କିସିଣ୍ତାରେ ମହୁଲ ଚୋରା ଚାଲାଣ, ୪୨୫ ବସ୍ତା ମହୁଲ ଫୁଲ ଜବତ, ୭ ଗିରଫ

ନାକଟିଦେଉଳ: ନାକଟିଦେଉଳ ଅଞ୍ଚଳରେ ମହୁଲ ଫୁଲ ଚୋରା ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ ମହୁଲ ଫୁଲ ବିକ୍ରି ଆରମ୍ଭ ହୋଇ ନଥିବା ବେଳେ ଦଲାଲମାନେ କମ୍ ଦରରେ ମହୁଲ ଫୁଲ କିଣି ଚଢା ଦରରେ ବାହାର ରାଜ୍ୟରେ ବିକ୍ରି କରି ଲାଭବାନ ହେଉଛନ୍ତି। ଶୁକ୍ରବାର ରାତିରେ ଏହି ଘଟଣାରେ କିସିଣ୍ତା ପୁଲିସକୁ ବଡ ସଫଳତା ମିଳିଛି। କିସିଣ୍ତା ପୁଲିସ ରାତି ପ୍ରାୟ ୧୨ଟା ୩୦ ସମୟରେ କିସିଣ୍ତା ଥାନା ଉପରମୁଣ୍ତା ଗ୍ରାମରୁ ୨ଟି ଗାଡିରେ ମହୁଲ ଫୁଲ ଲୋଡ୍ ହୋଇ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଡି ସହ ଏହାର ମୁଖ୍ୟ ଓ ସହଯୋଗୀମାନଙ୍କୁ ଗିରଫ କରିଛି। ପୁଲିସ ବଳମ, ବଲାସିଂଘା, ଉପରମୁଣ୍ତା ଗ୍ରାମରେ ପାଟ୍ରୋଲିଂ କରୁଥିବା ବେଳେ ଉପରମୁଣ୍ତା ଗ୍ରାମରେ ମହୁଲଫୁଲ ୨ଟି  ଗାଡ଼ିରେ ଲୋଡ ହେଉଥିବା କୌଣସି ସୂତରୁ ଖବର ପାଇ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ୨ଟି ଚାରି ଚକିଆ ଗାଡିକୁ ପୁଲିସ୍‌ ଜବତ କରି କିସିଣ୍ତା ଥାନାକୁ ନେଇଯାଇଥିଲା। ଏଥରେ ସଂପୃକ୍ତ ଥିବା ମୁଖ୍ୟ ବିଦ୍ୟାଧର ସାହୁ, ଡିଲେଶ୍ବର ରାଉଳ, ପ୍ରାଣବନ୍ଧୁ ବନଛୋର, ଦୁଆରୁ ରାଉଳ, ସୁବଳ ରାଉଳ, ଧବଳେଶ୍ବର ପୁଲେଇ, ନରେନ୍ଦ୍ର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଚାଷୀଙ୍କଠାରୁ କମ୍ ଦରରେ ମହୁଲ କିଣି ଚଢା ଦରରେ ବିକ୍ରି କରୁଥିବା ଉପରମୁଣ୍ତା ଗ୍ରାମର ବିଦ୍ୟାଧର ଏହି ବେପାରର ମୁଖ୍ୟ ବୋଲି ଜଣା ପଡିଛି। ସେ ସବୁ ସମୟରେ ଏମିତି ଅନୈତିକ ଭାବରେ ଚୋରାରେ ଜଙ୍ଗଲଜାତ ଦ୍ରବ୍ୟ କମ୍‌ ମୂଲ୍ୟରେ କିଣି ଚଢା ଦରରେ ବିକ୍ରି କରିଥାଏ ବୋଲି ପୁଲିସ କହିଛି। ଜବତ ଟ୍ରକ୍ (ଓଡି- ୧୫ଆର୍-୩୫୯୫)ରେ ୪୦୦ ବସ୍ତା ଏବଂ ପିକ୍ ଅପ୍ ଭ୍ୟାନ୍ (ଓଡି ୧୫–ଏଚ୍ ୩୮୩୦)ରୁ ୨୦ ବସ୍ତା ଜବତ କରାଯାଇଛି।  ଓଡିଶା ଅବକାରୀ ଆଇନ୍ ବଳରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କିସିଣ୍ତା ପୁଲିସ୍‌ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି।  ସମ୍ବଲପୁର ଏସ୍‌ପିଙ୍କ  ନିର୍ଦ୍ଦେଶ କ୍ରମେ କିସିଣ୍ତା ଥାନାଧିକାରୀ ପ୍ରଶାନ୍ତ ସାମଲ, ଏସଆଇ ସନତ ମାନଡଙ୍ଗି, ଏସ୍‌ଆଇ କଷ୍ଟୁ ଚରଣ ବେହେରା ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର