ଭୁବନେଶ୍ବର: ଦିଲ୍ଲୀର ହଜରତ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାକୁ ଫେରିଥିବା ଜମାତୀଙ୍କୁ ଆଗକୁ ଆସିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୪ ତାରିଖରେ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଏବେ ରାଜ୍ୟରେ ୪୨ଜଣ ଜମାତୀ ୧୦୪ ସହାୟତା ନମ୍ବର ଜରିଆରେ ସେମାନଙ୍କର ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ରାଜ୍ୟରେ ୨୮ଜଣ ଜମାତୀଙ୍କୁ ଚିହ୍ନଟ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଯେ ଏବେ ବି ଯେଉଁ ଜମାତୀମାନେ ନିଜର ପଞ୍ଜୀକରଣ କରି ନାହାନ୍ତି, ସେମାନେ ନିର୍ଭୟରେ ଆଗେଇ ଆସନ୍ତୁ। ଯଦି ସେମାନଙ୍କ ମଧ୍ୟରୁ କେହି କରୋନା ସନ୍ଦିଗ୍ଧ କିମ୍ବା ପରବର୍ତୀ ସମୟରେ ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ରାଜ୍ୟ ସରକାର ସେମାନଙ୍କର ସମସ୍ତ ଚିକିତ୍ସା କରିବେ। କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ଟେଲିମେଡିସନ୍ ସହାୟତା ନମ୍ବର ଆରମ୍ଭ ହେବାକୁ ଯାଉଛି। ଏହି ଟେଲିମେଡିସିନ୍ ସହାୟତା ନମ୍ବର ଜରିଆରେ ଲୋକଙ୍କୁ କୋଭିଡ୍ ସଂପର୍କରେ ସୂଚନା ଦିଆଯିବ। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ଦେଶର ଡାକ୍ତରମାନଙ୍କୁ ଆଗେଇ ଆସିବା ଲାଗି ନିବେଦନ କରିଥିଲେ। ଏହା ଭିତରେ ୩୦୦ ଅବସରପ୍ରାପ୍ତ/ବେସରକାରୀ ଡାକ୍ତର ନିଜର ପଞ୍ଜୀକରଣ କରି ସାରିଲେଣି। ୧୦୪ ସହାୟତା ନମ୍ବରକୁ ଏବେ ଦୈନିକ ୧୨ହଜାରରୁ ୧୪ହଜାର କଲ୍ ଆସୁଛି। ଏବେ ରାଜ୍ୟରେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି, ଏ ଦୃଷ୍ଟିରୁ ଆଗାମୀ ଦିନରେ ୧୦୪ ନମ୍ବରକୁ ଅଧିକ କଲ୍ ଆସିବାର ସମ୍ଭାବନା ଥିବାରୁ ଲୋକେ ୧୪୪୧୦ ଟେଲିମେଡିସନ୍ ନମ୍ବରକୁ ଯୋଗାଯୋଗ କରିପାରିବେ। ଏଥିରେ ମଧ୍ୟ ଆଇଭିଆରଏସ୍ ବ୍ୟବସ୍ଥା ଲାଗୁ କରାଯାଇଛି। କମ୍ପ୍ୟୁଟରାଇଜ୍ ପ୍ରଶ୍ନ ଜରିଆରେ ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ରେକର୍ଡ କରାଯିବ। ପରେ ଏହି ତଥ୍ୟକୁ ଟେଲିମେଡିସିନ୍ କେନ୍ଦ୍ରର ଡାକ୍ତରଙ୍କ ନିକଟକୁ ପଠାଯିବ। ତଥ୍ୟକୁ ଆଧାର କରି ଡାକ୍ତର ନିଜର ମୋବାଇଲ ଆପ୍ ଜରିଆରେ ଏହାର ଅନୁଶୀଳନ କରିବେ। ଆବଶ୍ୟକ ପଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରି ସ୍ବାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିବେ। ଏହାସହ ଏବେ ନିକଟରେ ଏମ୍ସିଆଇ ପକ୍ଷରୁ ଟେଲିମେଡିସିନ୍ ସଂକ୍ରାନ୍ତୀୟ କେତେକ ପ୍ରଶ୍ନୋତ୍ତର ବା ଏଫଏକ୍ୟୁ ପ୍ରଦାନ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଇଟାଲୀ ଓ ଆମେରିକାରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ଅଧିକ ସଂକ୍ରମଣ ହୋଇଥିବା ନଜରକୁ ଆସିଛି। ତେଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି। ଏ ପର୍ଯ୍ୟନ୍ତ ୭ଟି କୋଭିଡ ହସ୍ପିଟାଲ ହୋଇଥିବା ବେଳେ ଆଉ ୨୭ଟି କୋଭିଡ୍ ହସ୍ପିଟାଲ ପାଇଁ ଯୋଜନା କରାଯାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/naveen-2.jpg)