୪୨ଟି ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଗୃହରେ ଚାଲିଛି

କେନ୍ଦୁଝର: ରାଜ୍ୟ ସରକାର ହାଇସ୍କୁଲ ଗୁଡ଼ିକୁ ୫-ଟିରେ ସାମିଲ କରି ରୂପାନ୍ତରୀକରଣ କରୁଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। କେନ୍ଦୁଝର ଜିଲ୍ଲାର ୪୨ଟି ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଗୃହରେ ଚାଲିଛି। ଏସବୁ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁଁ ଶିକ୍ଷାଦାନ ପ୍ରଭାବିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଆନନ୍ଦପୁର ବ୍ଲକ୍‌ର ୬ଟି, ବାଂଶପାଳ ବ୍ଲକ୍‌ର ଗୋଟିଏ, ଚମ୍ପୁଆ ବ୍ଲକ୍‌ର ୪ଟି, ଘଟଗାଁରେ ୫ଟି, ହାଟଡିହିରେ ଦୁଇଟି, ହରିଚନ୍ଦନପୁର ବ୍ଲକ୍‌ରେ ୮ଟି, ଝୁମ୍ପୁରାରେ ଦୁଇଟି, ପାଟଣାରେ ଦୁଇଟି, କେନ୍ଦୁଝର ସଦର ବ୍ଲକ୍‌ରେ ୩ଟି, ସାହାରପଡ଼ା ବ୍ଲକ୍‌ରେ ଦୁଇଟି ଏବଂ ତେଲକୋଇ ବ୍ଲକ୍‌ରେ ୭ଟି ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଗୃହରେ ଚାଲିଥିବା ସୂଚନା ମିଳିଛି। ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଛାତରୁ ପାଣି ଗଳୁଛି। କେଉଁଠି ଗୋଟିଏ ଶ୍ରେଣୀଗୃହରେ ଖୁନ୍ଦାଖୁନ୍ଦି ହୋଇ ଶତାଧିକ ଛାତ୍ରଛାତ୍ରୀ ବସୁଛନ୍ତି ତ ଆଉ କେଉଁଠି ବିକଳ୍ପ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ସେହି ଭଙ୍ଗାଦଦରା ଘରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ରକ୍ଷଣାବେକ୍ଷଣ ଅଭାବରୁ ଶ୍ରେଣୀଗୃହ ଗୁଡ଼ିକ ଭଙ୍ଗାଦଦରା ହୋଇପଡ଼ିଛି। ଅନେକ ସ୍ଥାନରେ ଛାତ ଭୁଶୁଡ଼ିବା ଅବସ୍ଥାକୁ ଆସିଲାଣି। ବର୍ଷବର୍ଷ ଧରି ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହାର ମରାମତି ଦିଗ‌ରେ ଦୃଷ୍ଟି ଦିଆଯାଉ ନାହିଁ।

ଚମ୍ପୁଆ ବ୍ଲକ୍‌ ଜାମୁଦଲକ ପଞ୍ଚାୟତ ସାତହଳିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ଶ୍ରେଣୀଗୃହ ଅବସ୍ଥା ଭଲ ନଥିବାରୁ ଛାତ୍ରଛାତ୍ରୀ ବିପଦସଂକୁଳ ଘରେ ପାଠ ପଢ଼ୁଛନ୍ତି। ଘସିପୁରା ବ୍ଲକ୍‌ ଚଉମୁହିଁ କଲୋନି ପ୍ରାଥମିକ ବିଦ୍ୟାଳୟରେ ୧୦୧ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଗୋଟିଏ ମାତ୍ର ଶ୍ରେଣୀଗୃହ ଭଲ ଅଛି। ଅନ୍ୟ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଘସିପୁରା ବ୍ଲକ୍‌ ବରାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୧୧୫ଜଣ, କେନ୍ଦୁଝର ସଦର ବ୍ଲକ୍‌ କବିତ୍ରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୧୬୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ମଧ୍ୟ ମାତ୍ର ଗୋଟିଏ ଶ୍ରେଣୀଗୃହକୁ ଛାଡ଼ିଦେଲେ ଅନ୍ୟ ଗୃହ ଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି। ସେହିପରି ବାଉରୀପଦା ପଞ୍ଚାୟତ ପୋଟଳ ପ୍ରାଥମିକ ବିଦ୍ୟାଳୟରେ ୫୩ଜଣ ଛାତ୍ରଛାତ୍ରୀ ଏବଂ କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ସୁଲେଇଖମାର ପ୍ରାଥମିକ ବିଦ୍ୟାଳୟରେ ୪୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଗୋଟିଏ ହେଲେ ବି ଶ୍ରେଣୀଗୃହ ଭଲ ନଥିବାରୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ ସେହି ବିପଦସଙ୍କୁଳ ଘରେ ପାଠ ପଢ଼ୁଛନ୍ତି।
କେବଳ ଶ୍ରେଣୀଗୃହ ନୁହେଁ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଅନ୍ୟାନ୍ୟ ସମସ୍ୟା ରହିଛି। ଅଧିକାଂଶ ବିଦ୍ୟାଳୟର ପାଚେରି ନଥିବା ବେଳେ ଶୌଚାଳୟ ଅବସ୍ଥା ନ କହିବା ଭଲ। ଅନେକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ବିପଦସଂକୁଳ ଶ୍ରେଣୀଗୃହ ଗୁଡ଼ିକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ଉପରୋକ୍ତ ବିଦ୍ୟାଳୟ ଗୁଡ଼ିକ ପ୍ରଧାନଶିକ୍ଷକମାନେ ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର