଳ ଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେଉଛି। ଏଫ୍ସିଆଇକୁ ଅଧିକ ଚାଉଳ ଦେବା ପାଇଁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଚାଲିଛି। ଏହି ଆଲୋଚନା ସଫଳ ହେଲେ, ଚାଉଳ ସମସ୍ୟାର ସମାଧାନ ହେବ। ତା’ ସହିତ ଅଧିକ ଗୋଦାମ ନିର୍ମାଣ କରି ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି।