ପୁରୀ: ମହାପ୍ରଭୁଙ୍କ ରଥ ଚକ ଚଳିତବର୍ଷ ରେକର୍ଡ ଟଙ୍କାରେ ବିକ୍ରି ହୋଇଛି। ତିନିରଥର ୪୨ଟି ଚକ ୪୮ଲକ୍ଷ ୨ହଜାର ଟଙ୍କାରେ ବିକ୍ରି ହୋଇଛି। ଯାହା ସର୍ବକାଳୀନ ରେକର୍ଡ। ୨୦୧୪ ମସିହାରେ ଡ.ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ସମୟରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏବେ ସେ ମୁଖ୍ୟ ପ୍ରଶାସକ ଥିବା ସମୟରେ ରେକର୍ଡ ଟଙ୍କାରେ ଚକା ବିକ୍ରି ହେବା ଏକ ବିରଳ ସଂଯୋଗ ବୋଲି ଚର୍ଚ୍ଚା ହେଉଛି।
ପୂର୍ବରୁ ରଥ ଚକ ଓ ଅନ୍ୟାନ୍ୟ ଅଂଶ ବିକ୍ରି ପ୍ରକ୍ରିୟା ନ ଥିଲା। ରଥଯାତ୍ରା ଶେଷ ପରେ ରଥର ଚକ, ଅଖ ସହ ଅନ୍ୟାନ୍ୟ ଅଂଶ ରୋଷଘରକୁ ମହାପ୍ରସାଦ ରୋଷେଇ ପାଇଁ ଯାଉଥିଲା। କିନ୍ତୁ ଶ୍ରୀମନ୍ଦିର ରାଜସ୍ବ ବୃଦ୍ଧି ସହ ଭକ୍ତଙ୍କ ଚକ ଓ ଅନ୍ୟାନ୍ୟ ଅଂଶ କ୍ରୟ କରିବାର ଆଗ୍ରହ ଦେଖି ୨୦୧୪ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଏହାର ବିକ୍ରି ପ୍ରକ୍ରିୟା ଆରମ୍ଭ କରିଥିଲେ। ସେବେଠୁ ତିନିରଥର ଚକ, ଗୁଜ, ଅସୁଆରି, ପ୍ରଭା ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ଭକ୍ତ ତଥା ବିଭିନ୍ନ ଧାର୍ମିକ ଅନୁଷ୍ଠାନ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ କିଣିଥିଲେ। ଏଣୁ ଅନ୍ୟ ରଥର ଚକ ଓ ଅନ୍ୟାନ୍ୟ ଅଂଶ ନଷ୍ଟ ହେଉଥିଲା। ଚଳିତବର୍ଷ ପୁଣିଥରେ ଚକ ଓ ଅନ୍ୟାନ୍ୟ ଅଂଶ ବିକ୍ରି ପାଇଁ ଏସ୍ଓପି ଜାରି କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ପିଛା ଦର ୧ଲକ୍ଷ ଟଙ୍କା, ଶ୍ରୀବଳଭଦ୍ରଙ୍କ ରଥର ଚକ ପିଛା ୬୦ହଜାର ଟଙ୍କା ଓ ଦେବୀ ସୁଭଦ୍ରାଙ୍କ ରଥର ଚକ ପିଛା ଦର ୫୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହିଭଳି ପ୍ରତି ରଥର ଗୁଜ ଓ ଅସୁଆରି ପିଛା ୧୦ହଜାର ଟଙ୍କା ଓ ପ୍ରଭା ପିଛା ୨୫ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା।
ଯଦି କେହି ତିନିଟି ଚକ ଏକକାଳୀନ ନେବେ, ସେମାନଙ୍କ ପାଇଁ ରିହାତି ଦର ୨ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ଚକ ଓ ଅନ୍ୟାନ୍ୟ ଅଂଶ କ୍ରୟ ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ଧାର୍ଯ୍ୟ ହୋଇଥିଲା। ପ୍ରଥମରୁ ଯେଉଁ ଯୋଗ୍ୟ ଆବେଦନକାରୀମାନେ ଥିଲେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚକ ବିକ୍ରି କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଚଳିତବର୍ଷ ୨୧ଜଣ ତିନିରଥର ୪୨ଟି ଚକ କ୍ରୟ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କହିଛି, ଆମ ପାଖରେ ପୂର୍ବବର୍ଷର ୪ଟି ରଥ ଚକ ରହିଛି। ଏମିତି ଆବେଦନକାରୀ ଅଛନ୍ତି, ଯେଉଁମାନେ ଚକ ପାଇପାରିନାହାନ୍ତି। ସେମାନଙ୍କୁ ଏହି ଚକ ପ୍ରଦାନ କରାଯିବ। ଏଥିପାଇଁ ୫୧ହଜାର ଟଙ୍କା ଚକ ପିଛା ଦର ଧାର୍ଯ୍ୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/06/rathayatra-202254545.jpg)