ସମ୍ବଲପୁର: ଚାଷୀଙ୍କ ପାଇଁ ୟୁରିଆ ଦେଲେ ସରକାର। କିନ୍ତୁ ମାର୍କଫେଡ୍‌ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସମବାୟ ସମିତିକୁ ନ ଦେଇ ବ୍ୟବସାୟୀଙ୍କୁ ବିକ୍ରି କରିଦେଲା। ଗତ ଏପ୍ରିଲ, ମେ ଏବଂ ଜୁନ୍‌ ମାସରେ ୪୨୬ ଟନ୍‌ ୟୁରିଆ ବ୍ୟବସାୟୀଙ୍କୁ ବିକ୍ରି କରି ଦିଆଯାଇଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ ରାଜ୍ୟ କୃଷି ବିଭାଗକୁ ସୂଚନା ଦିଆଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କ’ଣ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସଂପର୍କରେ କୌଣସି ଉତ୍ତର ଦେଉନାହାନ୍ତି ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଏଥିସହିତ ସମ୍ବଲପୁର ଜିଲ୍ଲାରେ ବଡ଼ଧରଣର ସାର ଦୁର୍ନୀତି ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଯେଉଁଥିରେ ମାର୍କଫେଡ୍‌ ଓ କୃଷି ଅଧିକାରୀଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି।    

Advertisment

ବର୍ତ୍ତମାନ ସମୟରେ ୟୁରିଆର ଯେତେବେଳେ ସର୍ବାଧିକ ଆବଶ୍ୟକତା ରହିଛି, ଠିକ ସେହି ସମୟରେ ଚାଷୀ ପାଖରେ ମୁଠାଏ ସାର ନାହିଁ। ସମବାୟ ସମିତିରେ ୟୁରିଆ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏଥିପାଇଁ ଆଜି ଚାଷୀମାନେ ଚାଉଁରପୁର ପ୍ୟାକ୍ସ ଘେରାଉ କରିଥିଲେ। କେବଳ ସମ୍ବଲପୁର ନୁହେଁ, ସମଗ୍ର ପଶ୍ଚିମଓଡ଼ିଶାରେ ଏଭଳି କୌଣସି ଦିନ ନାହିଁ, ଯେଉଁଦିନ ୟୁରିଆ ପାଇଁ ଚାଷୀ ପ୍ରଶାସନ କିମ୍ବା ପ୍ୟାକ୍ସର ଦ୍ବାରସ୍ଥ ହେଉ ନାହିଁ। ବର୍ତ୍ତମାନ ୟୁରିଆର ମାତ୍ରାଧିକ ଆବଶ୍ୟକତାର ଫାଇଦା ଉଠାଇ ବ୍ୟାପକ କଳାବଜାର ହେଉଛି। ୨୬୬.୫ ଟଙ୍କା ଦର ଥିବା ୟୁରିଆ ପ୍ୟାକେଟ୍‌ ୫୨୦ ଟଙ୍କାରେ ଇଣ୍ଡିଆନ୍‌ ଏଣ୍ଟରପ୍ରାଇଜେସ୍‌ରେ ବିକ୍ରି ହୋଇଥିବା ଘଟଣା ନିଜେ ଚାଷୀ ସଙ୍ଗଠନ ପର୍ଦ୍ଦାଫାସ କରିଥିଲା। କେବଳ ଏହି ଦୋକାନ ନୁହେଁ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ସାର ଦୋକାନରେ ମାତ୍ରାଧିକ ଦରରେ ୟୁରିଆ ବିକ୍ରି ହେଉଥିବା ନେଇ ଗତକାଲି ଜିଲ୍ଲା ପ୍ରଶାସନର ଯାଞ୍ଚ ବେଳେ ଜଣାପଡ଼ିଥିଲା। 

ସମବାୟ ସମିତିକୁ କରାଯାଉଛି ଗୌଣ
କୃତ୍ରିମ ସାର ସଙ୍କଟର ଗୁମର ଖୋଲିଲା

ଏଥିପାଇଁ ଇଣ୍ଡିଆନ୍‌ ଏଣ୍ଟରପ୍ରାଇଜେସ୍‌ ସମେତ ୩ ସାର ଦୋକାନର ଲାଇସେନ୍ସ ବାତିଲ ହୋଇଗଲା। କିନ୍ତୁ ପ୍ରକୃତରେ ସାରର କୃତ୍ରିମ ସଙ୍କଟ ଏବଂ ସାର କଳାବଜାର ପଛରେ ମାର୍କଫେଡ୍‌ର ଭୂମିକା ରହିଥିବା ସନ୍ଦେହ କରାଯାଉଛି। ଖରିଫ ଚାଷ ଆରମ୍ଭ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍କଫେଡ୍‌କୁ ଆସିଥିବା ସମୁଦାୟ ସାର ମଧ୍ୟରୁ ୩୦୦ ଟନ୍‌ ସମ୍ବଲପୁର ଏବଂ ୧୨୬ ଟନ୍‌ ସମ୍ବଲପୁରସ୍ଥିତ ବିଭିନ୍ନ ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି। ଯାହା ପ୍ରକୃତରେ ସମବାୟ ସମିତିଗୁଡ଼ିକ ପାଇବା ପାଇଁ ହକଦାର ଥିଲେ। ଚାଷୀମାନଙ୍କୁ ଶୋଷଣରୁ ରକ୍ଷା ପାଇଁ ସମବାୟ ସମିତିକୁ ସରକାର ଗୁରୁତ୍ବ ଦେଉଛନ୍ତି। କିନ୍ତୁ ସାର ବ୍ୟବସାୟୀଙ୍କ ପ୍ରତି ମାର୍କଫେଡ୍‌ର ଅନୁକମ୍ପା ଯୋଗୁଁ ସମବାୟ ସମିତିର ଗୁରୁତ୍ବକୁ ଗୌଣ କରାଗଲା ଏବଂ ଚାଷୀଙ୍କ ପାଇଁ ଶୋଷଣର ରାସ୍ତା ତିଆରି କରି ଦିଆଗଲା। ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଚାଷୀଙ୍କ ସ୍ବାର୍ଥ ପାଇଁ ବାହାରୁ ଅଧିକ ଦରରେ ୟୁରିଆ କ୍ରୟ କରି ଚାଷୀଙ୍କୁ କୋହଳ ଦରରେ ବିକ୍ରି କରନ୍ତି। କିନ୍ତୁ ଏଭଳି ଦୁର୍ନୀତି ଯୋଗୁଁ ଚାଷୀଙ୍କୁ ଏହାର ଲାଭ ମିଳି ପାରୁନାହିଁ। ଅନ୍ୟଦିଗରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ତଦନ୍ତ ପରେ ଅଭିଯୋଗ ଉପରେ ସ୍ପଷ୍ଟ କହିପାରିବେ। ଏଥିପାଇଁ ମାର୍କଫେଡ୍‌ର ଭୂମିକା ସଂପର୍କରେ ବି ଜାଣିବାକୁ ପଡ଼ିବ ବୋଲି ସେ କହିଛନ୍ତି।