ଜେଲ୍‌ ଗଲେ ୪୨୦ ପୋଷ୍ଟମାଷ୍ଟର

ବଲାଙ୍ଗୀର/ଲୋଇସିଂହା : ଜମାକାରୀଙ୍କ ଟଙ୍କା ହଡ଼ପ କରିବା ମହଙ୍ଗା ପଡ଼ିଲା। ୪୨୦ କାମ କରି ଜେଲ୍‌ ଗଲେ ଲୋଇସିଂହା ବ୍ଲକ୍‌ ବାଦୀବାହାଲ ପୋଷ୍ଟଅଫିସର ପୋଷ୍ଟମାଷ୍ଟର ମାଧବାନନ୍ଦ ବାରିକ।

ଲୋଇସିଂହା ଥାନା  ବାଦୀବାହଲ ପୋଷ୍ଟ ଅଫିସରେ ଆଖପାଖ ଅନେକ ଗାଁର ଶହ ଶହ ଲୋକ ବିଭିନ୍ନ ସ୍କିମ୍‌ରେ ଟଙ୍କା ଜମା କରିଥିଲେ। ଗ୍ରାମାଂଚଳରେ ବ୍ୟାଙ୍କର ସୁବିଧା ନଥିବାରୁ ପୋଷ୍ଟାଲ ଆକାଉଣ୍ଟକୁ ସୁରକ୍ଷିତ ଭାବି ଗରିବ ଲୋକେ ସଂଚିତ ଧନକୁ ଡିପୋଜିଟ କରିଥିଲେ। କିଏ ଶ୍ରମିକ ତ ପୁଣି କିଏ ଚାଷୀ। ବହୁ କଷ୍ଟରେ ଟଙ୍କା ସଂଚୟ କରି କିଏ ପଚାଶ ହଜାର ତ ପୁଣି କିଏ ଏକଲକ୍ଷ ଟଙ୍କା ଜମା କରିଥିଲେ। କିନ୍ତୁ ଗତ ୧୭ ତାରିଖ ଦିନ କିଛି ଗ୍ରାହକ ନିଜର ଟଙ୍କା ଉଠାଣ ପାଇଁ ଯାଇଥିବା ବେଲେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ତାପରେ ଶତାଧିକ ଗ୍ରାହକ ପୋଷ୍ଟଅଫିସକୁ ଆସି ନିଜର ଆକାଉଣ୍ଟ ବ୍ୟାଲେନସ ଜିରୋ ଥିବା ଦେଖିଥିଲେ। ପୋଷ୍ଟମାଷ୍ଟର ମାଧବାନନ୍ଦ ବାରିକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଲୋକେ ପୋଷ୍ଟଅଫିସ ଭିତରେ ତାଙ୍କୁ ତାଲା ଦେଇ ରଖିଥିଲେ।

ଗ୍ରାହକଙ୍କଠାରୁ ଅଭିଯୋଗ ପାଇ ଲୋଇସିଂହା ପୁଲିସ ପୋଷ୍ଟମାଷ୍ଟରଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା। ଅଭିଯୋଗର ସତ୍ୟତା ଥିବା ଜାଣିବା ପରେ ସେମାବାର ପୋଷ୍ଟମାଷ୍ଟର ମାଧବାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ସେପଟେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଟଙ୍କା ଫେରି ପାଇବା ଦାବିରେ ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଅଭିଯୋଗକାରୀ। ଲୋକଙ୍କ ଠାରୁ ଟଙ୍କା ନେଇ ଆକାଉଣ୍ଟରେ ଜମା ନକରି ପୋଷ୍ଟମାଷ୍ଟର ଜଣକ ନିଜ ପକେଟ ଗରମ କରୁଥିଲେ। ଲକ୍ଷାଧିକ ଟଙ୍କା ଅତ୍ମସାତ କରିଥିବା ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ୪୨୦ ପୋଷ୍ଟମାଷ୍ଟର ତ ଜେଲ ଗଲେ, କିନ୍ତୁ ଗରିବ ଲୋକେ କେବେ ଫେରି ପାଇବେ ଟଙ୍କା ତାହା ଏବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର