ଓଡ଼ିଶା ଇତିହାସ କଂଗ୍ରେସର ୪୨ତମ ଅଧିବେଶନ: ‘ତଥ୍ୟ ସମ୍ବଳିତ ଇତିହାସ ରଚନା ଜରୁରୀ’

ବାଲେଶ୍ୱର : ବାଲେଶ୍ବର ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଇତିହାସ କଂଗ୍ରେସର ୪୨ତମ ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି। ଦେଶର ହିତ ସାଧନ ପାଇଁ ତଥ୍ୟ ସମ୍ବଳିତ ଇତିହାସ ରଚନା ଜରୁରୀ ବୋଲି ଏଥିରେ ମତ ପ୍ରକାଶ ପାଇଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଐତିହାସିକ ଓ ଗବେଷକଙ୍କୁ ଏକ ନୂତନଧାରାରେ ଇତିହାସ ରଚନା କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଐତିହାସିକ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପକ କୁମାର ଭାରତ ତଥା ବିଶ୍ୱରେ ପ୍ରଚଳିତ ଇତିହାସ ରଚନାର ପରମ୍ପରା ସମ୍ପର୍କରେ ଅବଗତ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ, ଆମ ଦେଶ ତଥା ଅଞ୍ଚଳର ପରିଚୟ ରକ୍ଷା ଦିଗରେ ଇତିହାସ ଓ ଇତିହାସକାରଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା ଇତିହାସ କଂଗ୍ରେସର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଯୁବପିଢ଼ି ନୂଆଧାରାର ଇତିହାସ ସୃଷ୍ଟି କରିବା ଉଚିତ ବୋଲି ମତପୋଷଣ କରିଥିଲେ।

ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ.ସୁନୀଲ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଐତିହାସିକ ଡ.ସୋମା ଚାନ୍ଦ ଓ ଡ.ହରିହର ଦାଶଙ୍କୁ ଓଡ଼ିଶା ଇତିହାସ କଂଗ୍ରେସ ତରଫରୁ ସମ୍ମାନିତ କରାଯାଇଥିବାବେଳେ ଡ.ଅରବିନ୍ଦ ବୋଷ ଓ ଜିନାପ୍ରିୟଙ୍କା ଜେଠୀଙ୍କୁ ‘ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର